ବ୍ୟାପକ ବୃକ୍ଷରୋପଣ, ବନୀକରଣର ଠିକ୍ ପରିଚାଳନା ଉପରେ ଗୁରୁତ୍ବ

ଜଙ୍ଗଲ ଓ ପରିବେଶ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା

ଭୁବନେଶ୍ବର : ବ୍ୟାପକ ବୃକ୍ଷରୋପଣ ଓ ବନୀକରଣ ମାଧ୍ୟମରେ ଓଡ଼ିଶାର ସବୁଜିମାକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଜଙ୍ଗଲ ଓ ପରିବେଶ ବିଭାଗ ସମ୍ମୁଖରେ ଅନେକ ଆହ୍ବାନ ରହିଛି। ନିକଟ ଅତୀତରେ ଫନି ବାତ୍ୟାର ପ୍ରଭାବରେ ଉପକୂଳ ଓଡ଼ିଶାର ସବୁଜିମା ବ୍ୟାପକ ଧ୍ବସ୍ତବିଧ୍ବସ୍ତ ହୋଇଥିବା ବେଳେ ବୃକ୍ଷରୋପଣ ଓ ବନୀକଣର ଠିକ୍ ପରିଚାଳନା ଦିଗରେ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ଜଙ୍ଗଲ ଓ ପରବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପରାମର୍ଶ ଦେଇଛନ୍ତି।

ଆଜି ଅରଣ୍ୟ ଭବନରେ ମନ୍ତ୍ରୀ ଏକ ସମୀକ୍ଷା ବୈଠକ କରି ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ସମସ୍ତ ନିର୍ମାଣ କାର୍ଯ୍ୟ ଟେଣ୍ଡର୍ ପ୍ରକ୍ରିୟା ଦ୍ବାରା ସମ୍ପନ୍ନ କରିବା, ବୃକ୍ଷରୋପଣ ସହ ସଂପୃକ୍ତ ବ୍ୟକ୍ତି, ସଂସ୍ଥା ଓ ପଞ୍ଚାୟତକୁ ପ୍ରୋତ୍ସାହିତ କରିବା, ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରର ପ୍ରଚଳିତ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା, ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ସର୍ବଦା ସଂଘର୍ଷ ଲାଗୁଥିବାରୁ ଏହାର ପ୍ରତିକାର ପାଇଁ ସ୍ଥାୟୀ ଓ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିବା ଆଦି ପ୍ରସଙ୍ଗରେ ଉପରେ ମନ୍ତ୍ରୀ ଶ୍ରୀ ଆରୁଖ ଗୁରୁତ୍ବାରୋପ କରିଥିଲେ।  ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭାଗର ବିଭିନ୍ନ କା‌ର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଅରଣ୍ୟ ଭବନର ତୃତୀୟ ମହଲାରେ ନବୀକୃତ ଡାଟା ସେଣ୍ଟର୍ ଓ ବନୀକରଣ ଶାଖା କାର୍ଯ୍ୟାଳୟକୁ ମନ୍ତ୍ରୀ ଲୋକାର୍ପିତ କରିଥିଲେ। ସମୀକ୍ଷା ବୈଠକରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ପିସିସିଏଫ୍(ବନ୍ୟଜନ୍ତୁ) ଅଜୟ କୁମାର ମହାପାତ୍ର, ପିସିସିଏଫ୍ ସୁରେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର