ଗାନ୍ଧୀ ଜୟନ୍ତୀରୁ ଯୁକ୍ତ୨ କଲେଜରେ ପ୍ଲାଷ୍ଟିକ୍‌ ମନା, ସବୁ କ୍ୟାମ୍ପସରେ ରହିବ ଡଷ୍ଟବିନ୍‌, ହଟିବ ଅବ୍ୟବହୃତ ସାମଗ୍ରୀ

ଭୁବ‌ନେଶ୍ବର : ଗାନ୍ଧୀ ଜୟନ୍ତୀରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ଗୁଡ଼ିକରେ ବନ୍ଦ ହେବ ଏକକ ପ୍ଲାଷ୍ଟିକ୍‌ ବ୍ୟବହାର। କ୍ୟାମ୍ପସକୁ ନୋ ପ୍ଲାଷ୍ଟିକ୍‌ ଜୋନ୍‌ ଭାବେ ଘୋଷଣା କରାଯିବ। କଲେଜର ବିଭିନ୍ନ ସ୍ଥାନରେ ଏ ନେଇ ସଚେତନତାମୂଳକ ହୋଡିଂ ଲାଗାଯିବ। ଛାତ୍ରଛାତ୍ରୀ ଓ କ୍ୟାମ୍ପସକୁ ଆସୁଥିବା ଅତିଥିମାନଙ୍କୁ ଏ ନେଇ ଅବଗତ କରାଯିବ। ଏହାଛଡ଼ା ଅଳିଆ ଆବର୍ଜନା କ୍ୟାମ୍ପସର ଏଣେତେଣେ ପକାଇବା ଉପରେ କଟକଣା ଜାରି ହୋ‌ଇଛି। ପ୍ରତି କଲେଜ ନିଜ କ୍ୟାମ୍ପସରେ ଡଷ୍ଟବିନ୍‌ ରଖି‌ବେ। କଲେଜ ପରିସରରେ ଥିବା ସମସ୍ତ ଭଙ୍ଗା ସାମଗ୍ରୀ, ଅବ୍ୟବହୃତ ସାମଗ୍ରୀଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Shutterstock

କଲେଜଗୁଡ଼ିକ‌ରେ ‘ଲେଟର ଟୁ ବାପୁ’ ଶୀର୍ଷକରେ ଏକ ରଚନା ଲେଖା ପ୍ରତିଯୋଗିତା ଅନୁଷ୍ଠିତ ‌ହେବ। ଛାତ୍ରଛାତ୍ରୀ ଏଥିରେ ଭାଗନେ‌ଇପାରିବେ। ଶ୍ରେଷ୍ଠ ରଚନାକୁ ଅକ୍ଟୋବର ୨ରେ ପୁରସ୍କୃତ କରାଯିବ। ଏହି ଦିନ ସ୍ବଚ୍ଛତା ଶପଥ ଦିବସ ପାଳନ କରାଯିବ। ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ଥାନୀୟ ଲୋକଙ୍କୁ ସାମିଲ କରାଯିବ। ବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବ। କଲେଜସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫଟୋଗ୍ରାଫ୍‌/ଚିତ୍ରକଳା ପ୍ରତିଯୋଗିତା, କାଟୁର୍ନ ଓ ସ୍ଲୋଗାନ କାର୍ଯ୍ୟକ୍ରମ ହେବ। ପ୍ରତି ବିଭାଗରେ ଶ୍ରେଷ୍ଠ ୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମ ଶେଷ ହେବା ପରେ ଯୁକ୍ତ୨ କଲେଜଗୁଡ଼ିକ ଶିକ୍ଷା ନିର୍ଦେଶାଳୟ ନିକଟରେ ଦାଖଲ କରିବେ। ଶ୍ରେଷ୍ଠ ବିବେଚିତ କଲେଜକୁ ‘ଗ୍ରିନ୍‌ ଆଣ୍ଡ କ୍ଲିନ୍‌’ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା‌ ମିଳିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାର୍ଷିକ ଉତ୍ସବରେ ‌ସମ୍ପୃକ୍ତ କଲେଜକୁ ପୁରସ୍କାର ପ୍ରଦାନ କରାଯିବ। ଯେଉଁ କଲେଜର ଅଧ୍ୟକ୍ଷ/ଅଧ୍ୟକ୍ଷା ତଥା ଷ୍ଟାଫ୍‌ରୁମ୍‌ରେ ଗାନ୍ଧୀଜୀଙ୍କ ଫଟୋଚିତ୍ର ନାହିଁ ଏହି ଅବସରରେ ସେଠାରେ ଫଟୋଚିତ୍ର ଲଗାଇବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାନ୍ଧୀଜୀଙ୍କ ନୀତି ଆଦର୍ଶ ତଥା ଜୀବନୀକୁ ଆଧାର କରି ପାଠ୍ୟଚକ୍ର ଆୟୋଜନ କରାଯିବ। ଜାତୀୟ ସାମାଜିକ ସେବା ସଂସ୍ଥା/ସ୍କାଉଟ୍‌/ଗାଇଡ୍‌ମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରି ପୂର୍ବରୁ କରାଯାଇଥିବା ପ୍ରବନ୍ଧ, ଚିତ୍ରକଳା, ସ୍ଲୋଗାନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିବାକୁ ଯୁକ୍ତ୨ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର