ତାଳଚେର ସାର କାରଖାନା ଅଗ୍ରଗତି ନେଇ ସମୀକ୍ଷା: ବକେୟା କାମ ଶୀଘ୍ର ସାରିବା ଉପରେ ଗୁରୁତ୍ବ

ଅନୁଗୁଳ: ତାଳଚେର ସାର କାରଖାନା ପୁନଃରୁଦ୍ଧାର କାମ ଜୋରସାରରେ ଚାଲିଛି। ଆଜି କାମରେ ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ଟିମ୍ ସମୀକ୍ଷା କରିବା ସହ ବକେୟା କାମ ଶୀଘ୍ର ସାରିବା ଉପରେ ଗୁରୁତ୍ବ ଦେଇଛନ୍ତି। ୨୦୨୩ ସେପ୍ଟେମ୍ବର ସୁଦ୍ଧା ପୁନଃରୁଦ୍ଧାର କାମ ସାରିବାକୁ ଟାର୍ଗେଟ ରଖାଯାଇଛି। ଏହା ସହିତ ତାଳଚେର ଫର୍ଟିଲାଇଜର ସୁରକ୍ଷା ଦାୟିତ୍ବ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଛି।

ତାଳଚେର ଫର୍ଟିଲାଇଜର ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ ଆଜି ତାଳଚେରସ୍ଥିତ ପ୍ରକଳ୍ପକୁ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଏହି ସମୟରେ ଟିଏଫ୍ଏଲ୍ ସଞ୍ଚାଳନ ନିର୍ଦେଶକ ସଞ୍ଜୟ ଆରୋରା, ଅର୍ଥ ବିଭାଗ ନିର୍ଦେଶକ ଅଭିଜିତ୍ ଗୋସ୍ବାମୀ, ମହାପ୍ରବନ୍ଧକ ପଞ୍ଚାନନ ହଳଧର, ବଳବନ୍ତ ଗୋସେଇଁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକଳ୍ପର ସମୀକ୍ଷା ପରେ ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବ କହିଛନ୍ତି ଯେ, ଏହି ପ୍ରକଳ୍ପର ଅଗ୍ରଗତି କାମ ସନ୍ତୋଷଜନକ। ଆଜି ସୁଦ୍ଧା ପ୍ରକଳ୍ପ ଅଞ୍ଚଳରେ ମାଟି ସମତୁଲ, ପାଚେରୀ ଓ ପାର୍ଶ୍ବବର୍ତ୍ତି ସୁରକ୍ଷା ୱାଚ୍ ଟାୱାର ନିର୍ମାଣ ଶେଷ ହୋଇଛି।

ସେହିପରି ପ୍ରକଳ୍ପ ଭିତରେ ରାସ୍ତା, ଡ୍ରେନ, କଲଭର୍ଟ ଓ ପାର୍କିଂ ବ୍ୟବସ୍ଥା କରାହୋଇଛି। ପ୍ରକଳ୍ପ ତିଆରି ନିମନ୍ତେ ପାଣି ଓ ବିଜୁଳିର ବ୍ୟବସ୍ଥା, ପ୍ରଶାସନିକ କୋଠାର ପୁନଃରୁଦ୍ଧାର କରାଯାଇଛି। ଏବେ ଯୁଦ୍ଧକାଳୀନ ଭିତ୍ତିରେ କାମ କରି ୨୦୨୩ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସମୟରେ ସେ ପ୍ରକଳ୍ପର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରିଚାଳନା ନିର୍ଦେଶକ ଶ୍ରୀ ଯାଦବଙ୍କ କହିବାନୁଯାୟୀ, ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଏ ଅଞ୍ଚଳର ଅର୍ଥନୈତିକ ବିକାଶ ହୋଇ ପାରିବ। ଏଥି ନିମନ୍ତେ ସମସ୍ତ ଜନସାଧାରଣ, ପ୍ରଶାସନ ଓ ଜନପ୍ରତିନିଧିଙ୍କର ସହଯୋଗ ରହିଲେ ଏ ପ୍ରକଳ୍ପ ଦେଶର ପ୍ରଥମ କୋଇଲା ଭିତ୍ତିକ ଗ୍ୟାସ୍ ମାଧ୍ୟମରେ ୟୁରିଆ ପ୍ରକଳ୍ପ ହେବ ଓ ଏହା ଦେଶବାସୀଙ୍କର ରୋଲ ମଡେଲ ହୋଇ ପାରିବ ବୋଲି ସେ କହିଥିଲେ।

ଆଜିଠାରୁ ଏହି ପ୍ରକଳ୍ପର ସୁରକ୍ଷା ଦାୟିତ୍ବ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଛି। ତାଳଚେର ଫର୍ଟିଲାଇଜରର ପରିଚାଳନା ନିର୍ଦେଶକ ସିଆଇଏସ୍ଏଫ୍ ଡିଆଇଜି ଏମ. ରସିଦଙ୍କୁ ବିଧିବଦ୍ଧ ଭାବେ ସୁରକ୍ଷା ଦାୟିତ୍ବ ହସ୍ତାନ୍ତର କରିଥିଲେ। ଏହି ସମୟରେ ସିଆଇଏସ୍ଏଫ୍ ବରିଷ୍ଠ କମାଚଣ୍ଡଣ୍ଟ ବି. ସୁନ୍ଦ୍ରାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର