ଟିକସ ଫାଙ୍କୁଥିବା ଅଭିଯୋଗରେ ଦୁଇ ଦୋକାନ ଉପରେ ଦ୍ରବ୍ୟ ଓ ସେବାକର ବିଭାଗର ଚଢ଼ଉ

ଟିଟିଲାଗଡ଼ : ଟିକସ ଫାଙ୍କୁଥିବା ଅଭି‌ଯୋଗରେ ଶୁକ୍ରବାର ଜିଏସ୍‌ଟି ଓ ଏନ୍‌ଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଟିଟିଲାଗଡ଼ ସହରର ଦୁଇଟି ଦୋକାନ ଉପରେ ଚଢ଼ଉ କରାଯାଇଛି। ସହରର ଠିକାଦାର ପଡ଼ାସ୍ଥିତ ଜୟ ମାତାଦୀ ଟ୍ରେଡ଼ର୍ସ ସମ୍ବଲପୁରୀ ବସ୍ତ୍ର ହୋଲ୍‌ସେଲର ଏବଂ ଆନନ୍ଦ ପ୍ରୋଭିଜନ ଷ୍ଟୋର ଉପରେ ବିଭାଗର ୧୦ ଜଣ ଅଧିକାରୀ ଚଢ଼ଉ କରିଥିଲେ। ଏଥିରେ ଟିଟିଲାଗଡ଼ ପୁଲିସ ବାହିନୀ ସହଯୋଗ କରିଥିଲେ। ଏହି ଅଧିକାରୀମାନେ ବିଭିନ୍ନ କାଗଜପତ୍ର ସହ ଷ୍ଟକ୍‌ ଯାଞ୍ଚ କରିଥିଲେ। ବିଭିନ୍ନ ସାମଗ୍ରୀର ବିଲ୍‌ ଭାଉଚର ଜବତ କରି ତଦନ୍ତ ଆରମ୍ଭ କରିଥିଲେ।

କଳାହାଣ୍ଡି ଏନ୍‌ଫୋର୍ସମେଣ୍ଟ ରେଞ୍ଜର ଡେପୁଟି କମିସନର ତପନ ପାଢ଼ୀଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ  ଅତିରିକ୍ତ ଦ୍ରବ୍ୟ ଓ ସେବା କର ଅଧିକାରୀ ଭବାନୀ ଶଙ୍କର ପଟେଲ, ହରେକୃଷ୍ଣ ସାହୁ, ସହକାରୀ ଅଧିକାରୀ ନୈମିଶ ସାହୁ, ସିଟିଓ କଳାହାଣ୍ଡି ନୀଳାଦ୍ରି ବିହାରୀ ଦଢ଼ିଆ ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ। ଚଢ଼ଉ ଜାରି ରହିଥିବାରୁ କେତେ ପରିମାଣରେ ଟିକସ ଫାଙ୍କିଛନ୍ତି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଡେପୁଟି କମିସନର ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ସହରର ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର