ଭିସୁଟ ଅଶାନ୍ତ: ୧୮ ଦିନ ପରେ କାର୍ଯ୍ୟକୁ ଫେରିଲେ କୁଳପତି

ସମ୍ବଲପୁର : ୧୦ ଦଫା ଦାବି ସହ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ଇସ୍ତଫା ଜିଦ୍‌ ନେଇ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ୨୫୦ରୁ ଊର୍ଦ୍ଧ୍ବ ଶିକ୍ଷକ ୧୮ ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି।

ଶିକ୍ଷକଙ୍କ ଏହି ଆନ୍ଦୋଳନ ପାଇଁ କୁଳପତି ମଧ୍ୟ ବିଶ୍ବବିଦ୍ୟାଳୟର ମାଟି ମାଡ଼ୁନଥିବା ବେଳେ ସୋମବାର ପୁଲିସ୍‌ ସୁରକ୍ଷାରେ ଦିନ ୧୦ଟା ପୂର୍ବରୁ କାର୍ଯ୍ୟାଳୟକୁ ଆସିଥିଲେ। କୁଳପତି କାର୍ଯ୍ୟାଳୟକୁ ଫେରିଥିବା ଜାଣି ରାସ୍ତାରେ ଆନ୍ଦୋଳନରେ ବସିଥିବା ଶିକ୍ଷକମାନେ ପୁଣିଥରେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ‘ଭିସି ଗୋ ବ୍ୟାକ୍‌’ ସ୍ଳୋଗାନ ଦେଇଥିଲେ। ଅପରପକ୍ଷେ, ଦ୍ବିତୀୟ ବର୍ଷ ଇଞ୍ଜିନିୟରିଂର ମେକାନିକ୍‌ସ, ମ୍ୟାଥ୍‌-୨ ଓ ରସାୟନ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଇୟର ବ୍ୟାକ୍‌ ଲାଗିଥିବାରୁ ଖାତା ଦେଖାରେ ତ୍ରୁଟି ହୋଇଥିବା ଅଭିଯୋଗ କରି ୩ଶହରୁ ଅଧିକ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ଫାଟକରେ ତାଲା ଝୁଲାଇବା ସହ ରାଜରାସ୍ତାରେ ବସିଥିଲେ। ପରୀକ୍ଷା ଫଳ ବାହାରିବାରେ ଅହେତୁକ ବିଳମ୍ବ ହେଉଥିବ‌ାରୁ ମେଧାବୀ ଛାତ୍ରଛାତ୍ରୀ ପ୍ଲେସ୍‌ମେଣ୍ଟ ପାଇବାରୁ ବଞ୍ଚିତ ହେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଆନ୍ଦୋଳନ ସମୟରେ ଦ୍ବିତୀୟ ବର୍ଷ ପ୍ରଡକ୍ସନ ବିଭାଗର ଜଣେ ଛାତ୍ର ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ଡିନ୍‌ ଏକାଡେମିକ୍‌ ଫେସର ଏସ୍‌.କେ.ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଛାତ୍ରଛାତ୍ରୀମାନେ ଏ ସମ୍ପର୍କୀତ ଲିଖିତ ଅଭିଯୋଗ କରିବା ପରେ ବ୍ୟାକ୍‌ ପେପର ପୁନଃ ମୂଲ୍ୟାୟନ କରାଯିବା ସହ ଆସନ୍ତା ୭ ଦିନ ମଧ୍ୟ ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପ୍ରଫେସର ସ୍ବାଇଁ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ସେପଟେ,ଭିସୁଟର ଏଭଳି ଅଶାନ୍ତ ପରିବେଶକୁ ଆଖି ଆଗରେ ରଖି ଏକ ପ୍ଲାଟୁନ୍‌ ପୁଲିସ୍‌ ଓ ୧ ପ୍ଲାଟୁନ୍‌ ସିଆର୍‌ପିଏଫଙ୍କୁ କ୍ୟାମ୍ପସରେ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର