ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା : ଯାଜପୁରର ବହୁ ଅଧିକାରୀଙ୍କୁ ଛାଟ

ଯାଜପୁରଟାଉନ/ସଦର/ଦାନଗଦୀ/ବରୀ : କରୋନା ଭୂତାଣୁ ସାରା ବିଶ୍ବରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସଂକଟଜନକ ସମୟରେ କାର୍ଯ୍ୟରେ ଅବହେଳା କାରଣରୁ ଦାନଗଦୀ ଏବିଡିଓ, ୫ ଆରଏମ୍‌ସି କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେହିପରି ଜିଲ୍ଲାପାଳ ଦୁଇ ସିଡିପିଓ ଏବଂ ବରୀ ସିଏଚ୍‌ସିର ମୁଖ୍ୟଙ୍କୁ କୈଫିୟତ ତଲବ କରିଛନ୍ତି। ଅନ୍ୟପଟେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ୫ ଜଣ ଡାକ୍ତରଙ୍କୁ କର୍ତ୍ତବ୍ୟରେ ଅବହେଳା କାରଣରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି।

ଗତକାଲି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ସମୟରେ କାର୍ଯ୍ୟରତ ଡାକ୍ତରମାନଙ୍କ ମଧ୍ୟରୁ ୫ ଜଣ ଡାକ୍ତର ଅନୁପସ୍ଥିତ ଥିଲେ। ଏହି ଡାକ୍ତରମାନେ ହେଲେ ଡାକ୍ତର ପ୍ରଭାତ ସ୍ବାଇଁ, ଆଇ‌.କେ. ରାୟ, ପି. ପିତି, ଅରୁଣ ସାମଲ,ଏସ୍‌.ଏସ୍‌. ସାହୁ। ଡେପୁଟି କଲେକ୍ଟର ବୀରକିଶୋର ସାହୁ ଡାକ୍ତରଖାନା ଗସ୍ତରେ‌ ଯାଇଥିବା ବେଳେ ଏମାନେ ଅନୁପସ୍ଥିତ ରହିଥିଲେ। ଏ ସମ୍ପର୍କରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତରମାନଙ୍କୁ କାରଣ ଦର୍ଶାଅନୋଟିସ୍‌ ଜାରି କରିଛନ୍ତି। ସେମାନଙ୍କ ବିରୋ‌ଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ତାହାର ଉତ୍ତର ୩ ଦିନ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଜିଲ୍ଲାସ୍ତରୀୟ ଅଧିକାରୀ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର କକ୍ଷ ପ୍ରସ୍ତୁତିରେ ଅବହେଳା ଓ ଅପ୍ରସ୍ତୁତ ହୋଇପଡ଼ିଥିବା କକ୍ଷକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ସମୟରେ ମୁଖ୍ୟ ଚକିତ୍ସ‌ାଧିକାରୀ ‌ଡାକ୍ତର ହେମନ୍ତ କୁମାର ମହାରଣ୍ୟ ଅନୁପସ୍ଥିତ ଥିବା ଦୃଷ୍ଟିକୁ ଆସିଥିଲା। ସଂପୃକ୍ତ ଅଧିକାରୀଙ୍କୁ କରୋନା କାର୍ଯ୍ୟରେ ଅବହେଳା ଓ ଅନୁପସ୍ଥିତ ଥିବା କାରଣକୁ ନେଇ ଜିଲ୍ଲାପାଳ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି।

ସେହିପରି, ଜିଲ୍ଲାପାଳଙ୍କ ଗସ୍ତ ବେଳେ ଯାଜପୁର ସିଡିପିଓ ସରିତା ନାୟକ ଓ ଧର୍ମଶାଳା ସିଡିପିଓ ସଂଯୁକ୍ତା ସାହୁ ମଧ୍ୟ କାର୍ଯ୍ୟରେ ଅନୁପସ୍ଥିତ ଥିବା ଦେଖାଯାଇଥିଲା। ଏଭଳି ସଂକଟମୟ ପରିସ୍ଥିତିରେ କ’ଣ ପାଇଁ ସେମାନେ କାର୍ଯ୍ୟରେ ଅବହେଳା କରିଛନ୍ତି, ସେ ନେଇ ଜିଲ୍ଲାପାଳ କୈଫିୟତ ତଲବ କରିଛନ୍ତି। ଦାନଗଦୀ ଏବିଡିଓ ଅଜୟ କୃଷ୍ଣ ଦ୍ବିବେଦୀଙ୍କୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିବା ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି। ଦାନଗଦୀ ଏବିଡିଓ ଶ୍ରୀ ଦ୍ବିବେଦୀ କାର୍ଯ୍ୟ ପରିଚାଳନାରେ ଅସହଯୋଗ କରୁଥିବା ଅଭିଯୋଗ ‌ହୋଇଛି। ଜିଲ୍ଲାପାଳ ୫ଜଣ ଆର୍‌ଏମ୍‌ସି କର୍ମଚାରୀ ସାମନ୍ତ ଭିକାରୀ ଚରଣ ଧୀର, ନରେଶ ଚନ୍ଦ୍ର ସାହୁ, ଚିତ୍ତରଂଜନ ନାୟକ, ସହଦେବ ମଲିକ ଓ ଗଦାଧର ସାହୁଙ୍କୁ ନିଲମ୍ବନ କରିଛନ୍ତି। ଏଥିସହ ସମସ୍ତ କର୍ମଚାରୀ ସଦରମହକୁମା ନଛାଡ଼ିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସରକାର ଜଟିଳ, ଆଂଶିକ ଜଟିଳ ଓ ଜଟିଳ ନୁହେଁ ଏଭଳି ୩ଟି ସ୍ତର ଧାର୍ଯ୍ୟ କରି କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ତା’ମାନେ ନୁହେଁ କର୍ମଚାରୀମାନେ ନିଜ ଇଚ୍ଛାନୁସାରେ ଏଣେତେଣେ ବୁଲିବେ। ଏହାକୁ କଡ଼ାକଡ଼ି ଭା‌ବେ ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର