ବିପଦରେ ମଠ ସଂସ୍କୃତି : ଗୁଣ୍ଡାଙ୍କ ଭୟରେ ଲୁଚୁଛନ୍ତି ମହନ୍ତ

ପୁରୀ : ଶ୍ରୀମନ୍ଦିର ସହ ଯୋଡ଼ି ହୋଇ ରହିଛି ମଠ ସଂସ୍କୃତି। ପୁରୀର ମଠ ଗୁଡ଼ିକ ଐତିହ୍ୟ। ମାତ୍ର ଏବେ ଏହି ସବୁ ଐତିହ୍ୟ ଗୁଣ୍ଡାଙ୍କ କବ୍‌ଜାକୁ ଚାଲିଗଲାଣି। ମହନ୍ତ ମାନଙ୍କୁ ହତ୍ୟା ଧମକ ଦେଇ ତଡ଼ି ଦିଆଯାଉଛି। ଲୁଟି ନେଉଛନ୍ତି ଦୁର୍ମୂଲ୍ୟ ଦେବଦେବୀଙ୍କୁ। ଏହାପରେ ମଠକୁ ଦଖଲ କରି ଚାଲିଛି ବେପାର। କୋଟି କୋଟି ଟଙ୍କାର ମୂଲ୍ୟବାନ ସମ୍ପତ୍ତି କବ୍‌ଜା କରି ବସିଛନ୍ତି। ଶ୍ରୀମନ୍ଦିର ଠାରୁ ଅନତି ଦୂରରେ ରହିଛି ବୈଷ୍ଣବ ସମ୍ପ୍ରଦାୟର ରେବେସା ମଠ। ଏହି ମଠ ଅଧା ଏକରରୁ ଅଧିକ ଜମିରେ ଅବସ୍ଥିତ। ପ୍ରାୟ ୫୫ ରୁ ୬୦ଏକର ଭୂ ସମ୍ପତ୍ତି ରହିଛି। ମଠ ଭିତରେ ବହୁ ଦୁର୍ମ୍ୟୂଲ୍ୟ ମୂର୍ତ୍ତୀ ମାନ ଥିଲା। ହେଲେ ଏବେ ସେସବୁ କିଛି ନାହିଁ। ୫ମାସ ପୂର୍ବେ ମଠକୁ କବ୍‌ଜା କରିବାକୁ ୭/୮ଜଣ ଗୁଣ୍ଡା କରିଥିଲେ ଯୋଜନା। ତଦନୁଯାୟୀ ଆସି ମଠ ଭିତରେ ବସା ଉଠା କଲେ। ଧିରେ ଧିରେ ମଠରେ ଖାଇବା ଆରମ୍ଭ କଲେ। ନିୟମିତ ମଠରେ ବସିଲେ। ମହନ୍ତ ବାରଣ କରିବାରୁ ବିବାଦ ବି ଉଠିଥିଲା। ଏହାପରେ ମଠ ଭିତରେ ଚାଲିଲା ନିଶା କାରବାର। ନିଶା ବେପାର ଠାରୁ ସେବନ ହେଲା ନିୟମିତ। ପୁଲିସକୁ ଜଣାଇଲେ ଜୀବନ ଯିବାର ଭୟ ଯୋଗୁ ନୀରବ ରହିଲେ।

ଥରଟିଏ ପୁଲିସ ଜାଣି ହସ୍ତକ୍ଷେପ କରିଥିଲା। ମାତ୍ର କିଛିଦିନ ପରେ ପୂର୍ବ ସ୍ଥିତି। ୩ମାସ ପୂର୍ବେ ସମ୍ପୃକ୍ତ ୭/୮ଜଣ ଗୁଣ୍ଡ ବନ୍ଧୁକ ସମେତ ମାରଣାସ୍ତ୍ର ଧରି ମଠରେ ପଶିଲେ। ମଠରେ ଥିବା ବହୁ ଦୁର୍ମୂଲ୍ୟ ମୂର୍ତ୍ତି ଗୁଡ଼ିକ ଲୁଟି ନେଲେ। ସମସ୍ତ ସାମଗ୍ରୀ ଲୁଟିବା ପରେ ମହନ୍ତଙ୍କୁ ନିସ୍ତୁକ ପିଟିଲେ। ଲହୁଲୁହାଣ କରିଦେଲେ। ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। କୌଣସି ପ୍ରକାର ଜୀବନ ନେଇବାହାରି ଆସିଲେ ମହନ୍ତ। ରକ୍ତ ଜୁଡ଼ୁବୁଡ଼ୁ ସ୍ଥିତିରେ ଏବେ ସେ ଲୁଚି ରହିଛନ୍ତି। ମଠକୁ ଯିବାକୁ ସାହସ କରୁନହାନ୍ତି। ପୁଲିସ ଓପ୍ରଶାସନ ମଧ୍ୟ ଏପରି ଡକାୟତି ଏବଂ ହତ୍ୟା ଉଦ୍ୟମ ଘଟଣାରେ କୌଣସି ପଦକ୍ଷେପ ନେଇ ନାହିଁ। ମଠକୁ ପ୍ରଶାସନ ଜଗିଥିବା କହୁଥିବା ବେଳେ କେବଳ ବାହାରେ ପଡ଼ିଛି ତାଲା। ଭିତରେ ଗୁଣ୍ଡାମାନେ ଚଳାଇଛନ୍ତି ତାଙ୍କ ଦୌରାତ୍ମ୍ୟ। ନଜର ଏବେ ମଠ ଥିବା ୧୫କୋଟି ଟଙ୍କାର ଜମି ଉପରେ। ମଠକୁ ଦଖଲରେ ନେଇ ଜମି ହଡ଼ପ କରିବାକୁ କିଛି ଗୁଣ୍ଡା ଲାଗିଛନ୍ତି। ଏଥିରେ ଦେବ‌ୋତ୍ତର ବିଭାଗ ହସ୍ତକ୍ଷେପ ନକଲେ ରେବେସା ମଠ ପରିଚୟ ହଜିଯିବ।

ସୂଚନାଯୋଗ୍ୟ, ପୂର୍ବରୁ ଏକାଧିକ ମଠ ଗୁଣ୍ଡା ମାନଙ୍କ କବ୍‌ଜାକୁ ଯାଇଛି। ଏହାପରେ ସେହି ସବୁ ମଠର ଅସ୍ତିତ୍ବ ହଜି ଯାଇଛି।

ସମ୍ବନ୍ଧିତ ଖବର