କୋରାନା ଗଲାଣି, ତଥାପି ସ୍ବାଭାବିକ ହେଉନି ରେଳସେବା

ଭଦ୍ରକ: କରୋନା ଦୂରେଇଯାଇଛି। ହାଟବଜାର, ସପିଂମଲ୍‌ ସବୁ ଖୋଲା ହେଲାଣି। ସଭାସମିତି ଠାରୁ ଆରମ୍ଭ କରି ମେଳା ମହୋତ୍ସବ, ଯାନିଯାତ୍ରା ବି ବିନା କଟକଣାରେ ଚାଲିଛି। ବସ୍‌ ସେବା ବି ସ୍ବାଭାବିକ ହେଲାଣି। କିନ୍ତୁ ଓଡିଶାରେ ରେଳସେବା ଆଜି ପର୍ଯ୍ୟନ୍ତ ସ୍ବାଭାବିକ ହୋଇନି। ଏବେ ବି ଯାତ୍ରୀମାନେ ଅନ୍‌ଲାଇନରେ ଟିକଟ କାଟି ଯାତ୍ରା କରୁଛନ୍ତି। ଟିକଟ କାଉଣ୍ଟରରେ ମାନୁଆଲ ଟିକଟ ମିଳୁନଥିବାରୁ ସହସା ଦୂର ସ୍ଥାନକୁ ଯିବାକୁ ଥିବା ରୋଗୀ, ଶ୍ରମିକଶ୍ରେଣୀର ଲୋକେ, ବୃଦ୍ଧବୃଦ୍ଧା, ଛାତ୍ରଛାତ୍ରୀ ଟିକଟ କାଟି ନ ପାରି ରେଳସେବାରୁ ବଞ୍ଚିତ ହେଉଛନ୍ତି। ସେମାନେ ବାଧ୍ୟ ହୋଇ ଅଧିକ ଖର୍ଚ୍ଚାନ୍ତ  କରି ବସ ଓ ଘରୋଇଭାବେ ଗାଡି ଭଡା କରି ଯିବାକୁ ବାଧ୍ୟ ହେଉଛନ୍ତି।

କରୋନା ପୂର୍ବରୁ ଚାଲୁଥିବା ସମସ୍ତ ଟ୍ରେନ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ହୋଇନି। ହାତଗଣତି କେ‌େତାଟି ସ୍ପେଶାଲ ଟ୍ରେନ ଚଳାଚଳ କରୁଛି। ସେଥିରେ ପୁଣି ଯାତ୍ରୀମାନଙ୍କ ଠାରୁ ଏକ୍ସପ୍ରେସ ଭଡା ନିଆଯାଉଥିବାରୁ ଯାତ୍ରୀମାନଙ୍କ ଭିତରେ ଅସନ୍ତୋ‌ଷ ତେଜିବାରେ ଲାଗିଛି। ଭଦ୍ରକରୁ ଭୁବନେଶ୍ବର, କଟକ ଓ ଭଦ୍ରକରୁ ଖଡଗପୁର ମଧ୍ୟରେ ଦିନବେଳା ଗୋଟିଏ ଦୁଇଟି ପାସେଞ୍ଜର ଚାଲୁଥିବାରୁ ଯାତ୍ରୀମାନେ ଦୀର୍ଘ ଦୁଇ ବର୍ଷ ହେଲା ହନ୍ତସନ୍ତ ହେଉଛନ୍ତି। ସରକାରୀ ଅଫିସ ସାରି ହେଉ ବା ମୂଲ ମଜୁରି ଲାଗି ଶ୍ରମିକ ଶ୍ରେଣୀର ଲୋକେ ଘରକୁ ଫେରିବା ବେଳକୁ ଟ୍ରେନ ନଥିବାରୁ ହଇରାଣ ହେଉଛନ୍ତି। ସେହିପରି ଜଗନ୍ନାଥ ଏକ୍ସପ୍ରେସ, କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ଇଷ୍ଟକୋଷ୍ଟ ଏକ୍ସପ୍ରେସ ଭଳି ଦ୍ରୁତଗାମୀ ଟ୍ରେନଗୁଡିକର ଅନେକ ଷ୍ଟେସନରେ ରହଣି କରୋନା ଆଳ ଦେଖାାଇ ବାତିଲ କରାଯାଇଥିବା ବେଳେ କରୋନା ପରେ ସେସବୁ ଟ୍ରେନଗୁଡିକର ରହଣି ହେଉନଥିବାରୁ ସମ୍ପୃକ୍ତ ଷ୍ଟେସନର ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏ ନେଇ ଭଦ୍ରକ, ମଞ୍ଜୁରୀରୋଡ, କେନ୍ଦୁଆପଦା, ସୋର, ମାର୍କୋଣା, ରୁପସା, ବସ୍ତା ଆଦି ଷ୍ଟେସନମାନଙ୍କରେ ରେଳରୋକ କରାଯାଇଥିଲା। ତଥାପି ରେଳ ବିଭାଗର ନିଦ ଭାଙ୍ଗୁନାହିଁ। ଅପରପକ୍ଷରେ ଭଦ୍ରକରୁ  ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା  ମେମୁ ଟ୍ରେନ କରୋନା କଟକଣା ପାଇଁ ବନ୍ଦ ହୋଇଥିଲା। ପରେ ଏହି ଟ୍ରେନ ଭଦ୍ରକରୁ ଯାତ୍ରା ଆରମ୍ଭ ନ କରି ବାଲେଶ୍ବରରୁ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର ଅଭିମୁଖେ ଯାଉଛି।

ଏହି ଟ୍ରେନ ବାଲେଶ୍ୱର ଷ୍ଟେସନରୁ ବାହାରି ଭଦ୍ରକ ଷ୍ଟେସନରେ ପହଞ୍ଚିଲା ବେଳକୁ ପ୍ରାୟ ସମସ୍ତ ବାରଟି ବଗିରେ ଯାତ୍ରୀମା‌େନ ଖୁନ୍ଦାଖୁନ୍ଦି ହୋଇ ଯାଉଛନ୍ତି। ଭଦ୍ରକରୁ ଚଢ଼ୁଥିବା ଯାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଭଦ୍ରକ ଷ୍ଟେସନରୁ ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଅଞ୍ଚଳର ଶହ ଶହ ଯାତ୍ରୀ ଭଦ୍ରକରୁ କଟକ ଭୁବନେଶ୍ୱର ଯାଇଥାନ୍ତି। ସରକାରୀ କର୍ମଚାରୀ, ରୋଗୀ, ଛାତ୍ରଛାତ୍ରୀ, ଦୈନିକ ଶ୍ରମିକ ଶ୍ରେଣୀୟ ବ୍ୟକ୍ତି ନିଜ ନିଜ କାର୍ଯ୍ୟରେ ଏହି ଟ୍ରେନଟିକୁ ଗମନାଗମନର ମୁଖ୍ୟ ମାଧ୍ୟମ ରୂପେ ବ୍ୟବହାର କରିଥାନ୍ତି। ମାତ୍ର ଏହି ଟ୍ରେନ ବାଲେଶ୍ବରରୁ ଭଦ୍ରକ ପହଞ୍ଚିବା ବେଳକୁ ଟ୍ରେନରେ ଆଉ ଜାଗା ନଥାଏ। ଏହି ଅସୁବିଧା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିମାସ ରେଳରୋକ କରୁଛନ୍ତି। ଭଦ୍ରକବାସୀଙ୍କ ଏତାଦୃଶ ଅସୁବିଧାର ସମାଧାନ ପାଇଁ ଭଦ୍ରକ ସାଂସଦ ମଞ୍ଜୁଲତ  ମଣ୍ଡଳ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ମେମୁ ଟ୍ରେନରେ ଅତିରିକ୍ତ  ବଗି ବୃଦ୍ଧି, ଭଦ୍ରକ କଟକ ପସେଞ୍ଜର ଟ୍ରେନକୁ ପୁନଃ ପ୍ରଚଳନ କରିବା ଲାଗି ଦାବି କରିଥିଲେ । ମେମୁ ଟ୍ରେନରେ ବଗି ସଂଖ୍ୟା ୧୨ରୁ ୧୬କୁ ବୃଦ୍ଧି ସହିତ ପୂର୍ବପରି ଭଦ୍ରକ- କଟକ ପାସେଞ୍ଜର ଟ୍ରେନକୁ  ଚଳାଚଳ ପାଇଁ ବିଜ୍ଞପ୍ତି ପ୍ରକଶ ପାଇଛି। ଏଥିରେ ସାଂସଦ ଖୁସି ବ୍ୟକ୍ତ କରିଛନ୍ତି। ମାତ୍ର ଭଦ୍ରକରୁ ମେମୁ ଟ୍ରେନ ଯାତ୍ରା ଆରମ୍ଭ କରିବା ଦାବି କରି ବାରମ୍ବାର ରେଳରୋକ କରୁଥିବା ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲାଇ କିନ୍ତୁ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

ରେଳ ବିଭାଗ ମେମୁ ଟ୍ରେନରେ ଅଧିକ ୪ଟି ବଗି ଯୋଡ଼ି ଦେଲେ ସମସ୍ୟାର ସମାଧାନ ହେବ ନାହିଁ। ଏହି ମେମୁ ଟ୍ରେନ ଭଦ୍ରକରୁ ଯାତ୍ରା ଆରମ୍ଭ କରିବା ସହିତ ରେଳସେବା ସ୍ବାଭାବିକ କରିବା ଦାବିରେ ପୁଣି ରେଳରୋକ କରାଯିବ ବୋଲି ଶ୍ରୀ ପଲେଇଙ୍କ ସମେତ ଯାତ୍ରୀ ସୁରକ୍ଷା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର