୨୫ରେ ଲଘୁଚାପ, ୨୭ ଯାଏ ବର୍ଷା : ଚକଡ଼ା ପୋକ ଆଶଙ୍କା, ସତର୍କ କରାଇଲେ ବିଶେଷଜ୍ଞ

ଭୁବନେଶ୍ବର : ଆସନ୍ତା ୨୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ତ୍ରିପୁରା, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ବଢ଼ିବ। ଓଡ଼ିଶାରେ ବଡ଼ ଧରଣର ବର୍ଷା ନାହିଁ। ତେବେ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ‌ଯେ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ୫୦ ମିମିରୁ ଅଧିକ ବର୍ଷା ହୋଇପାରେ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୨୧ ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ନୂଆପଡ଼ା ଓ ନବରଙ୍ଗପୁରର ଅଧିକାଂଶ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ୨୨ରେ କଳାହାଣ୍ଡି, କନ୍ଧମାଳ ସମେତ ଉପକୂଳ ଓ ଉତ୍ତର ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହାପରେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ପରିମାଣ ବଢ଼ିବ। ୨୩ରେ ‌କୋରାପୁଟ, ମାଲକାନଗିରି ଓ ନୂଆପଡ଼ା, ୨୪ରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ବର, କଟକ, ଭଦ୍ରକ, ଗଞ୍ଜାମ, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବା ନେଇ ସତର୍କସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଆସନ୍ତା ୨୧ରୁ ୨୩ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କାଁ ଭାଁ ବର୍ଷା ହୋଇପାରେ। ତେବେ ୨୫ ତାରିଖରେ ଉତ୍ତର ବଙ୍ଗେପସାଗର ଓ ସଂଲଗ୍ନ ସ୍ଥଳ ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର ବାୟୁମଣ୍ଡଳରେ ଦକ୍ଷିଣ ଆଡ଼କୁ ଢ଼ଳି ରହିବ। ଯାହାଦ୍ବାରା ରାଜ୍ୟରେ ବର୍ଷା ହେବ। ଅନୁମାନ କରାଯାଉଛି ଯେ ୨୫ରୁ ୨୭ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକୁ ଛାଡ଼ି ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ୨୫ ତାରିଖ ଦିନ ସାମାନ୍ୟରୁ ମଧ୍ୟମ ଧରଣର ଓ ସ୍ଥା‌ନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ଫୁଲବାଣୀରେ ବର୍ଷା ପରିମାଣ ଅଧିକ ରହିବ। ଗତ ୧୨ ଘଣ୍ଟା ମଧ୍ୟରେ ଚାନ୍ଦବାଲି, ଅନୁଗୁଳ, ଭୁବନେଶ୍ବର, ଭବାନୀପାଟଣା, ସୁନ୍ଦରଗଡ଼, ଦାରିଙ୍ଗବାଡ଼ି, ସମ୍ବଲପୁରରେ ହାଲକା ବର୍ଷା ହୋଇଛି।

ସେ ଆହୁରି କହିଛନ୍ତି ‌ଯେ ବର୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପ ବର୍ଷା ହେଉଛି। ଏଥିସହ ଦିନର ତାପମାତ୍ରା ୩୨ ଡିଗ୍ରି ସେଲସିୟସ୍‌ରୁ ଅଧିକ ରହୁଛି। ଖରା ହେଉଛି, ମଝିରେ ମଝିରେ ଝିପିଝପି ବର୍ଷା ହେଉଛି। ଏହାଦ୍ବାରା ଧାନ ଫସଲକୁ ରୋକପୋକ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ। ବିଶେଷକରି ଚକଡ଼ା ପୋକ ମାଡ଼ିପାରେ। ଚାଷୀମା‌ନେ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଏବେକାର ପାଣିପାଗ ଅଣଧାନ ଫସଲ ଯଥା ଖରିଫ୍ ମୁଗ, ବିରି ଆଦି ଫସଲ ପାଇଁ ସୁହାଇବ।

ସମ୍ବନ୍ଧିତ ଖବର