ରଥ ନିର୍ମାଣ କାମକୁ ମାସେ ପୂରିଲା : ୪୨ରୁ ସରିଲା ୩୯ ଚକ, ଆଗେଇ ଚାଲିଛି କଣ୍ଟାକାମ

ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟକୁ ଆଜି ମାସେ ପୂରିଛି। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ୪୨ ଚକ ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ୩୯ଟି ଚକ କାମ ଶେଷ ହୋଇଛି। ନନ୍ଦିଘୋଷ ରଥର ୧୬ଟିରୁ ୧୫ଟି ଚକ କାମ ଶେଷ ହୋଇଥିବା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥର ୧୪ଟି ଚକରୁ ୧୩ଟି ଓ ସୁଭଦ୍ରାଙ୍କ ଦର୍ପଦଳନ ରଥର ୧୨ଟି ଚକରୁ ୧୧ଟି ଚକ କାମ ଶେଷ ହୋଇଛି। ବାକି ତିନି ଚକ କାମ ଶୀତଳଷଷ୍ଠୀ ପୂର୍ବରୁ ସାରିବାକୁ ବିଶ୍ୱକର୍ମା ଓ ଭୋଇ ସେବକମାନେ ଲକ୍ଷ୍ୟ ରଖିଛନ୍ତି। ସେପଟେ ଗୟଳ କାମ ବି ଆଗେଇ ଚାଲିଛି। ନନ୍ଦିଘୋଷ ରଥ ପାଇଁ ଗୟଳ ଚିରଟ କାମ ଭୋଇ ସେବକଙ୍କ ଦ୍ୱାରା ଶେଷ ହୋଇଥିବା ବେଳେ ବଳଭଦ୍ରଙ୍କ ରଥ ପାଇଁ ଗୟଳ ଚିରଟ କାମ ଦୋଳବେଦିଠାରେ ଆଗେଇ ଚାଲିଛି। ଅଖ କାମ ବି ଶେଷ ପର୍ଯ୍ୟାୟ‌ରେ ପହଞ୍ଚିଛି। ରୂପକାର ସେବକମାନେ ଗୁଜ, କୋଣଗୁଜ କାମ ଆଗେଇ ନେଇଛନ୍ତି। ରଥଖଳାରେ ରୂପକାର ସେବକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରଥକାଠକୁ ରୂପ ଦେବାରେ ଏମାନଙ୍କର ପ୍ରମୁଖ ଭୂମିକା ରହିଥାଏ। ପ୍ରାଥମିକ ପର୍ଯ୍ୟାୟରେ କୋଣଗୁଜ କାମ ଆରମ୍ଭ ହୋଇଥିବା ବେଳେ ରୂପକାର ସେବକମାନେ ଏହାକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ରଥ ପାଇଁ ୧୬ଟି ଲେଖା ଏବଂ ସୁଭଦ୍ରାଙ୍କ ରଥ ପାଇଁ ୧୨ଟି କୋଣଗୁଜ (ନୃସିଂହ ମୂର୍ତି) ହେବାର ପରମ୍ପରା ରହିଛି। କୋଣଗୁଜ କାମ ଶେଷ ପରେ ନାଟଗୁଡ଼ୁ କାମ ଆରମ୍ଭ ହେବ। ତିନି ରଥର ୮ଟି ଲେଖା ୨୪ଟି ନାଟଗୁଡ଼ୁ ହେବାର ବିଧି ରହିଛି। ନାଟଗୁଡ଼ୁ ପରେ ପଟାଗୁଜ କାମ ଆରମ୍ଭ ହେବ। ଶୀତଳ ଷଷ୍ଠୀ ସୁଦ୍ଧା ଚକଡେରା କାମ ସରିବା ପରେ ଏହି କାମ ଆରମ୍ଭ ହେବ। ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୧୨ଟି ଲେଖା ଓ ଦର୍ପଦଳନ ରଥର ୮ଟି ପଟାଗୁଜ କାମ ହେବ। ଯେଉଁଥିରେ ହାତୀ, ମଇଁଷି ଆଦି ଚିତ୍ର ଅଙ୍କାଯିବ। ପରେ ୩ ରଥ ପାଇଁ ତିନିଟି ସିଂହାସନ ମୁହାଣ୍ଟି, ତିନିଟି ଚାର ମୁହାଣ୍ଟିଆ, ତିନିଟି ପ୍ରଭା କାମ ହେବ। ଶେଷରେ ମଗର, ଇଶ, ଆଶା, ଜୁଆଳି ଆଦି କାମ ହେବ।

ରଥ ନିର୍ମାଣ ପାଇଁ ଦୋଳବେଦି କମାରଶାଳ ବି ଚଳଚଞ୍ଚଳ ହୋଇଉଠିଛି। ଓରା ସେବକଙ୍କ ଦ୍ୱାରା ଅରକଣ୍ଟା, ପନ୍ଦାରୀ, ପନ୍ଦାରୀ ଚାବି ଓ ବଳା କାମ ଶେଷ ହୋଇଛି। ଏହା ପରେ ଓଝା ସେବକମାନେ ଦଠାକଣ୍ଟା ଓ ପୋଖରିଆ କାମ ଆରମ୍ଭ କରିବେ। ସୂଚନାଯୋଗ୍ୟ, ତିନି ରଥ ପାଇଁ ମୋଟ ୧୦୬ ଦଠାକଣ୍ଟା ଓ ୧୧୭ ପୋଖରିଆ ଆବଶ୍ୟକ। ନନ୍ଦିଘୋଷ ରଥ ପାଇଁ ୪୦ଟି ଦଠାକଣ୍ଟା ଓ ୪୮ଟି ପୋଖରିଆ ଆବଶ୍ୟକ। ସେହିପରି ତାଳଧ୍ୱଜ ରଥ ପାଇଁ ୩୮ଟି ଦଠାକଣ୍ଟା, ୩୯ଟି ପୋଖରିଆ ଏବଂ ଦର୍ପଦଳନ ପାଇଁ ୨୮ଟି ଦଠାକଣ୍ଟା, ୩୦ଟି ପୋଖରିଆ ଆବଶ୍ୟକ। ସେପଟେ ତିନି ରଥର ଚକ ପାଇଁ ଆବଶ୍ୟକ ୮୪ଟି ପନ୍ଦାରୀ, ୮୪ଟି ବଳା ଓ ୩୩୬ଟି ପନ୍ଦାରୀ ଚାବି କାମ ଶେଷ ହୋଇଛି। ନନ୍ଦିଘୋଷ ରଥ ପାଇଁ ୧୬ଟି ଚକକୁ ୩୨ଟି ପନ୍ଦାରୀ ଆବଶ୍ୟକ ଥିବାବେଳେ ବଳା ୩୨ଟି ଆବଶ୍ୟକ। ସେହିପରି ତାଳଧ୍ୱଜ ରଥର ୧୪ଟି ଚକ ପାଇଁ ୨୮ଟି ପନ୍ଦାରୀ ଓ ୨୮ଟି ବଳା ଆବଶ୍ୟକ। ଦର୍ପଦଳନ ରଥ ପାଇଁ ୧୨ଟି ଚକ ପାଇଁ ୨୪ଟି ପନ୍ଦାରୀ ଓ ୨୪ଟି ବଳା ଆବଶ୍ୟକ। ଚକ ପିଛା ୪ଟି ଲେଖା ଚାବି ଆବଶ୍ୟକ। ଦଠାକଣ୍ଟା ଓ ପୋଖରିଆ ଶେଷ ପରେ ଗୟଳ, ଛନ୍ଦା ଗୟଳ, ଜୋଖା, ଭୂଇଁ, କତରା, ଚାର ପଡ଼ିଶା, ନିରାଡ଼ି, ଆଗିଆଣି (ନିରାଡ଼ି), ପଛିଆଣି (ନିରାଡ଼ି), ପାର୍ଶ୍ୱ (ଶିକ ଡମ୍ୱରୁ) ପୋଟଳ, ଦୁଆର, କଳସୀ, ସିଂଘାସନ ପାଇଁ ଆବଶ୍ୟକ ଲୌହ ସାମଗ୍ରୀ ପ୍ରସ୍ତୁତ ହେବ।

ସମ୍ବନ୍ଧିତ ଖବର