ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଶଯ୍ୟା ସଂଖ୍ୟା ୫୦୦କୁ ବଢ଼ିବ, ଶିଶୁ ଭବନର ହେବ ନବକଳେବର

କଟକ: ସଜେଇ ହେଉଛି କଟକ ସହର। କଟକର ବିକାଶ ପାଇଁ ସରକାର ଅନେକ ନୂଆ ନୂଆ ‌ଯୋଜନା ହାତକୁ ନେଉଥିବାବେଳେ କଟକ ବଡଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏସ୍‌ସିବି ସହିତ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁଭବନର ମଧ୍ୟ ନବକଳେବର ଓ ସଂପ୍ରସାରଣ କରାଯିବ ସେ ସଂପର୍କରେ ଶୁକ୍ରବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

କର୍କଟ କେନ୍ଦ୍ରରେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଇ ୫୦୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ଶିଶୁଭବନରେ ମଧ୍ୟ ଅଧିକ ୩୦୦ ବେଡ୍‌ ବୃଦ୍ଧି ପାଇଁ ଯୋଜନା କରାଯାଇଛି।

Sambad

ତେବେ କର୍କଟ କେନ୍ଦ୍ର ସଂପ୍ରସାରଣ ପାଇଁ ରେଡ୍‌କ୍ରସ୍‌ ରକ୍ତ ଭଣ୍ଡାର, ପୁଲିସ କ୍ବାର୍ଟସ ସବୁ ଉଠାଯାଇ ସେହି ସ୍ଥାନକୁ ଖାଲି କରାଯିବା ପାଇଁ ଯୋଜନା କରାଯାଇଛି। ଏହାର ଚୂଡାନ୍ତ ରୂପରେଖ ବା ମାଷ୍ଟର ପ୍ଲାନ୍‌ ଖୁବ୍‌ଶୀଘ୍ର ପ୍ରସ୍ତୁତ କରାଯିବ। ଅନ୍ୟପଟେ ଏସ୍‌ସିବି ନବକଳେବର ଯୋଜନାରେ ଏହାର ନିର୍ମାଣ କାର୍ଯ୍ୟ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ସାରିବା ପାଇଁ ଯୋଜନା ହୋଇଥିବା ଆରଡିସିଙ୍କ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା। ଆଚାର୍ଯ୍ୟ ହରିହରର ସଂପ୍ରସାରଣ ପାଇଁ ରେଡକ୍ରସ୍‌ ବ୍ଲଡ୍‌ ବ୍ୟାଙ୍କ, ପୁଲିସ କ୍ବାର୍ଟସ ସବୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ଯୋଜନା କରାଯାଇଛି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନବକଳେବର ପାଇଁ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବା ସହ ଜବରଦଖଲରେ ଥିବା ଅଂଚଳରୁ କିପରି ଉଚ୍ଛେଦ ପ୍ରକ୍ରିୟା କରାଯିବ, କର୍କଟ କେନ୍ଦ୍ରକୁ ବାହାରୁ ଆସୁଥିବା ରୋଗୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା, ଇଣ୍ଡୋର ରୋଗୀ ସେବା, ଓଟିର ଆଧୁନିକୀକରଣ, ଓଟି ସଂଖ୍ୟା ବୃଦ୍ଧି, ବିଭାଗଗୁଡିକର ସଂପ୍ରସାରଣ ତଥା ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ସଂପର୍କରେ ଯୋଜନା କରାଯାଇଥିବା କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ ବିଭିନ୍ନ ପ୍ରସ୍ତାବ ଦେବା ସହ ତାରି ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ କେନ୍ଦ୍ରାଞ୍ଚଳ ଆୟୁକ୍ତ ଶ୍ରୀ ସାମଲ ଆଲୋଚନା ମାଧ୍ୟମରେ କହିଲେ ଯେ, ଶିଶୁ ଭବନର ମଧ୍ୟ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହେଉଛି। ବର୍ତ୍ତମାନ ଶିଶୁ ଭବନରେ ୪୧୬ ଶଯ୍ୟା ରହିଛି। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ତାରାକାନ୍ତ ମିଶ୍ର, ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ, ଡାକ୍ତର ନିରଞ୍ଜନ ରାଉତ୍‌, ଏସ୍‌ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ରୁଦ୍ର ନାରାୟଣ ଦାସ, ରାଜସ୍ୱ ଅଯୁକ୍ତଙ୍କ ଅତିରିକ୍ତ ସଚିବ ବିବେକାନନ୍ଦ ସାହୁଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ଏସ୍‌ସିବି ନବକଳେବର ପାଇଁ ୭୦୦ ସରକାରୀ କ୍ବାର୍ଟର୍ସ, ୩୩ଟି ସରକାରୀ କାର୍ଯ୍ୟାଳୟ, ଜବରଦଖଲରେ ଥିବା କ୍ବାର୍ଟସ ସବୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପ୍ରକ୍ରିୟା ସରିବା ସହ ଏଇକମ୍‌ କମ୍ପାନି ନିର୍ମାଣ ହେବାକୁ ଥିବା କୋଠାଗୁଡିକ କେବେ ନିର୍ମାଣ ଆରମ୍ଭ କରାଯିବ, ସେ ସଂପର୍କରେ ଆଜି ସମୀକ୍ଷା କରାଯାଇଥିଲା। ଯେହେତୁ ଉଚ୍ଛେଦ ପ୍ରକ୍ରିୟା ସରିଛି ତେଣୁ ଖୁବ୍‌ଶୀଘ୍ର ଏସ୍‌ସିବିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଆରଡିସି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର