ରୋଷଘରେ ଚୁଲି ଭଙ୍ଗା: ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବିଜୟ ମହାପାତ୍ରଙ୍କ ସମାଲୋଚନା

ଭୁବନେଶ୍ୱର: ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମନ୍ଦିର ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲା। ତା’ସତ୍ତ୍ବେ ଏଭଳି ଘଟଣା ଘଟିଲା। ସେଥିପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ଦାୟୀ। ତାଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। କାହାକୁ ସୁରକ୍ଷା ଦିଆ ନଯାଉ। ଜଣେ ଏସପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବା କଥା । କିନ୍ତୁ କେହି ନାହାନ୍ତି ଏବଂ ଘଟଣା ଦିନ ମଧ୍ୟ ସୁରକ୍ଷା ଅଧିକାରୀ କେହି ନ ଥିଲେ।

ଶ୍ରୀମନ୍ଦିର ସୁରକ୍ଷା ନେଇ ଗତ ୨୦୧୯ ନଭେମ୍ବର ୪ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ଚାରିଟି କ୍ଷେତ୍ରରେ ଅବମାନନା କରୁଛନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ବେ ସ୍ଥାୟୀ ପ୍ରଶାସକ ନିଯୁକ୍ତ କରିନାହାନ୍ତି, ଯାହାକି କୋର୍ଟର ନିର୍ଦ୍ଦେଶର ଅବମାନନା। ତା’ ସହ ଚତୁଃପାର୍ଶ୍ୱରେ ବିକାଶ ପାଇଁ ସେହି କାମ କରି ହେବ ଯେଉଁଥିରେ କୌଣସି ଆପତ୍ତି ନଥିବ। ଟେମ୍ପଲ ଫଣ୍ଡର ଅଡିଟ ସିଏଜିଙ୍କ ଦ୍ୱାରା ହେଉନାହିଁ। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ରାଜ୍ୟ ସରକାର। ଆର୍ଥିକ ସ୍ୱାର୍ଥ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ବଡ଼ବାବୁମାନେ ଏଭଳି କାମ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରନ୍ତୁ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଯେଉଁ ବିବାଦ ଚାଲିଛି, ତାକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର। ସେ କହିଛନ୍ତି, ସଂସଦରେ ଏହି ପ୍ରସଙ୍ଗ ଉଠିବା ପରେ ମଧ୍ୟ ଏଏସଆଇ ଓ ଏନଏମଏ ଚୁପ ରହିଛନ୍ତି। ଏଥିରୁ ତାଙ୍କର ଅବହେଳା ଜଣାପଡ଼ୁଛି । ଏଏସଆଇ କୌଣସି ଏକ୍ସପର୍ଟ ଟିମ୍ ନପଠାଇ ମଧ୍ୟ ଭୁଲ କରୁଛନ୍ତି। ଗାତ ଖୋଳିବା ସ୍ଥାନରେ ବର୍ତ୍ତମାନ ଟ୍ରକ ଟ୍ରକ ବାଲି ଭର୍ତ୍ତି କରାଯାଉଛି। ଯେହେତୁ ବେଆଇନ କାମ ହୋଇଥିଲା, ତେଣୁ ବାଲି ଭର୍ତ୍ତି କରାଯାଉଛି। ଏଏସଆଇ ଓ ଏନଏମଏ ଟିମ ତୁରନ୍ତ ପଠାନ୍ତୁ।

ଜିଲ୍ଲାପାଳଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଦେବା ବେଆଇନ। ଆରଡିସିସ୍ତରର ଅଫିସର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିବା କଥା।

ସମ୍ବନ୍ଧିତ ଖବର