ଧୋନିଙ୍କୁ ସଲାମ, ରଣନୀତିକୁ ନିନ୍ଦା

ଧୋନି ପାଞ୍ଚ ନମ୍ବରରେ ଖେଳିଥିଲେ ଫଳାଫଳ ଅଲଗା ‌ହୋଇଥାଆନ୍ତା: ସଚିନ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତ ପରାଜିତ ହୋଇଥିଲେ ମଧ୍ୟ ମହେନ୍ଦ୍ର ସିଂହ ଧୋନି ଲଢ଼ୁଆ ଅର୍ଧଶତକ ଅର୍ଜନ କରିଥିଲେ। ଭାରତକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ ଧୋନି। ହେଲେ ଦୁର୍ଭାଗ୍ୟ ଜନକ ଭାବେ ରନ୍ ଆଉଟ୍ ହୋଇ ଯାଇଥିଲେ। ‌ଶେଷ ବିଶ୍ବକପ୍ ହୋଇଥିବାରୁ ସର୍ବଦା ଶାନ୍ତ ଏବଂ ନିୟନ୍ତ୍ରଣରେ ରହୁଥିବା ଧୋନି ଭାବବିହ୍ବଳ ହୋଇ ପଡ଼ିଆ ଛାଡ଼ିଥିଲେ। ସେ ଯେ କେତେ ଦୁଃଖିତ ଥିଲେ, ତାହା ତାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ବାରି ହୋଇ ଯାଉଥିଲା। ଧୋନି କାନ୍ଦ କାନ୍ଦ ହୋଇ ପ୍ୟାଭିଲିୟନ ଫେରିଥିଲେ, ତାଙ୍କ ସହ ୧୩୩ କୋଟି ଭାରତୀୟ ମଧ୍ୟ କାନ୍ଦି ଉଠିଥିଲେ। ପ୍ରଶଂସକଙ୍କ ସହ ପୂର୍ବତନ କ୍ରିକେଟର ଧୋନିଙ୍କ ଲଢ଼ୁଆ ବ୍ୟାଟିଂକୁ ପ୍ରଶଂସା କରିଥିଲେ। ହେଲେ ଅଧିନାୟକ ବିରାଟ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମ୍ୟାଚ୍‌ରେ ଅନେକ ଅକ୍ଷମଣୀୟ ଭୁଲ କରିଥିଲେ ବୋଲି ଅନେକ ମତ ରଖିଥିଲେ। ସେମାନେ ମିଳିତ ଭାବେ ଭାରତୀୟ କ୍ରିକେଟ୍ ଦଳର ଦୁର୍ବଳ ରଣନୀତିକୁ ନିନ୍ଦା କରିଥିଲେ। ବିଶେଷ କରି ଧୋନି ୭ ନମ୍ବରରେ ବ୍ୟାଟିଂ କରିବାକୁ ଅନେକ ଆଦୌ ପସନ୍ଦ କରି ନଥିଲେ।

ଧୋନି ପାଞ୍ଚ ନମ୍ବରରେ ଖେଳିଥିଲେ ଫଳାଫଳ ଅଲଗା ‌ହୋଇଥାଆନ୍ତା: ସଚିନ
ମାଞ୍ଚେଷ୍ଟର: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ କ୍ରମକୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି ମହାନ ଖେଳାଳି ସମାଲୋଚନା କରିଥିଲା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ସେମାନଙ୍କ ସହ ଏକମତ ହୋଇଛନ୍ତି। ଏପରିକି ଧୋନି ପାଞ୍ଚ ନମ୍ବରରେ ବ୍ୟାଟିଂ କରିଥିଲେ, ଫଳାଫଳ ହୁଏତ ଭିନ୍ନ ହୋଇ ଥାଆନ୍ତା ବୋଲି ସଚିନ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ହାର୍ଦିକଙ୍କ ପରିବର୍ତେ ଧୋନି ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାର ଥିଲା। ଘଡ଼ିସନ୍ଧି ମୁହୂର୍ତରେ ଧୋନିଙ୍କର ବ୍ୟାଟିଂ କରିବାର ଭଅିଜ୍ଞତା ରହିଛି। ସେ ହୁଏତ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇ ପାରି ଥାଆନ୍ତେ। ଭାରତ ପାଳିର ଶେଷ ଆଡ଼କୁ ଧୋନି ବାମହାତୀ ତାରକା ଜାଦେଜାଙ୍କ ଆତ୍ମବିଶ୍ବାସ ବଢ଼ାଇବା ଲାଗି ତାଙ୍କ ସହ ନିୟମିତ ଆଲୋଚନା ପର୍ଯ୍ୟାଲୋଚନା କରିବା ଏହାର ଉଦାହରଣ। ସେ ମଧ୍ୟ ଅତି ଚତୁରତାର ସହ ଷ୍ଟ୍ରାଇକ୍ ବଦଳାଉଥିଲେ। ପୂର୍ବରୁ ଧୋନି ୭ ନମ୍ବରରେ ଖେଳିବାକୁ ରଣନୀତି ଦୃଷ୍ଟିରୁ ମସ୍ତବଡ଼ ଭୁଲ ଭାବେ ବର୍ଣ୍ଣନା କରିଥିଲେ ଲକ୍ଷ୍ମଣ। ଗାଙ୍ଗୁଲି ମଧ୍ୟ ଧୋନିଙ୍କ ବ୍ୟାଟିଂକ୍ରମ ନେଇ ବିସ୍ମୟ ପ୍ରକଟ କରିଥିଲେ।

ଧୋନି ଓ ରୋହିତଙ୍କ ପାଇଁ ବାହାରିଲେ ପ୍ରଶଂସକ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ୍‌ ନିକଟରୁ ସେମିଫାଇନାଲ୍‌ରେ ହାରି ଭାରତୀୟ ଦଳ ବିଶ୍ବକପ୍‌ରୁ ଅଶ୍ରୁଳ ବିଦାୟ ନେଇଛି। ଏହି ପରାଜୟକୁ ସହଜରେ ଗ୍ରହଣ କରିପାରିନଥିବା ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ଆଖିରେ ଲୋତକ ଭରିଯାଇଥିଲା। ଚଳିତ ବିଶ୍ବକପ୍‌ରେ ୫ ଶତକ ଜମାଇବାର କୀର୍ତ୍ତିମାନ ପାଇଥିବା ରୋହିତ ମାତ୍ର ୧ ରନ୍‌ରେ ଆଉଟ୍‌ ହୋଇଯିବାକୁ ବିଶ୍ବାସ କରିପାରୁନାହାନ୍ତି। ସେହିପରି ୫୦ ରନ୍‌ କରିଥିବା ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଧୋନି ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ଜିତାଇବାର ପ୍ରାଣପଣେ ଉଦ୍ୟମ କରିବା ସତ୍ତ୍ବେ ବିଫଳ ହୋଇଥିଲେ। ତାଙ୍କ ରନ୍‌ ଆଉଟ୍‌ ମଧ୍ୟ ଭାରତ ପରାଜୟକୁ ନିଶ୍ଚିତ କରିଦେଇଥିଲା। ହେଲେ ଧୋନି ଓ ରୋହିତଙ୍କ ଭଳି ନାୟକଙ୍କୁ ସେମାନଙ୍କ ପ୍ରଶଂସକମାନେ ପୂରା ସମର୍ଥନ ଦେଇଛନ୍ତି। ଭାରତୀୟ କ୍ରିକେଟ୍‌ ପ୍ରଶଂସକମାନେ ସେମାନଙ୍କ ଟ୍ବିଟ୍‌ରରେ ଧୋନି ଓ ରୋହିତଙ୍କୁ ସମର୍ଥନର ହାତ ବଢ଼ାଇଛନ୍ତି। ଧୋନିଙ୍କ ଭଳି ଖେଳାଳି ତାଙ୍କ କ୍ରିକେଟ୍‌ ଜୀବନ କାଳ ମଧ୍ୟରେ ପ୍ରଥମ ଥର ଲାଗି ପଡ଼ିଆରେ କାନ୍ଦୁଥିବାର ଆମେ ଦେଖିଲୁ ବୋଲି କିଛି ପ୍ରଶଂସକ ଟ୍ବିଟ୍‌ କରିଛନ୍ତି। ଯାହାକି ଆମେ ପୂର୍ବରୁ କଦାପି ଦେଖିନଥିଲୁ। ଯେତେ ପାରୁଛ ତୁମେ ତାଙ୍କୁ ଘୃଣା କରିପାରେ, ହେଲେ ସେ ମୋ ହୃଦୟ ଛୁଇଁଛନ୍ତି ବୋଲି ଜଣେ ପ୍ରଶଂସକ ଟ୍ବିଟ୍‌ କରିଛନ୍ତି। ସେ ମଧ୍ୟ ପୁଣି ଉଲ୍ଲେଖ କରିଛନ୍ତି, ପ୍ରିୟ ନିନ୍ଦୁକମାନେ ତୁମେ ଯାଣିଛ କି ଧୋନିଙ୍କ ମହାନ୍‌ ସଫଳତା କ’ଣ ରହିଛି। ଯେତେବେଳେ ଭାରତୀୟ ଦଳ ୬ ରନ୍‌ରେ ୩ ୱିକେଟ୍‌ ହରାଇ ସଂଘର୍ଷ କରୁଥିଲା ସେତେବେଳେ ୧.୨୫ କୋଟି ଲୋକ ଦଳର ବିଜୟ ନେଇ ତଥାବି ବିଶ୍ବାସ ରଖିଥିଲେ। ଧୋନି ମଧ୍ୟ ଏହି ବିଶ୍ବାସକୁ ଆଗେଇ ନେଇଥିଲେ। ଦୁର୍ଭାଗ୍ୟବଶତଃ ରନ୍‌ ଆଉଟ୍‌ ତାଙ୍କର ସବୁ ଆଶା ଧୂଳିସାତ୍‌ କରିଦେଇଥିଲା ବୋଲି ପ୍ରଶଂସକ ଟ୍ବିଟ୍‌ କରିଛନ୍ତି।

ଅବସର ନନେବାକୁ ଲତାଙ୍କ ଆହ୍ବାନ
ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନିଷ୍ପତିକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିଲା ବେଳେ କୋକିଳ କଣ୍ଠି ଲତା ମଙ୍ଗେସ୍‌କର କିନ୍ତୁ ତାଙ୍କୁ ସମର୍ଥନ ଦେଇଛନ୍ତି। ଧୋନି କୌଣସି ବି ସମୟରେ ଅବସର ଘୋଷଣା କରିଦେଇପାରନ୍ତି ବୋଲି ଅଧିକାଂଶ କ୍ରିକେଟ୍‌ ପଣ୍ଡିତ ଆଶଙ୍କା କରୁଥିଲା ବେଳେ ଦେଶ ଧୋନିଙ୍କ ଭଳି କ୍ରିକେଟର୍‌ଙ୍କୁ ଏବେ ବି ଆବଶ୍ୟକ କରୁଛି ବୋଲି ଲତା କହିଛନ୍ତି। ୮୯ ବର୍ଷ ବୟସ୍କା ଏହି କିମ୍ବଦନ୍ତୀ କଣ୍ଠ ଶିଳ୍ପୀ ନିଜ ଟ୍ବିଟର୍‌ ପୃଷ୍ଠାରେ ଧୋନିଙ୍କୁ ସମର୍ଥନ ଜଣାଇ କହିଛନ୍ତି, ‘ନମସ୍କାର ଏମ୍‌ଏସ୍‌ ଧୋନି ଜୀ। ମୁଁ ଶୁଣିବାକୁ ପାଉଛି ତୁମେ ଅବସର ନେବାକୁ ଚାହୁଁଛ। ଦୟାକରି ସେଭଳି ଚିନ୍ତା ମନକୁ ଆଣନାହିଁ। ଦେଶ ତୁମର ଖେଳକୁ ଚାହେଁ ଏବଂ ମୋର ଅନୁରୋଧ ଯେ ତୁମେ ଅବସର ନେବାର ଚିନ୍ତା କରିବା ଉଚିତ ନୁହେଁ’ ବୋଲି ଲତା ହିନ୍ଦିରେ ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର