ରାମକୃଷ୍ଣ ମଠ ଓ ମିସନ୍‌ର ଶତବାର୍ଷିକୀ ସମାରୋହ : ଆଧ୍ୟାତ୍ମିକ ଜାଗୃତିରୁ ସଫଳତା ମିଳିଥାଏ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମାନବିକତା ଓ ସେବା ଆଧାରରେ ଶ୍ରୀରାମକୃଷ୍ଣ ଓ ସ୍ବାମୀ ବିବେକାନନ୍ଦ ଏକ ଆଧ୍ୟାତ୍ମିକ ଯୁଗର ଆରମ୍ଭ କରିଥିଲେ। ବେଦ ଆଧାରିତ ଜ୍ଞାନକୁ ନେଇ ଭାରତୀୟ ଆଧ୍ୟାତ୍ମିକତାର ଭାଇଚାରାକୁ ପୁନର୍ଜୀବିତ କରିବା ସ୍ବାମୀଜୀଙ୍କ ମିସନ୍ ଥିଲା।‌ ସ୍ବାମୀଜୀଙ୍କ ଦ୍ବାରା ଆଧ୍ୟାତ୍ମିକତାର ଜାଗୃତି ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଯଥେଷ୍ଟ ପ୍ରଭାବ ପକାଇଥିଲା। ପରବର୍ତୀ ସମୟରେ ମହାତ୍ମା ଗାନ୍ଧୀ ଏହାକୁ ଆଗେଇ ନେଇଥିଲେ। ଜୀବନରେ ଯେ କୌଣସି ସଫଳତା ଆଧ୍ୟାତ୍ମିକ ଜାଗୃତିରୁ ହିଁ ଆରମ୍ଭ ହୋଇଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଭୁବନେଶ୍ବର ରାମକୃଷ୍ଣ ମଠ ଓ ମିସନ୍‌ର ଶତବାର୍ଷିକୀ ସମାରୋହ ରାମକୃଷ୍ଣ ମଠ ପରିସରରେ ଉଦ୍‌ଘାଟିତ ହୋଇଛି। ମଠର ଉପସଭାପତି ଶ୍ରୀମଦ୍‌ ସ୍ବାମୀ ବାଗିଶାନନ୍ଦ ଜୀ ମହାରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ଭୁବନେଶ୍ବରର ପବିତ୍ରତା ଓ ଆଧ୍ୟାତ୍ମିକତାରେ ପ୍ରେରଣା ପାଇଁ ସ୍ବାମୀ ବ୍ରହ୍ମାନନ୍ଦଜୀ ଏଠାରେ ମିସନ୍ ପ୍ରତିଷ୍ଠା କରିଥିଲେ। ବିଶ୍ବର ଅନେକ ସାଧୁସନ୍ଥଙ୍କୁ ଆକର୍ଷିତ କରିବାରେ ମିସନ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆଧ୍ୟାତ୍ମିକତା ଆଡ଼କୁ ଯିବା ପାଇଁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ମିସନ୍‌ର ଶାନ୍ତିପୂର୍ଣ୍ଣ ବାତାବରଣ ବରଦାନ ସଦୃଶ୍ୟ। ‌ସେହିପରି ଶ୍ରୀ ରାମକୃଷ୍ଣ ଓ ସ୍ବାମୀ ବିବେକାନନ୍ଦଙ୍କୁ ଆଦର୍ଶ ରୂପେ ଗ୍ରହଣ କରି ମିସନ ସ୍ବାସ୍ଥ୍ୟ ଓ ଶିକ୍ଷା ସହିତ ଅନେକ ସାମାଜିକ କାର୍ଯ୍ୟକ୍ରମକୁ ଗ୍ରହଣ କରିଛି। ମିସନ୍‌ ପରିସରରେ ସହରର ଅନ୍ୟତମ ପୁରୁଣା ପାଠାଗାର ରହିଛି। ବର୍ଷ ବର୍ଷ ଧରି ଏହା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଗବେଷକଙ୍କ ପାଇଁ ଜ୍ଞାନ ଆହରଣର ମାଧ୍ୟମ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା କହିଲେ, ଏହି ସ୍କୁଲର ଛାତ୍ର ହିସାବରେ ମୋ ଜୀବନରେ ରାମକୃଷ୍ଣ ମଠ ଓ ମିସନ୍‌ ଯଥେଷ୍ଟ ପ୍ରଭାବ ପକାଇଛି। ଶ୍ରୀ ରାମକୃଷ୍ଣ, ସ୍ବାମୀ ବିବେକାନନ୍ଦ ଓ ସାରାଦା ଦେବୀଙ୍କ ବାଣୀ ମୋର ବ୍ୟକ୍ତିତ୍ବ ପରିବର୍ତ୍ତନରେ ଯଥେଷ୍ଟ ସହାୟକ ହୋଇଛି ବୋଲି ଶ୍ରୀ ପଣ୍ଡା କହିଥିଲେ। ରାମକୃଷ୍ଣ ମିସନ୍‌ ଭୁବନେଶ୍ବର ସଂପାଦକ ସ୍ବାମୀ ଆତ୍ମପ୍ରଭାନନ୍ଦ ପ୍ରାରମ୍ଭିକ ଅଭିଭାଷଣରେ ମିସନ୍‌ର ବିଭିନ୍ନ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ମିସନ୍‌ ପକ୍ଷରୁ ଏକ ଦ୍ବିଭାଷୀ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବେଲୁଡ଼ ରାମକୃଷ୍ଣ ମଠର ଟ୍ରଷ୍ଟି ସ୍ବାମୀ ଦିବ୍ୟାନନ୍ଦ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ଡି.ପି ବାଗଚୀ ଉପସ୍ଥିତ ଥିଲେ। ଶେଷରେ ଚଣ୍ଡୀ ଦାସ ଧନ୍ୟବାଦ ଦେଇଥିଲେ। ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ସାଧୁସନ୍ଥମାନେ ଏକାଠି ହେବା ସହିତ ଆଧ୍ୟାତ୍ମିକତା ସଂପର୍କରେ ଆଲୋଚନା କରିବେ।

ସମ୍ବନ୍ଧିତ ଖବର