ସ୍ବୀକୃତିପ୍ରାପ୍ତ ସ୍କୁଲ ତାଲିକାକୁ ନେଇ ବିବାଦ : ୪୦୦ ସ୍କୁଲ ପିଲାଙ୍କ ଭବିଷ୍ୟତ ନେଇ ଆଶଙ୍କା

ଓପେପା ପ୍ରକଳ୍ପ ନିର୍ଦେଶକଙ୍କୁ ଭେଟିଲା ଅଭିଭାବକ ମହାସଂଘ

ଭୁବନେଶ୍ବର : ରାଜ୍ୟରେ ଛତୁ ଫୁଟିଲା ପରି ଖୋଲିଛି ଇଂରାଜୀ ମାଧ୍ୟମ ସ୍କୁଲ। ସ୍ବୀକୃତି ଥାଉ କି ନଥାଉ ପିଲାଙ୍କ ନାମଲେଖାଇ କୋଟି କୋଟି ଟଙ୍କା ନେଉଛନ୍ତି। ଏନେଇ ଅଭିଭାବକଙ୍କ ପକ୍ଷରୁ ବାରମ୍ବାର ଦାବି ପରେ ଶିକ୍ଷାବର୍ଷ ଅଧାରେ ଗଣଶିକ୍ଷା ବିଭାଗ ନିଦ ଭାଙ୍ଗିଛି। ଗତ ୬ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସ୍ବୀକୃତି ପାଇଥିବା ସ୍କୁଲ ତାଲିକା ପ୍ରକାଶ କରିବା ପରେ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଗତକାଲି ଓପାଫ୍‌ ପକ୍ଷରୁ ନିଷ୍ପତ୍ତିକୁ ବିରୋଧ କରାଯାଇଥିବା ବେଳେ ଆଜି ଓଡ଼ିଶା ଅଭିଭାବକ ମହାସଂଘ ଓପେପା ପ୍ରକଳ୍ପ ନିର୍ଦେଶକଙ୍କୁ ଭେଟିଛି। ଅଣସ୍ବୀକୃତିପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ଏଥିସହ ଯେଉଁ ଛାତ୍ରଛାତ୍ରୀ ଏପରି ବିଦ୍ୟାଳୟରେ ପଢ଼ୁଛନ୍ତି ସେମାନଙ୍କ ଭବିଷ୍ୟତ ଯେମିତି ପ୍ରଭାବିତ ନ ହେବ ସେଥିପ୍ରତି ଦୃଷ୍ଟି ହେବାକୁ ଦାବି କରାଯାଇଛି।

ଏପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଉଚିତ ପଦକ୍ଷେପ ନିଆଯାଇଛି। ଯେଉଁ ସ୍କୁଲଗୁଡ଼ିକର ଭିତ୍ତିଭୂମି ରହିଛି ସେମାନଙ୍କୁ ସ୍ବୀକୃତି ମିଳିଛି। ଯେଉଁମାନଙ୍କର ନାହିଁ ସେମାନଙ୍କୁ ମିଳିନି। ଯେଉଁ ସ୍କୁଲଗୁଡ଼ିକ ତାଲିକାରେ ନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଚଢ଼ଉ କରାଯାଇ ବନ୍ଦ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଧମକ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଏଭଳି ଧମକ ପରେ ବିବାଦ ଦେଖାଦେଇଛି। ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ବିଜ୍ଞପ୍ତିକୁ ନେଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ସ୍ବୀକୃତି ପ୍ରଦାନରେ ପକ୍ଷପାତିତା ହୋଇଥିବା ଅଭିଯୋଗ କରାଯାଇଛି। ସ୍କୁଲ କର୍ତୃପକ୍ଷମାନେ କହିଛନ୍ତି ଯେ ମାଧ୍ୟମିକ ଶିକ୍ଷା ନିର୍ଦେଶକ କେଉଁ ଆଧାରରେ ସ୍କୁଲଗୁଡ଼ିକୁ ସ୍ବୀକୃତି ପ୍ରଦାନ କରିଛନ୍ତି। କେଉଁ ବର୍ଗର ସ୍କୁଲଗୁଡ଼ିକ ପାଇଁ ଏହି ନିୟମ ପ୍ରଯୁଜ୍ୟ। ତାଲିକାଟି କେବଳ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ କାହିଁକି ହୋଇଛି? ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଠିକ୍‌ ରହିଛି କି? ନା ଯେଉଁ ସ୍କୁଲଗୁଡ଼ିକଠାରୁ ଗଣଶିକ୍ଷା ବିଭାଗ ଅଧିକାରୀମାନେ ଟଙ୍କା ହାତେଇଛନ୍ତି ସେମାନଙ୍କୁ ସ୍ବୀକୃତି ଦେଇଛନ୍ତି। ତାଲିକାରେ ୩ଟି ଜିଲ୍ଲାର ଗୋଟିଏ ବି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସ୍ବୀକୃତି ପାଇ ନ ଥିବା ବେଳେ ୩ଟି ଜିଲ୍ଲାର ଗୋଟିଏ ଲେଖାଏ ସ୍କୁଲ ସ୍ବୀକୃତି ପାଇଛନ୍ତି। ଏହାର ସତ୍ୟତା ଯାଞ୍ଚ ହେବା ଦରକାର।

ଅଭିଭାବକମାନେ ବି ସମାନ ଢ଼ଙ୍ଗରେ ତାଲିକା‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିଛନ୍ତି ଯେ ଏବେ ରାଜ୍ୟରେ ୭୦୦ରୁ ଅଧିକ ଇଂରାଜୀ ମାଧ୍ୟମ ସ୍କୁଲ ରହିଛି। ସେଥିମଧ୍ୟରୁ ମାତ୍ର ୨୯୧ ବିଦ୍ୟାଳୟକୁ ସ୍ବୀକୃତି ପାଇଛନ୍ତି। ତେବେ ବାକି ୪୦୦ ସ୍କୁଲଙ୍କ ଭାଗ୍ୟ କ’ଣ? ସେଠାରେ ଯେଉଁ ପିଲାମାନେ ନାମ ଲେଖାଇଛନ୍ତି ସେମାନଙ୍କ ଭବିଷ୍ୟତ କ’ଣ ହେବ। ଶିକ୍ଷାବର୍ଷ ଅଧାରେ ଯଦି ଅଣସ୍ବୀକୃତିପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଏ ତେବେ ପିଲାଙ୍କୁ କେଉଁଠି ପଢ଼ାଇବୁ ବୋଲି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ, ସତ୍ୟବ୍ରତ ପରିଜା, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ ପ୍ରମୁଖ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର