ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଶୁଭାରମ୍ଭ

ପୁରୀ: ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ବିଜେ ହେଲା ଆଜ୍ଞାମାଳ। ରଥଖଳାରେ ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରାଇବା ପରେ ତିନିରଥ ନିର୍ମାଣ ପାଇଁ କାମ ଆରମ୍ଭ ହେଲା। ତିନି ରଥର ମୁଖ୍ୟ ବିଶ୍ବକର୍ମା ଓ ଭୋଇ ସେବକମାନେ ଶାଢ଼ୀ ବନ୍ଧାଇ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କଲେ। ବେଶ ଉତ୍ସାହ ମଧ୍ୟରେ ମହାପ୍ରଭୁଙ୍କ ରଥ ତିଆରି କାମ ଆଜିଠାରୁ ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ମହାପ୍ରଭୁଙ୍କ ନୀତି ସହଳ ହୋଇଥିଲା। ଦ୍ବାରଫିଟା ପରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢିଥିଲା। ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ଯାତ ଭୋଗ ଓ ମଧ୍ୟାହ୍ନ ଧୂପ ହୋଇଥିଲା। ଏହା ପରେ ଦ୍ବାଦଶ ଯାତ୍ରା ବନ୍ଦାପନା ସରିବା ପରେ ବିମାନକୁ ଦିଅଁ ବିଜେ କରିଥିଲେ। ସଂଧ୍ୟା ବେଳକୁ ରଥ ଆଜ୍ଞାମାଳ ଶ୍ରୀଅଙ୍ଗରୁ ବାହାରିଥିଲା। ତିନି ବାଡ଼ର ପୂଜାପଣ୍ଡା ରଥ ଆଜ୍ଞାମାଳକୁ ଧରି ରଥଖଳାକୁ ବିଜେ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବେଦ ମନ୍ତ୍ରରେ ପୂଜା ହୋଇ ରହିଥିବା ତିନି ରଥର ତିନିଖଣ୍ଡ କାଠରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଶ୍ରୀମନ୍ଦିର ପୁରୋହିତମାନେ ପୂଜାର୍ଚ୍ଚନା କରିଥିଲେ। ସୁନା କୁରାଢ଼ୀରେ ରଥକାଠ ସ୍ପର୍ଶ କରାଯାଇଥିଲା। ଏହା ପୂର୍ବରୁ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ବକର୍ମା ବିଜୟ ମହାପାତ୍ର, ବିଶ୍ବକର୍ମା ଶ୍ୟାମସୁନ୍ଦର ମହାପାତ୍ର, ସନାତନ ମହାପାତ୍ର, ତାଳଧ୍ବଜ ରଥର ଲକ୍ଷ୍ମଣ ମହାପାତ୍ର (ରଥ ଅମିନ), ନରସିଂହ ମହାପାତ୍ର, ରଘୁନାଥ ସୁବୁଦ୍ଧି, ଶ୍ୟାମସୁନ୍ଦର ମହାରଣା, ଦେବଦଳନ ରଥର କୃଷ୍ଣଚନ୍ଦ୍ର ମହାରଣା, ସୁରେନ୍ଦ୍ର ମହାରଣାଙ୍କୁ ଶାଢ଼ୀ ବନ୍ଧାଯାଇଥିଲା। ସେମାନେ ତିନି ରଥର ତିନିଖଣ୍ଡ କାଠରେ ରଥ ନିର୍ମାଣ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର