ବିଜେଡି ରାଜ୍ୟ ପରିଷଦ ବୈଠକ : ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ପାଇଁ ପ୍ରସ୍ତାବ

ଭୁବନେଶ୍ବର: ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନଙ୍କ ଉଦବୋଧନ ସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିଭାବକଙ୍କ ମନରେ ଆଗ୍ରହ ବଢାଇବ । ରାଜ୍ୟ ପରିଷଦ ବୈଠକରେ ଯେଉଁ ପ୍ରସ୍ତାବ ଆସିଛି ତାହା ମଧ୍ୟରୁ ସବୁଠୁ ବଡ଼ ପ୍ରସ୍ତାବଟି ହେଉଛି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ୍ ସଂରକ୍ଷଣ । ଲଗାତାର ଭାବରେ ସରକାରୀ ସ୍କୁଲରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମୁହଁ ଫେରାଇ ନେଉଥିବା ବେଳେ ଏଭଳି ପ୍ରସ୍ତାବ ଏବେ ପୁଣିଥରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର ଆଣିଛି । ବିଜେଡି ରାଜ୍ୟ ପରିଷଦରେ ଆସିଥିବା ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ସେହିଭଳି ପଛୁଆବର୍ଗ ସର୍ଭେ ସମ୍ପର୍କରେ ଯେଉଁ ପ୍ରସ୍ତାବ ଆସିଛି ତାହା ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏକ ମାଇଲଖୁଣ୍ଟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାବାଦ୍ ମହିଳା ସଶକ୍ତିକରଣ ସମ୍ପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ବୈଠକରେ ଯାହା ପ୍ରସ୍ତାବ ପାରିତ ହେବ ତାହାକୁ ସରକାରୀସ୍ତରରେ କାର୍ଯ୍ୟକାରୀ କରିବାକୁ ସେଗୁଡିକୁ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ନବୀନ ।

ଏଥିସହ  ବିଜେଡି ରାଜ୍ୟ ପରିଷଦ ବୈଠକରେ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ନୀତି ବିକାଶର ବଡ ଶତ୍ରୁ । ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ । ଆରମ୍ଭରୁ ଆମ ସରକାର ଦୁର୍ନୀତି ବିରୋଧରେ ଲଢେଇ କରିଆସିଛି । ଦୁର୍ନୀତିର ଚେର ଉପାଡି ଫିଙ୍ଗି ଦେବାକୁ କଡା ଆଭିମୁଖ୍ୟ ନିଆଯାଉଛି । ଆଗକୁ ଏହି ଲଢେଇ ଜୋରଦାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର