ଇତିହାସ ରଚିଲା ପୂର୍ବତଟ ରେଳପଥ : ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ

ଦେଶରେ ୪ର୍ଥ, ପ୍ରଥମ ସରକାରୀ ପ୍ରକଳ୍ପ , ୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ, ଖର୍ଚ୍ଚ ୨ କୋଟି

ଭୁବନେଶ୍ବର : ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଇତିହାସ ରଚିଛି ପୂର୍ବତଟ ରେଳପଥ। ଦେଶର ପ୍ରଥମ ସରକାରୀ ସଂସ୍ଥା ଭାବେ ଭାବେ ପୂର୍ବତଟ ରେଳପଥର ମଞ୍ଚେଶ୍ୱରସ୍ଥିତ ରେଳଡବା ମରାମତି କାରଖାନାଠାରେ ବର୍ଜ୍ୟବସ୍ତୁରୁ ଉର୍ଜା ସଂରକ୍ଷଣ ପ୍ରକଳ୍ପ ସ୍ଥାପନ କରାଯାଇଛି। ମାତ୍ର ୩ ମାସ ମଧ୍ୟରେ ବର୍ଜ୍ୟବସ୍ତୁରୁ ଇନ୍ଧନ ପ୍ଲାଣ୍ଟ କାର୍ଯ୍ୟକାରୀ ହୋଇଥିବା ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ପ୍ରକଳ୍ପକୁ ୨୦୨୦ ଜାନୁଆରି ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ପଲିକ୍ରାକ ପ୍ଲାଣ୍ଟ ପାଇଁ ପ୍ରାୟ ୨ କୋଟି ଟଙ୍କା‌ ବ୍ୟୟ କରାଯାଇଛି। ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା, ଭୁବନେଶ୍ୱର ଷ୍ଟେସନଠାରେ ଥିବା କୋଚିଂ ଡିପୋ ସହ ଷ୍ଟେସନର ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଏହି ପ୍ଲାଣ୍ଟ ଦ୍ୱାରା ପ୍ରକ୍ରିୟାକରଣ ହେବ। ଭାରତୀୟ ରେଳପଥରେ ଏହି ପ୍ଲାଣ୍ଟ ପ୍ରଥମଥର ପାଇଁ କାର୍ଯ୍ୟକ୍ଷମ କରାଯାଉଥିବା ବେଳେ ଦେଶରେ ଏହା ଚତୁର୍ଥ ପ୍ଲାଣ୍ଟ ଅଟେ। ୨୦୧୧ ମସିହାରେ ବାଙ୍ଗାଲୋର ସ୍ଥିତ ଇନ୍‌ଫୋସିଟିଠାରେ ଦୈନିକ ୫୦ କେଜି ବର୍ଜ୍ୟବସ୍ତୁ ପରିଚାଳନା ବିଶିଷ୍ଟ ଦେଶର ପ୍ରଥମ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଥିଲା। ୨୦୧୪ରେ ଦିଲ୍ଲୀର ମୋତିବାଗଠାରେ ଦେଶର ଦ୍ଵିତୀୟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି, ଯାହାର ଉପଯୋଗୀ କ୍ଷମତା ଥରକୁ ୫୦ କେଜି ରହିଛି। ସେହିପରି ୨୦୧୯ରେ ହିଣ୍ଡାଲକୋ ଦ୍ୱାରା ତୃତୀୟ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି, ଯାହାର ବର୍ଜ୍ୟବସ୍ତୁ ପରିଚାଳନା ଉପଯୋଗୀ କ୍ଷମତା ଥରକୁ ୫୦ କେ‌ଜି ଥିବା ସୂଚନା ମିଳିଛି। ତେବେ ପୂର୍ବତଟ ରେଳପଥରେ କରାଯାଇଥିବା ପ୍ଲାଣ୍ଟ ଥରକୁ ୫୦୦ କେଜି ବର୍ଜ୍ୟବସ୍ତୁ ପରିଚାଳନା କ୍ଷମତା ରଖିବ। ଏଥିପାଇଁ ବାର୍ଷିକ ୧୦.୪ ଲକ୍ଷ ଟଙ୍କା ପରିଚାଳନା ବାବଦରେ ଖର୍ଚ ହେବ ଏବଂ ୧୭.୫ ଲକ୍ଷ ଟଙ୍କା ଆୟ କରିବାର ଯୋଜନା ରଖାଯାଇଛି। ଗତକାଲି ରେଲୱେ ବୋର୍ଡ ରୋଲିଙ୍ଗ ଷ୍ଟକ୍‌ ମେମ୍ବର ରାଜେଶ ଅଗ୍ରୱାଲ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ତାଙ୍କ ସହ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ପଲିକ୍ରାକ ପଦ୍ଧତି ପ୍ଲାଣ୍ଟ ପ୍ଲାଷ୍ଟିକ, ପେଟ୍ରୋଲ ଜାତ ଆବର୍ଜନା, ୫୦ ଭାଗ ଆର୍ଦ୍ରତା ଥିବା ଏବଂ ଅଲଗା ହୋଇନଥିବା ବିଭିନ୍ନ ପ୍ରକାର ଅଳିଆ, ଇ-ୱେଷ୍ଟ, ଗାଡ଼ିଗୁଡିକର ଆବର୍ଜନା, ଜୈବ ବର୍ଜ୍ୟ ସହିତ ବାଉଁଶ ଜାତୀୟ ପଦାର୍ଥ, ବଗିଚାଗୁଡ଼ିକର ବର୍ଜ୍ୟବସ୍ତୁ, ଅନାବନା ବୃକ୍ଷ ଯଥା ଜାଟ୍ରୋଫା ଫଳ, ଖଜୁରୀ ଜାତୀୟ ଫଳର ଗୋଚ୍ଛାଗୁଡିକୁ ବ୍ୟବହାର କରି ଉର୍ଜା ବା ଇନ୍ଧନ ସୃଷ୍ଟି କରିପାରିବ। ପଲିକ୍ରାକ ପଦ୍ଧତିରେ ମିଶ୍ରିତ ବର୍ଜ୍ୟବସ୍ତୁଗୁଡିକୁ ଅଲଗା ଅଲଗା କରିବା ଦରକାର ପଡ଼ିବନି। ମିଶ୍ରିତ ବର୍ଜ୍ୟବସ୍ତୁକୁ ପଲିକ୍ରାକ ପ୍ଲାଣ୍ଟରେ ସିଧାସଳଖ ପ୍ରକ୍ରିୟାକରଣ କରାଯିବ। ଏହା ଉଚ୍ଚ କ୍ଷମତା ସମ୍ପନ୍ନ ହୋଇଥିବାରୁ ବହଳିଆ ବର୍ଜ୍ୟବସ୍ତୁଗୁଡିକୁ ଶୁଖାଇବା ଦରକାର ନାହିଁ। ବର୍ଜ୍ୟବସ୍ତୁଗୁଡିକୁ ପ୍ରକ୍ରିୟାକରଣ କରାଯାଇ ୨୪ ଘଣ୍ଟା ମଧ୍ୟରେ ଇନ୍ଧନ ସୃଷ୍ଟି କରାଯାଏ। ଏହା ଏକ ସଂଲଗ୍ନ ୟୁନିଟ ହୋଇଥିବାରୁ କାର୍ଯ୍ୟ କରିବା ସମୟରେ ଧୂଳି ବାତାବରଣ ସୃଷ୍ଟି ହୋଇନଥାଏ। ବର୍ଜ୍ୟବସ୍ତୁ ଯେଉଁଭଳି ଆସିଥାଏ ସେଭଳି ବାହାରି ଯାଇଥାଏ। ପ୍ଲାଣ୍ଟର ଆକାର ଛୋଟ ହୋଇଥିବାରୁ ଏହା ବଡ଼ ଜାଗା ଦରକାର କରେ ନାହିଁ। ଏହି ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ଗ୍ୟାସର ଉପଯୋଗ ପ୍ରଣାଳୀକୁ ଇନ୍ଧନ ପାଇଁ କାର୍ଯ୍ୟକାରୀ କରାଇଥାଏ। ଫଳରେ ଏହା ଶକ୍ତିର ଆବଶ୍ୟକତାକୁ ପୂରଣ କରି ପରିଚାଳନାରେ ଖର୍ଚ୍ଚ ହେଉଥିବା ଇନ୍ଧନ ଖର୍ଚ୍ଚକୁ କମ୍‌ କରେ। ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହୋଇଥିବାବେଳେ କମ୍‌ ତାପମାତ୍ରାରେ ଅଣକୁଶଳୀ କାରିଗର ଦ୍ୱାରା ମଧ୍ୟ ସଞ୍ଚାଳିତ ହୋଇପାରିବ।

ସମ୍ବନ୍ଧିତ ଖବର