ବ୍ୟବସ୍ଥାକୁ ବିରୋଧ: ଜିଲ୍ଲାପାଳଙ୍କୁ ଅଭିଯୋଗ ପାଇଁ ୭ କିମି ଚାଲିଲେ ଛାତ୍ରଛାତ୍ରୀ

ଶୁଳିଆପଦା: ବ୍ୟବସ୍ଥାକୁ କୁନିକୁନି ଛାତ୍ରଛାତ୍ରୀଙ୍କ ବିରୋଧ। ସେବାଶ୍ରମରେ ଭଲ ଖାଦ୍ୟ ଦିଆ ନଯିବା ଏବଂ ପ୍ରଧାନଶିକ୍ଷୟିତ୍ରୀ ଅଭିଯୋଗ ନଶୁଣିବା ପ୍ରତିବାଦରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିବା ପାଇଁ ମନସ୍ଥ କରିଥିଲେ। ଏପରି ସମୟରେ ସେମାନେ ଆଜି ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। ହେଲେ ରାସ୍ତାରେ ପୁଲିସ ଅଟକାଇଥିଲା ଓ ବୁଝାସୁଝା କରି ଆଶ୍ରମକୁ ପଠାଇ ଦେଇଥିବା ଜଣାପଡ଼ିଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍‌ରେ।

ସୂଚନା ଅନୁସାରେ; ଶୁଳିଆପଦା ପଥରନେଶା ଆଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୟୀଙ୍କୁ ଭଲ ଖାଦ୍ୟ ଦିଆଯାଉ ନଥିଲା। ଏପରି କି ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ଜେନା ସେମାନଙ୍କ ଅଭିଯୋଗ ଶୁଣୁ ନଥିଲେ। ଏପରି ସମୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିଲା। ଆଉ ଶେଷରେ ଆଜି ସେମାନେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିବା ପାଇଁ ମନସ୍ଥ କରିଥିଲେ। ପ୍ରାୟ ୭୩ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ୧୨ଟା ବେଳକୁ ଆଶ୍ରମରୁ ବାହାରି ବାରିପଦା ଅଭିମୁଖେ ଚାଲିଥିଲେ। ଦୀର୍ଘ ୭ କିମି ଚାଲିବା ପରେ ଶୁଳିଆପଦା ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ଓ ଏଏସ୍‌ଆଇ ରସାନନ୍ଦ ମହାନ୍ତିଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ସେମାନଙ୍କୁ ମହାବିଲାଠାରେ ଅଟକାଇଥିଲେ।

ପରେ ସେଠାରେ ମୋରଡ଼ା ବିଧାୟକ ରାଜକିଶୋର ଦାସ, ବିଧାୟକ ପ୍ରତିନିଧି ଦିଦ୍ୟଲୋଚନ ଦାଶ, ଶୁଳିଆପଦା ତହସିଲଦାର ସୋନମ ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନାରାମ ସିଂ, ପିଏ, ଆଇଟିଡିଏ ବସନ୍ତ କୁମାର ସେଠୀ, ଏସ୍‌ଡିପିଓ କେକେ ହରିପ୍ରସାଦ, ବ୍ଲକ୍‌ ମଙ୍ଗଳ ଅଧିକାରୀ ମାନସୀ ସାମନ୍ତ, ନାରାୟଣ ପଟ୍ଟନାୟକ ପ୍ରମୁଖ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଖାଦ୍ୟ ସମସ୍ୟାର ସମାଧାନ ସହ ପ୍ରଧାନଶିକ୍ଷୟତ୍ରୀ ରଶ୍ମିତା ଜେନାଙ୍କ ଅନ୍ୟତ୍ର ବଦଳି ହେବ ବୋଲି କହିଥିଲେ। ଫଳରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ଛାତ୍ରଛାତ୍ରୀଙ୍କୁ ପୁଲିସ ଗାଡ଼ିରେ ଆଣି ଆଶ୍ରମରେ ଛଡ଼ା ଯାଇଥିଲା। ଏନେଇ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଜେନାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ଅଭିଯୋଗ ମିଛ, ଏହା ତାଙ୍କ ବିରୋଧରେ ଏକ ଷଡ଼୍‌ଯନ୍ତ୍ର ବୋଲି କହିଛନ୍ତି।

ଉଲ୍ଲେଖ ଥାଉକି, ବାଙ୍ଗିରିପୋଷି ବ୍ଲକ୍‌ ଶ୍ୟାମସୁନ୍ଦରପୁର ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ବିଦ୍ୟାଳୟ ସମସ୍ୟା ବାବଦରେ ଜିଲ୍ଲାପାଳଙ୍କଠାରେ ଅଭି‌ଯୋଗ କରିବା ପାଇଁ ଚାଲିଚାଲି ବାହାରିଥିଲେ। ପରେ ପ୍ରଶାସନ ସେମାନଙ୍କୁ ଅଟକାଇଥିଲା। ଫଳରେ ସେମାନେ ଉତ୍‌କ୍ଷିପ୍ତ ହୋଇ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର