କରୋନା ଯୁଦ୍ଧରେ ହାରିଗଲେ ରାଇରଙ୍ଗପୁର ଅତିରିକ୍ତ ଏସ୍‌ପି

ରାଇରଙ୍ଗପୁର: କରୋନା ଯୁଦ୍ଧରେ ହାରିଗଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଶୋକ କୁମାର ପଟ୍ଟନାୟକ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ସେପ୍ଟେମ୍ବର ୧୩ ତାରିଖରେ ଶ୍ରୀ ପଟ୍ଟନାୟକଙ୍କଠାରେ କରୋନା ଲକ୍ଷଣ ଦେଖାଯିବା ପରେ ସେ ଭୁବନେଶ୍ବର ଯାଇ ନିଜର କୋଭିଡ୍ ପରୀକ୍ଷା କରାଇଥିଲେ। ଭୁବନେଶ୍ବରରୁ କର୍ମସ୍ଥଳ ରାଇରଙ୍ଗପୁର ଫେରିବା ପରେ ୧୬ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଚିକିତ୍ସା ପାଇଁ ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ୍ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ସେ। ସେଠାରେ ତିନିଦିନ ଚିକିତ୍ସିତ ହେବା ପରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର କିମ୍‌ସ କୋଭିଡ୍ ହସ୍‌ପିଟାଲ‌୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର କିଡ୍‌ନି ସମସ୍ୟା ଦେଖାଦେଇଥିଲା। ଶେଷରେ ଆଜି ସଂଧ୍ୟାରେ ଶ୍ରୀ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ପୁଲିସ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି। ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ସ୍ମିଥ ପି ପରମାରଙ୍କ ସହ ରାଇରଙ୍ଗପୁର ଏସ୍‌ଡିପିଓ ସ୍ନେହାଶିଷ ସାହୁ, ବହୁ ପୁଲିସ ଅଧିକାରୀ, କର୍ମଚାରୀ ଓ ବୁଦ୍ଧିଜୀବୀ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର