ପ୍ରଫେସର ପ୍ରସେନଜିତ ମହାନ୍ତି ଏସ୍‌ସିବିର ନୂଆ ଡିନ୍ ଓ ପ୍ରିନ୍‌ସିପାଲ୍‌

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ଓ ଅଧ୍ୟକ୍ଷ ଭାବେ ପ୍ରଫେସର ଡାକ୍ତର ପ୍ରସେନଜିତ୍ ମହାନ୍ତି ଯୋଗ ଦେଇଛନ୍ତି। ଏସ୍‌ସିବିର ଚର୍ମରୋଗ (ସ୍କିନ୍ ଆଣ୍ଡ ଭିଡି) ବିଭାଗର ପ୍ରଫେସର ମହାନ୍ତି ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ଆଜି ତାଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି। ଅନ୍ୟପକ୍ଷରେ ଏସସିବି ଡିନ୍ ଓ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ଆଜି ଅବସର ଗ୍ରହଣ କରିଛନ୍ତି। ପ୍ରଫେସର ମହାନ୍ତି ଆଜି ପ୍ରଫେସର ହୋତାଙ୍କ ନିକଟରୁ ଡିନ୍ ଓ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ଅବସରରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଉପାଧ୍ୟକ୍ଷ ପ୍ରଫେସର ଡାକ୍ତର ବନବିହାରୀ ମିଶ୍ର, ରେଜିଷ୍ଟ୍ରାର (ପ୍ରଶାସନ) ଡକ୍ଟର ଅବିନାଶ ରାଉତ, ଅନ୍ୟ ସବୁ ବିଭାଗୀୟ ମୁଖ୍ୟ ଓ ପ୍ରଫେସରମାନେ ଉପସ୍ଥିତ ଥିଲେ। ଆଜି ଡିନ୍ ଓ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଫେସର ମହାନ୍ତି ଏସ୍‌ସିବିକୁ ଏକ ବିକଶିତ ଅନୁଷ୍ଠାନରେ ପରିଣତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ‌ଗବେଷଣା କାର୍ଯ୍ୟ ସହିତ ଏସସିବିର ଭବିଷ୍ୟତ କେମିତି ସୁନ୍ଦର ହେବ, ଫାକଲ୍ଟି ସଂଖ୍ୟା ବୃଦ୍ଧି କରାଯିବା ଦିଗରେ ପଦକ୍ଷେପ ନିଆଯିବ। ଏସ୍‌ସିବିକୁ ବିଶ୍ବସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ଆଧୁନିକ ସରଞ୍ଜାମ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ପ୍ରଫେସର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର