ଭାତହାଣ୍ଡିରେ ମାଡ଼, ୩୦ ବର୍ଷ ହେଲା ପଡ଼ିଆ ପଡ଼ିଛି ନାଳିଜମି

ଅନୁଗୁଳ: ଚାଷବାସ ବନ୍ଦ। ପୁଣି ବର୍ଷେ କି ଦି ବର୍ଷ ନୁହେଁ, ଦୀର୍ଘ ୩୦ ବର୍ଷ ହେଲା ବିଲକୁ ହଳ ଯାଇନାହାନ୍ତି। ଗାଁ ନାଳି ଜମି ପଡ଼ିଆ ପଡ଼ିଛି। ଲୋକମାନେ ଚାଷ କରିବେ ବୋଲି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଡଅଁରା ଗାଁର ଏହି ୬୫ ଏକର ଚାଷ ଜମିକୁ ଏମସିଏଲ୍ ଅଧିଗ୍ରହଣ ନ କରି ଛାଡ଼ି ଦେଇଥିଲା। କିନ୍ତୁ ଜମି କଡ଼ରେ କୋଇଲା ଖୋଳାଯିବା ସହ ଜମିକୁ ଯାଇଥିବା ରାସ୍ତାରେ ମାଟି ପକାଇ କୃ୍ତ୍ରିମ ପାହାଡ଼ ଏମ୍‌ସିଏଲ ଛିଡ଼ା କରିବା ପରେ ଗାଁର ଭାତହାଣ୍ଡି କୁହାଯାଉଥିବା ଏହି ଜମିରେ ଚାଷ ଆଉ ସମ୍ଭବ ହେଉନି। ଏଥିରେ ଏବେ କୋଇଲା ଖଣି ଓ ୱାର୍କସପ୍‌ର ଦୂଷିତ ଜଳ ଲହଡ଼ି ଭାଙ୍ଗୁଛି ।

ଡଅଁରା ଗାଁ ୧୦୮୦ ଏକରରୁ ଅଧିକ ଜମି ଅଧିଗ୍ରହଣ କରାଯାଇଥିଲାବେଳେ ଚାଷ ପାଇଁ ୬୫ ଏକର ଜମି ଛାଡ଼ି ଦିଆଯାଇଥିଲା। ଏହି ଚାଷ ଜମି ଗାଁ କଡ଼ରେ ରହିଥିଲା। ନାଳି ଜମି ହୋଇଥିବାରୁ ଏଥିରେ ଚାଷ କରି ଭଲ ଫସଲ ଉତ୍ପାଦନ କରିବାକୁ ଚିନ୍ତା କରିଥିଲେ ଲୋକେ। କିନ୍ତୁ ଆରମ୍ଭରୁ ଏହି ଜମିକୁ ରାସ୍ତା ବନ୍ଦ କରିଦେଲେ ଏମ୍‌ସିଏଲ କର୍ତ୍ତୃପକ୍ଷ। ଗାଁ ପାଖରେ କୋଇଲା ଖଣି ହେବାରୁ ଏଠାରୁ ବାହାରୁଥିବା ମାଟି ଗଦାଇ ଏକ କୃତ୍ରିମ ପାହାଡ଼ ତିଆରି କରିଦେଲେ। ଫଳରେ ଚାଷ ଜମିକୁ ପାଖାପାଖି ୫ କିମି ରାସ୍ତା ବୁଲି ବୁଲି ଯିବାକୁ ପଡ଼ିଲା। ପୁଣି ଏହି ରାସ୍ତା ବି ବିପଦମୁକ୍ତ ନୁହଁ। ଗାଁରୁ ଜମିରେ ପହଂଚିବା ପାଇଁ ଏମ୍‌ସିଏଲର ପରିବହନ ରାସ୍ତା ପାର୍ ହୋଇ ଯିବାକୁ ପଡ଼ିବ। ଏଥିରେ ଦିନକୁ ହଜାର ହଜାର ଟ୍ରକ ଯାଉଥିବାରୁ ଜମିକୁ ଯିବା ପାଇଁ ନିରାପଦ ମନେ କରୁନାହାନ୍ତି ଶ୍ରମିକ। ଏପଟେ ରେଳ ଲାଇନ ବି ବାଟରେ ରହିଛି। ତେଣୁ ହଳ, ବଳଦ ନେଇ ଜମିକୁ ଯିବା ଆଉ ସମ୍ଭବ ହେଉନି।

ଡଅଁରା ଗାଁ ଚାଷ ଜମିର ୧୦ ଫୁଟ ଦୂରରେ ରହିଛି ଖୋଲା ମୁହଁ କୋଇଲା ଖଣି। ପୁଣି ଏହି ଖଣିରେ କୌଣସି ପାଚେରି ନାହିଁ। ମଝିରେ ମଝିରେ ମାଟି ଅତଡ଼ା ବି ଧସୁଛି। ତେଣୁ ଏଠାରେ ଗୃହପାଳିତ ପଶୁଙ୍କ ପ୍ରତି ବିପଦର ଆଶଙ୍କା କରୁଛନ୍ତି ଚାଷୀ। ତେବେ ଚାଷ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ପାଣି। କାରଣ ଜମି କଡ଼ରେ ୩ ଶହ ଫୁଟ ଗଭୀର କୋଇଲା ଖଣି ଥିବାରୁ ଜମିରେ ପାଣି ରହୁନି। ଜଳଧାର ସବୁ ଶୁଷ୍କ ହୋଇଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପାଖାପାଖି ୩୦ ବର୍ଷ ହେଲା ଏମିତି ସମସ୍ୟାରେ ଧନ୍ଦି ହେଉଛନ୍ତି ଡଅଁରାର ହଜାରେରୁ ଅଧିକ ଚାଷୀ। ତେଣୁ ସେମାନେ ଏହି ଚାଷ ଜମି ଥାଇ ଆଉ ଲାଭ କ’ଣ ବୋଲି ପ୍ରଶ୍ନ କରିଛନ୍ତି। ଗ୍ରାମବାସୀ ଦୁଃଶାସନ ପ୍ରଧାନଙ୍କ କହିବାନୁଯାୟୀ, ଚାଷଜମିକୁ ଲାଗି କରି ଖୋଲାମୁହଁ କୋଇଲା ଖଣି ରହିଛି। ତେଣୁ ଜମିରେ ପାଣି ରହୁନି। ଜମିରେ ପାଣି ନ ହେଲେ ଚାଷ କେମିତି ହେବ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ଚାଷୀ ସତ୍ୟ ନାରାୟଣ ସାହୁଙ୍କ କହିବାନୁଯାୟୀ, ଗାଁରୁ ଦୁଇ ଶହ ମିଟର ଦୂରରେ ଏହି ଚାଷ ଜମି ରହିଥିଲା। କିନ୍ତୁ ମାଟି ଗଦାଇ କୃତ୍ରିମ ପାହାଡ଼ କରି ଦିଆଯିବା ପରେ ଜମିକୁ ଯିବା ପାଇଁ ୫ କିମି ବୁଲିବାକୁ ପଡ଼ୁଛି। ପୁଣି ପରିବହନ ରାସ୍ତା ଓ ରେଲ ଲାଇନକୁ ପାର ହେବାକୁ ପଡ଼ିବ। ଏହା ବିପଦପୂର୍ଣ୍ଣ ଓ ବ୍ୟୟସାପେକ୍ଷ ହୋଇଥିବାରୁ ବର୍ଷ ବର୍ଷ ଧରି ଗାଁରେ ଚାଷବାସ ବନ୍ଦ ହୋଇଗଲାଣି ବୋଲି ସେ କହିଛନ୍ତି। ଅପରପକ୍ଷରେ ଏହି ଜମିକୁ ତୁରନ୍ତ ଏମସିଏଲ ଅଧିଗ୍ରହଣ କରିନେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମ୍ୟ କମିଟି ସଭାପତି ରତ୍ନାକର ସାହୁ କହିଛନ୍ତି, ଏମ୍‌ସିଏଲ ଏହି ୬୫ ଏକର ଜମି ଚାଷ ପାଇଁ ଛାଡିଦେଇଥିଲା। କିନ୍ତୁ ଏଠାରେ ଚାଷ କରିବାର ସବୁ ବାଟ ବନ୍ଦ ହୋଇଯାଇଛି। ତୁରନ୍ତ ଏମ୍‌ସିଏଲ ଏହି ଜମି ଅଧିଗ୍ରହଣ କରିବା ସହ ୩୦ ବର୍ଷ ଚାଷ ନ ହୋଇଥିବାର କ୍ଷତିପୂରଣ ଦେଉ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର