ଭିସୁଟ୍‌ରେ ଗଣ୍ଡଗୋଳ: କ୍ୟାମ୍ପସରୁ ତଡ଼ା ଖାଇଲେ ୧୫ ଛାତ୍ର

ବୁର୍ଲା: ବିଶୃଙ୍ଖଳିତ ଆଚରଣ ପାଇଁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ) କ୍ୟାମ୍ପସରୁ ତଡ଼ା ଖାଇଛନ୍ତି ୧୫ ଜଣ ଛାତ୍ର। ଏମାନଙ୍କ ମଧ୍ୟରେ ୧୧ ଜଣ ତୃତୀୟ ବର୍ଷର ଛାତ୍ର ଏବଂ ୪ ଜଣ ଦ୍ୱିତୀୟ ବର୍ଷର ଛାତ୍ର ରହିଥିବା ଜଣାପଡ଼ିଛି।

ଗତ ୫ ତାରିଖ ରାତିରେ ଭିସୁଟ୍ର କ୍ରତୁ ଓ ଅତ୍ରି ଛାତ୍ରାବାସରେ ଦ୍ୱିତୀୟ ବର୍ଷର ଛାତ୍ରମାନେ ରହୁଥିବା ବେଳେ ପୁଲହ ଛାତ୍ରବାସରେ ତୃତୀୟ ବର୍ଷର ଛାତ୍ରମାନେ ରହିଥାନ୍ତି। ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଛାତ୍ର ଫୋନ୍‌କରି ଡାକିଥିଲେ। ତୁରନ୍ତ ଉକ୍ତ ଛାତ୍ରମାନଙ୍କୁ ପୁଲହ ଛାତ୍ରାବାସକୁ ଆସିବାକୁ କହିଥିଲେ । ସେଠାରେ ଏହି କିନିଷ୍ଠ ଛାତ୍ରଙ୍କ ସହିତ ବରିଷ୍ଠ ଛାତ୍ରଙ୍କ କୌଣସି କାରଣକୁ ନେଇ ବିବାଦ ସୃଷ୍ଟି ‌ହୋଇଥିଲା। ଉକ୍ତ କନିଷ୍ଠ ଛାତ୍ରମାନେ ଛାତ୍ରାବାସକୁ ଫେରି ୱାର୍ଡେନ ଏବଂ ଡିନ୍‌ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଶୃଙ୍ଖଳା କମିଟିକୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା।

ତଦନ୍ତ ରିପୋର୍ଟ ଆସିବା ପରେ ସମୁଦାୟ ୧୫ ଜଣ ଛାତ୍ରଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ଛାତ୍ରାବାସ ଓ କ୍ୟାମ୍ପସ ଛାଡ଼ିବାକୁ ଛାତ୍ର କଲ୍ୟାଣ ଡିନ୍‌ ଗତକାଲି ନିର୍ଦ୍ଦେଶନାମା ଜାରି କରିଥିଲେ। ଶନିବାର ମାର୍ଚ୍ଚ ୧୨ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରାବାସ ଏବଂ କ୍ୟାମ୍ପସ ଛାଡ଼ିବାକୁ ଏଥିରେ କହାଯାଇଥିଲା। ୧୨ ତାରିଖ ଏବଂ ୧୩ ତାରିଖ ବାର୍ଷିକ କ୍ରୀଡ଼ା ଉତ୍ସବ ଥିବା ବେଳେ ୧୪ ରୁ ୧୬ ପର୍ଯ୍ୟନ୍ତ ବାର୍ଷିକ ସାଂସ୍କୃତିକ ଉତ୍ସବ ରହିଛି। ତେଣୁ, ଏହି ଛାତ୍ରମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଦେଶନାମା ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଯଦି ଏହି ଛାତ୍ରମାନେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କ୍ୟାମ୍ପସ ପରିସରରେ ରହିଥାନ୍ତି ଏବଂ ଭବିଷ୍ୟତରେ ଅନ୍ୟ କୌଣସି ବିଶୃଙ୍ଖଳିତ କାର୍ଯ୍ୟକଳାପରେ ଜଡ଼ିତ ରହନ୍ତି, ତେବେ ସେମାନଙ୍କ ଉପରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥି ସହିତ ଛାତ୍ରାବାସର ୱାର୍ଡନଙ୍କୁ ଏହି ଆଦେଶ ପାଳନ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବାକୁ କହାଯାଇଛି। ଏଭଳି ସ୍ଥିତିରେ ସଂପୃକ୍ତ ଛାତ୍ରମାନେ ଆଜି କ୍ୟାମ୍ପସ ଓ ଛାତ୍ରାବାସ ଛାଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର