ମଝି ଓଭରରେ କମ୍‌ ରନ୍‌ ଭାରତ ପରାଜୟର କାରଣ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନର କାରଣ ଖୋଜିଛି ଭାରତୀୟ କ୍ରିକେଟ୍‌ ନିୟଂତ୍ରଣ ବୋର୍ଡ (ବିସିସିଆଇ)। ଏନେଇ ମଙ୍ଗଳବାର ବିସିସିଆଇ ଅଧିକାରୀମନେ ଏସିଆ କପ୍‌ରେ ଦଳ ପ୍ରଦର୍ଶନର ସମୀକ୍ଷା କରିଛନ୍ତି। ବିଶେଷକରି ମଝି ଓଭରଗୁଡ଼ିକରେ ଅଧିକ ସ୍କୋର୍‌ ନହୋଇପାରିବାକୁ ପରାଜୟର ଅନ୍ୟତମ କାରଣ ବୋଲି ପ୍ରସଙ୍ଗ କରିଛନ୍ତି। ଅତି ଗୁରୁତ୍ବପୂର୍ଣ୍ଣ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଏହାକୁ ସୁଧାରିବାର ପ୍ରୟାସ କରିବାକୁ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହାଙ୍କ ଉପସ୍ଥିତିରେ ହୋଇଥିବା ସମୀକ୍ଷା ବୈଠକରେ ବୋର୍ଡ ଚେତାଇ ଦେଇଛି। ଅକ୍ଟୋବର ୨୩ ତାରିଖରେ ମେଲ୍‌ବର୍ଣ୍ଣରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟି ଭାରତ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଥିଲା ବେଳେ ଏସିଆ କପ୍‌ର ସମୀକ୍ଷା ଗୁରୁତ୍ବ ବହନ କରିଛି।
ବୈଠକରେ ଏସିଆ କପ୍‌ ପ୍ରଦର୍ଶନ ନେଇ ଆଲୋଚନା ହୋଇଥିଲା। ଏଥିରେ ମଝି ଓଭରଗୁଡ଼ିକରେ ବ୍ୟାଟିଂ ଆଭିମୁଖ୍ୟକୁ ପ୍ରସଙ୍ଗ କରାଯାଇଥିଲା।

ବିଶେଷକରି ୭ରୁ ୧୫ (୯ ଓଭର) ଓଭର ମଧ୍ୟରେ ଦଳର ବ୍ୟାଟିଂ ଏବଂ ରନ୍‌ ସ୍କୋର୍‌ ଆଶାଜନକ ନଥିଲା। ଆମ ପାଖରେ ଅଧିକାଂଶ ବିଶ୍ବସ୍ତରୀୟ ଖେଳାଳି ଥିଲେ ମଧ୍ୟ ଆମେ ଏକ୍ଷେତ୍ରରେ ପଛରେ ପଡ଼ିଯାଇଥିଲେ। ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲାରେ ଏହି ୯ ଓଭରରେ ଆମ ଦଳ ୫୯ ରନ୍‌ ସଂଗ୍ରହ କରି ୩ ୱିକେଟ୍‌ ହରାଇଥିଲା। ସେହିପରି ହଂକଂ ବିପକ୍ଷରେ ୬୨ ରନ୍‌ କରିଥିଲା ବେଳେ ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍‌ରେ ୬୨ ରନ୍‌ କରି ଗୋଟିଏ ୱିକେଟ୍‌ ହରାଇଥିଲା। ତେବେ ଏସିଆ କପ୍‌ରେ ସଂପୃକ୍ତ ୯ ଓଭରରେ ଆଫ୍‌ଗାନିସ୍ତାନକୁ ଛାଡ଼ି ଶ୍ରୀଲଙ୍କା ବିପକ୍ଷ ୭୮ ରନ୍‌ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ମୁଖ୍ୟତଃ ମନ୍ଥର ଗତିର ବୋଲରଙ୍କଠାରୁ ଶୀର୍ଷକ୍ରମ ବ୍ୟାଟର୍‌ମାନେ ମଧ୍ୟ ରନ୍‌ ଆଦାୟ କରିବାରେ ବିଫଳ ହୋଇଥିଲେ ବୋଲି ସମୀକ୍ଷା ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର