ପ୍ରଦୂଷଣ ତଥ୍ୟ ପ୍ରକାଶରେ ଅସ୍ବଚ୍ଛତା

ପ୍ରସଙ୍ଗ

କିଛି ଦିନ ପୂର୍ବେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଅାନ୍ତଃସରକାରୀ ପ୍ୟାନେଲ୍ (‘ଆଇପିସିସି’) ଏହାର ଜଳବାୟୁ ପରିବର୍ତ୍ତନ ରିପୋର୍ଟ ଜାରି କରି ଭାରତକୁ ଚରମ ଚେତାବନୀ ପ୍ରଦାନ କରିଥିଲା। ଭାରତରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବନ୍ୟା, ବାତ୍ୟା, ଗ୍ରୀଷ୍ମ ଲହର ଭଳି ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପ୍ରାୟ ସୁନିଶ୍ଚିତ ବୋଲି ଏହି ରିପୋର୍ଟରେ ପୂର୍ବାନୁମାନ କରାଯାଇଛି। ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଯେ ଗୁରୁତ୍ବପୂର୍ଣ୍ଣ ତାହା କହିବା ବାହୁଲ୍ୟ ମାତ୍ର। ଏହି ସମୟରେ ସେଣ୍ଟର୍ ଫର୍ ସାଇନ୍‍ସ ଆଣ୍ଡ୍ ଇନ୍‍ଭାଇରୋନ୍‍ମେଣ୍ଟ (ସିଏସ୍‍ଇ) ନାମକ ସଂସ୍ଥା ଦ୍ବାରା ଜାରି କରାଯାଇଥିବା ଏକ ଉଦ୍‍ବେଗଜନକ ରିପୋର୍ଟ ଦର୍ଶାଉଛି ଯେ ଭାରତର ଅଧିକାଂଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସାର୍ବଜନୀନ ଭାବେ ପର୍ଯ୍ୟାପ୍ତ ତଥ୍ୟ ପ୍ରକାଶ କରୁନାହାନ୍ତି।

ଦେଶର ୨୯ଟି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଛଅଟି ପ୍ରଦୂଷଣ ନିୟନ୍ତ୍ରଣ କମିଟିକୁ ନେଇ ସିଏସ୍‍ଇ ତଥ୍ୟ ସ୍ବଚ୍ଛତା ଭିତ୍ତିରେ ଏକ ସୂଚକାଙ୍କ ପ୍ରକାଶ କରିଛି। ବିଗତ ପାଞ୍ଚ ବର୍ଷରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କମିଟିମାନଙ୍କ ଦ୍ବାରା ସାର୍ବଜନୀନ କରାଯାଇଥିବା ବିଭିନ୍ନ ତଥ୍ୟ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଓଡ଼ିଶା ଓ ତେଲେଙ୍ଗାନା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯୁଗ୍ମ ଭାବେ ସର୍ବାଧିକ ୬୭% ପ୍ରତିଶତ ତଥ୍ୟ ପ୍ରଘଟ କରି ଶୀର୍ଷ ସ୍ଥାନରେ ରହିଛନ୍ତି। ଜଳ ଆଇନ, ବାୟୁ ଆଇନ, ଜଳ ସେସ୍ ଆଇନ, ପରିବେଶ ସୁରକ୍ଷା ଆଇନ ଅନୁଯାୟୀ ଏହି ବୋର୍ଡ ଓ କମିଟିମାନେ ବାୟୁ ଓ ଜଳ ପ୍ରଦୂଷଣର ତଥ୍ୟ ସାଙ୍ଗକୁ ଏହାର ନିରାକରଣ, ନିୟନ୍ତ୍ରଣ ବା ହ୍ରାସ ସମ୍ପର୍କିତ ତଥ୍ୟ ସଂଗ୍ରହ ଓ ପ୍ରକାଶ କରିବା ବିଧେୟ। ଏହା ସତ୍ତ୍ବେ କେବଳ ୧୭ଟି ବୋର୍ଡ ଓ କମିଟି ୫୦%ରୁ ଊର୍ଦ୍ଧ୍ବ ସ୍ବଚ୍ଛତା ଅଙ୍କ ହାସଲ କରିବାକୁ ସମର୍ଥ ହୋଇଛନ୍ତି। କେବଳ ୧୨ଟି ରାଜ୍ୟ ସେମାନଙ୍କ ସଦ୍ୟତମ ବାର୍ଷିକ ରିପୋର୍ଟ ପ୍ରକାଶ କରିଛନ୍ତି। ମାତ୍ର ପାଞ୍ଚଟି ବୋର୍ଡ ତିନି ମାସରେ ଅନ୍ୟୂନ ଥରେ ହେବାକୁ ଥିବା ବୈଠକର ବିବରଣୀ ପ୍ରକାଶ କରିଛନ୍ତି।

ସେହିପରି ପ୍ରଦୂଷଣକାରୀ ଶିଳ୍ପ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନୂଆ ପ୍ରକଳ୍ପ ସମ୍ପର୍କିତ ଜନଶୁଣାଣିର ତଥ୍ୟଗୁଡ଼ିକୁ କ୍ବଚିତ ପ୍ରକାଶ କରାଯାଇଥାଏ ଅଥବା େଵବ୍‍ସାଇଟ୍‍ରୁ ସେଗୁଡ଼ିକୁ ଖୋଜିପାଇବା କଷ୍ଟକର ବ୍ୟାପାର ହୋଇଥାଏ। ବର୍ତ୍ତମାନର ପ୍ରଦୂଷଣ ମାତ୍ରା, କଠିନ ବର୍ଜ୍ୟ ପରିଚାଳନା ଆଦି ସୂଚନା ସାର୍ବଜନୀନ କରିବାରେ ମଧ୍ୟ ଅନେକ ବୋର୍ଡ ବିଫଳ ହୋଇଛନ୍ତି। ପ୍ରଦୂଷଣ ସିଧାସଳଖ ଭାବେ ଜଳବାୟୁ ପରିବର୍ତ୍ତନକୁ ପ୍ରଭାବିତ କରୁଥିବାରୁ ସେ ସମ୍ପର୍କିତ ବାସ୍ତବିକ ତଥ୍ୟକୁ ଅନ୍ଧକାରରେ ନ ରଖି ସ୍ବଚ୍ଛତାର ସହ ସେଗୁଡ଼ିକୁ ପ୍ରଘଟ କଲେ ଯାଇ ମୁକାବିଲାର ଉଚିତ ପନ୍ଥା ନିରୂପଣ କରାଯାଇପାରିବ।

ସମ୍ବନ୍ଧିତ ଖବର