ଦେହ ବ୍ୟବସାୟ ଭିଡିଓ ଭାଇରାଲ: ଅଭିଯୁକ୍ତକୁ ଗିରଫ କଲା କରଞ୍ଜିଆ ପୁଲିସ

କରଞ୍ଜିଆ/କରଞ୍ଜିଆଗୋଲେଇ/ସିଙ୍ଗଡ଼ା: କରଞ୍ଜିଆ ଅଞ୍ଚଳରେ ଚାଲିଥିଲା ଦେହ ବେପାର। ଯାହାର ଭିଡିଓ ଏବେ ମୋବାଇଲରେ ଭାଇରାଲ ହେବାରେ ଲାଗିଛି। କରଞ୍ଜିଆ ସହର ଅଙ୍କୁରା ମୌଜା ଗଡ଼ସାହିଠାରେ ଏକ ଭଡ଼ାଘରକୁ ଗରାଖ ଆସୁଥିଲେ। ମୁଲଚାଲ୍ ମୁତାବକ ଯୁବତୀ ଯୋଗାଇ ଦିଆଯାଇ ଚାଲିଥିଲା ଦେହ ବ୍ୟବସାୟ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା। ଭିଡିଓ ଭାଇରାଲ ଖବର ଜାଣିବା ପରେ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇଙ୍କ ନିର୍ଦ୍ଦେଶରେ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ସୁଚନ୍ଦ୍ର ମହାଳିକ ପୁଲିସ ଫୋର୍ସ ସହ ଚଢ଼ଉ କରି କାରବାରର ମାଷ୍ଟରମାଇଣ୍ଡ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପଟ୍ଟାମୁଣ୍ଡାଇର ଗୋପୀନାଥ ଚୌଧୁରୀ ନାମକ ଜଣେ ଯୁବକ କରଞ୍ଜିଆ ସହର ନିକଟ ଅଙ୍କୁରାମୌଜା ଗଡ଼ସାହିଠାରେ ଭଡ଼ାରେ ରହୁଥିଲେ। କିଛି ଯୁବତୀଙ୍କୁ ଘରେ ରଖି ମୋ ପରିବାର ସଦସ୍ୟ ବୋଲି ପରିଚୟ ଦେଇ ଦେହ ବେପାର ଚଳାଇଥିଲେ। ଏମିତିକି ସେ ମାସକୁ ଥରେ ​ଘର ବଦଳାଇ ବିଭିନ୍ନ ସ୍ଥାନରେ ଭଡ଼ାରେ ରହୁଥିଲେ। ପ୍ରତିଦିନ ଏକ ସ୍କୁଟିରେ କଳା କୁକୁର ବସାଇ ବିଭିନ୍ନ ଛକ ଜାଗାମାନଙ୍କରେ ଲୋକଙ୍କୁ ଚା’ ସିଗାରେଟ ପିଆଇ ଆଡ୍ଡା କରିଥାନ୍ତି। ଏହାରି ଭିତରେ ନିଜ ବେପାର ଚଳାଇଥାନ୍ତି। ଆଜି ପୁଲିସ ଉକ୍ତ ଘରେ ଚଢ଼ଉ କରି ଅଭିଯୁକ୍ତ ଗୋପୀନାଥ ଚୌଧୁରୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ପୁଲିସ ନଗଦ ୭୦୦ ଟଙ୍କା, ଗୋଟିଏ ମୋବାଇଲ ଓ କଣ୍ଡୋମ ଜବତ କରିଛି। ଏ ନେଇ କରଞ୍ଜିଆ ଥାନା କେସ୍ ନଂ ୩୫/୨୩ରେ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଗୋପୀନାଥଙ୍କ ଶ୍ବଶୁର ଘର କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ। ସେଠାରେ ରହୁଥିବାବେଳେ ଏହି କାରବାରରେ ସଂପୃକ୍ତ ଥାଇ ୨୦୧୯ରେ ଗିରଫ ହୋଇ ​ଜେଲ୍‌ ଯାଇଥିବା ସ୍ବୀକାର କରିଛି।

ସମ୍ବନ୍ଧିତ ଖବର