ସୋନାଙ୍କ ‘ରଙ୍ଗବତୀ….’ ରିମିକ୍ସ କଲା ରେକର୍ଡ : କୋକ୍ ଷ୍ଟୁଡିଓ ୟୁଟ୍ୟୁବ୍ ଚାନେଲରେ ୪୪ ନିୟୁତ ଥର ଦେଖିଲେଣି ଦର୍ଶକ

ଭୁବନେଶ୍ୱର: ଏମ୍ ଟିଭି କୋକ୍ ଷ୍ଟୁଡ଼ିଓରେ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ…..’ର ରିମିକ୍ସ ପ୍ରସ୍ତୁତ କରି ଏକଦା ବିବାଦ ଘେରକୁ ଆସିଥିବା ଓଡ଼ିଆ ଗାୟିକା ସୋନା ମହାପାତ୍ର ଏବେ ସେ ସଂପର୍କିତ ଏକ ଭଲ ଖବର ସୋସିଆଲ୍ ମିଡ଼ିଆରେ ସେୟାର କରିଛନ୍ତି । ଗୁରୁବାର ନିଜ ଫେସବୁକ୍ ପେଜରେ ଏକ ପୋଷ୍ଟରେ ସୋନା ଜଣାଇଛନ୍ତି କି ୟୁଟ୍ୟୁବରେ ଥିବା କୋକ୍ ଷ୍ଟୁଡ଼ିଓର ଅଫିସିଆଲ୍ ଚାନେଲରେ ‘ରଙ୍ଗବତୀ….’ଗୀତକୁ ସର୍ବାଧିକ ଥର ଦେଖିଛନ୍ତି ଦର୍ଶକ । ସୋନାଙ୍କ ମୁତାବକ ପ୍ରାୟ ୪୪ ନିୟୁତ ଅର୍ଗାନିକ ଭିଉ ହୋଇ ‘ରଙ୍ଗବତୀ….’ଏକ ସର୍ବକାଳୀନ ରେକର୍ଡ କରିଛି ।

ନିଜ ଫେସବୁକ୍ ପୋଷ୍ଟରେ ସୋନା ଲେଖିଛନ୍ତି , ମୋର ‘ରଙ୍ଗବତୀ…’କୋକ୍ ଷ୍ଟୁଡ଼ିଓ ଇଣ୍ଡିଆର ସମସ୍ତ ସିଜିନର ଗୀତଗୁଡ଼ିକ ମଧ୍ୟରେ ସର୍ବାଧିକ ଆଦୃତି ପାଇଛି । ୪୪ ନିୟୁତ ରିୟଲ୍,ଅର୍ଗାନିକ ଭିଉଜ ! ଏହା ଗୌରବମୟ ସମ୍ବଲପୁରୀ-ଓଡ଼ିଆ ସଂସ୍କୃତିର ସୌନ୍ଦର୍ଯ୍ୟକୁ ପ୍ରତିପାଦିତ କରୁଛି ।

ଉଲ୍ଲେଖଯୋଗ୍ୟ, କୋକ୍ ଷ୍ଟୁଡିଓ ଲାଗି ପ୍ରସ୍ତୁତ ‘ରଙ୍ଗବତୀ…’ର ପ୍ରସାରଣ ପରେ ସମ୍ବଲପୁରୀ ଉଚ୍ଚାରଣରେ ତ୍ରୁଟି ଯୋଗୁଁ ସମାଲୋଚନାର ଶିକାର ହୋଇଥିଲେ ସୋନା ମହାପାତ୍ର । ଏଥି ସହ ‘ରଙ୍ଗବତୀ…’ଗୀତର ଲେଖକ ଓ ସଙ୍ଗୀତ ନିର୍ଦ୍ଦେଶକଙ୍କ ଅନୁମତି ନିଆଯାଇ ନ ଥିବାରୁ ସୋନାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । କପିରାଇଟ୍  ଆଇନ ଉଲ୍ଲଂଘନ ଅଭିଯୋଗରେ ‘ରଙ୍ଗବତୀ…’ର ଗୀତିକାର ମିତ୍ରଭାନୁ ଗୌନ୍ତିଆ ଓ ସ୍ୱରକାର ପ୍ରଭୁଦତ୍ତ ପ୍ରଧାନ ୧ କୋଟି ଟଙ୍କା କ୍ଷତି ପୂରଣ ଦାବି କରି ମାମଲା କରିଥିଲେ ।

‘ରଙ୍ଗବତୀ…’ରିମିକ୍ସ ସଙ୍ଗୀତ ନିର୍ଦ୍ଦେଶନା ସୋନାଙ୍କ ସ୍ୱାମୀ ରାମ ସଂପତ୍ତ ଦେଇଥିଲେ । ଏଥିରେ ଓଡ଼ିଆ ଗାୟକ ଋତୁରାଜ ମହାନ୍ତି ସହାୟକ ଗାୟକ ଥିଲେ ।

ସମ୍ବନ୍ଧିତ ଖବର