ଓଡ଼ିଆ ଡାକ୍ତରଙ୍କ ନେତୃତ୍ବରେ କରୋନା ଗବେଷଣା : ୩ଟି ପର୍ଯ୍ୟାୟରେ ଚାଲିଛି ପରୀକ୍ଷା

କଟକ/ମାଣିଆବନ୍ଧ : କୋଭିଡ୍‌-୧୯ ପାଇଁ ଆରମ୍ଭ ହୋଇଛି ଭ୍ୟାକ୍‌ସିନ୍, କିଟ୍ ପ୍ରସ୍ତୁତି ତଥା ବିଭିନ୍ନ ପ୍ରକାର ଗବେଷଣା। ଦିଲ୍ଲୀସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇମ୍ୟୁନୋଲୋଜି (ଏନ୍‌ଆଇଆଇ)ର ବା‌ୟୋ ଟେକ୍ନୋଲୋଜି ବିଭାଗ ଏବେ କୋଭିଡ୍‌-୧୯ ପାଇଁ ୨୪ ଘଣ୍ଟା କାମରେ ଲାଗିଛି। କିପରି ଓ କେତେଶୀଘ୍ର କୋଭିଡ୍‌-୧୯ ବା କରୋନା ଭାଇରସ୍‌ ପାଇଁ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରାଯିବ, ତାହା ସେମାନଙ୍କ ପାଇଁ ବଡ ଆହ୍ବାନ। ଏଭଳି ଏକ ଗବେଷଣାର ଏବେ ନେତୃତ୍ବ ନେଉଛନ୍ତି ଏନ୍ଆଇଆଇର ନିର୍ଦ୍ଦେଶକ ତଥା କଟକ ଜିଲ୍ଲା ମାଣିଆବନ୍ଧର ପୁଅ ଡାକ୍ତର ଅମୂଲ୍ୟ କୁମାର ପଣ୍ଡା।

ଡା. ଅମୂଲ୍ୟ ପଣ୍ଡାଙ୍କ ଘର କଟକ ଜିଲ୍ଲା ବଡମ୍ବା ବ୍ଲକ୍‌ କଙ୍କଡାଯୋଡି ଗ୍ରାମରେ। ଡା. ପଣ୍ଡାଙ୍କ କହିବା ଅନୁସାରେ, କୋଭିଡ୍‌-୧୯ ମୁକାବିଲା ପାଇଁ ତଥା ଭାକ୍‌ସିନ୍‌ ପ୍ରସ୍ତୁତି ପାଇଁ ଏକ କୋର୍‌ ଟିମ୍‌ ଗଠନ କରାଯାଇଛି। ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କୁ ଏହି ଟିମ୍‌ରେ ସାମିଲ କରାଯାଇଛି। ମୁଖ୍ୟତଃ ତିନୋଟି ଦିଗରେ ଏବେ ଏନ୍‌ଆଇଆଇ କାମ ହାତକୁ ନେଇଛି। ପ୍ରମଥଟି ହେଉଛି ଭାକ୍‌ସିନ୍‌ ପ୍ରସ୍ତୁତ କରିବା, ଦ୍ବିତୀୟଟି ହେଉଛି ଔଷଧ ପ୍ରସ୍ତୁତି ଓ ବର୍ତ୍ତମାନ ସମୟରେ କେଉଁ ଔଷଧକୁ ‌କରୋନା ଭାଇରସ୍‌ ପାଇଁ ବ୍ୟବହାର କରାଯାଇପାରିବ। ଇତିମଧ୍ୟରେ ସୁସ୍ଥ ହୋଇଥିବା ରୋଗୀମାନଙ୍କ ଦେହରେ କେଉଁ ପ୍ରତିରୋଧକ ଶକ୍ତି ରହିଛି, ତାହାକୁ ମଧ୍ୟ ଏହି ଟିମ୍‌ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।

CNN.com

ଇଟାଲି, ଜର୍ମାନୀ କରୋନା ଭୂରାଣୁର ଜିନ୍‌ ଭିନ୍ନ ଭିନ୍ନ ‌ରହିଛି। ‌ତେଣୁ ତାହା ଏକ ବାଧକ ଭାବେ କାମ କରୁଛି। କୋଭିଡ୍‌ -୧୯ର ଭୂତାଣୁ ଅନ୍ୟ ଭୂତାଣୁଠାରୁ ଅଲଗା ବୋଲି କୁହାଯାଉଛି। ଭୂତାଣୁର ଏକ ଅଲଗା ଗଠନ ରହିଥାଏ। କିନ୍ତୁ କରୋନା ଭାଇରସ୍‌ର ଗଠନ ଭିନ୍ନ ଭିନ୍ନ ଦେଶରେ ଭିନ୍ନ ରହିଥିବା ମଧ୍ୟ ଏବେ ଗବେଷଣାରୁ ଦେଖିବାକୁ ମିଳିଛି। ଥରେ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ହୋଇଗଲା ପରେ ତିନୋଟି ପର୍ଯ୍ୟାୟରେ ଏହାକୁ ପରୀକ୍ଷା କରାଯିବ। ପ୍ରଥମେ ମୂଷା ଦେହରେ ଏହାକୁ ପ୍ରାୟୋ‌ଗ କରାଯିବ। ତାପରେ ଠେକୁଆ ଓ ଶେଷରେ ମାଙ୍କଡ ଦେହରେ ଏହାକୁ ପରୀକ୍ଷା କରାଯିବ ବୋଲି ‘ସମ୍ବାଦ’କୁ କହିଛନ୍ତି ଡାକ୍ତର ପଣ୍ଡା।

ଡାକ୍ତର ପଣ୍ଡାଙ୍କ ନେତୃତ୍ବରେ ପୂର୍ବରୁ କର୍କଟ ରୋଗ ପାଇଁ ଏକ ଭ୍ୟାକ୍‌ସିନ୍‌ ତିଆରି କରାଯାଇଥିଲା। ଡାକ୍ତର ପଣ୍ଡା ଓଡିଶା ସରକାର କରୋନା ମୁକାବିଲା ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିବା ସହିତ ସମସ୍ତ ଓଡିଶାବାସୀ ସରକାରଙ୍କ ନିୟମକୁ ମାନନ୍ତୁ ‌ବୋଲି ନିବେଦନ କରିଛନ୍ତି। ଡାକ୍ତର ପଣ୍ଡାଙ୍କ ବାପା ସ୍ବର୍ଗତ ଅଦ୍ବୈତ ଚରଣ ପଣ୍ଡା ଜଣେ ଫାର୍ମାସିଷ୍ଟ ଥିଲେ। ଅଂଚଳରେ ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ। ପରିବାରରେ ତାଙ୍କର ମା’ ଏବଂ ୨ ଭାଇ ଓ ଜଣେ ଭଉଣୀ ଅଛନ୍ତି।

ସମ୍ବନ୍ଧିତ ଖବର