ସୁଧୁରୁନି ପାରିଚଢ଼େଇ ଗ୍ରାମର ଦୁର୍ଦ୍ଦଶା : ପିଇବା ପାଣି ଓ ରାସ୍ତା ପାଇଁ ଲୋକେ ହନ୍ତସନ୍ତ

ଗୋପ : ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଉଛି। ତେବେ ତୃଣମୂଳସ୍ତରରେ ଏହି ଯୋଜନା ପହଞ୍ଚି ପାରୁ ନାହିଁ। ମୁନ୍ଦାଏ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଏହା କୌଣସି କେବିକେ ଅଞ୍ଚଳର ଘଟଣା ନୁହେଁ, ପୁରୀ ଜିଲ୍ଲା ଗୋପ ବ୍ଲକ୍‌ଠାରୁ ମାତ୍ର ୪ କିମି ଦୂର ବନ୍ତଳୀ ପଞ୍ଚାୟତର ପାରିଚଢ଼େଇ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପିଇବା ପାଣି ଓ ରାସ୍ତା ପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି।

ସୂଚନା ଅନୁଯାୟୀ, ପାରିଚଢେଇ ଗ୍ରାମରେ ପିଇବା ପାଣି ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ସରକାରଙ୍କ ପକ୍ଷରୁ ଟ୍ୟାଙ୍କର୍‌ରେ ଯୋଗେ ପାଣି ଯୋଗାଇ ଦିଆଯାଉଛି। ତେବେ ଗତକାଲି ଏହି ରାସ୍ତାରେ ପାଣି ନେଇ ଯାଉଥିବା ସମୟରେ ଟ୍ୟାଙ୍କର୍‌ଟି ଦବି ଯାଇଥିଲା। ଫଳରେ ଗ୍ରାମବାସୀମାନେ ଗରା ଓ ବାଲ୍‌ଟି ଧରି ସେଠାରୁ ପାଣି ବୋହିବାକୁ ବାଧ୍ୟ ହୋଇଥିଲେ। ଅନ୍ୟପକ୍ଷରେ ଗ୍ରାମକୁ ଭଲ ରାସ୍ତାଟିଏ ନଥିବା ବେଳେ ଶିକ୍ଷା ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗ୍ରାମରେ ସମୁଦାୟ ୪୦ ପରିବାର ରହୁଥିବା ବେଳେ ପିଲାମାନଙ୍କର ପାଠ ପଢ଼ିବା ପାଇଁ କୌଣସି ସୁବିଧା ସୁଯୋଗ ନଥିବା ଅଭିଯୋଗ ହୋଇଛି। ଫଳରେ ବାଧ୍ୟ ହୋଇ ପିଲାମାନେ ନଦୀ ବନ୍ଧରେ ୨ କିମି ରାସ୍ତା ପାର ହୋଇ ପାଠ ପଢ଼ିବା ପାଇଁ ଯାଉଛନ୍ତି। ବର୍ଷା ଦିନେ ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଥିବା ବେଳେ ଲୋକମାନେ ଅତ୍ୟନ୍ତ କଷ୍ଟରେ ଯାତାୟାତ କରିଥାନ୍ତି।

ସେହିପରି ରାତିରେ ଏହି ରାସ୍ତାରେ ବାରମ୍ବାର ଡକାୟତି ହେଉଥିବାରୁ ଲୋକମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତବର୍ଷ ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା। ମାତ୍ର ରାସ୍ତାର ଅବସ୍ଥା ଭଲ ନଥିବାରୁ ଦମକଳ ଗାଡ଼ି ଗ୍ରାମକୁ ଆସିପାରିଲା ନାହିଁ। ଫଳରେ ବହୁ ବଖରା ଜଳିପୋଡ଼ି ନଷ୍ଟ ହୋଇଗଲା। ସେହିପରି ୧୦୮ ଆମ୍ବୁଲାନ୍ସ ରୋଗୀକୁ ଆଣିବାକୁ ଗଲେ ଗ୍ରାମଠାରୁ ଏକ କିମି ଦୂରରେ ରହିଥାଏ। ରୋଗୀମାନେ ଟୋକେଇରେ ବୁହା ହୋଇ ଆସିଲା ପରେ ଡାକ୍ତରଖାନା ଯାଇଥାନ୍ତି। ଗ୍ରାମଟି ଅବ୍ୟବସ୍ଥା ଘେରରେ ଥିବା ବେଳେ ସରକାରୀ ‌ଯୋଜନା ଏଠାରେ ପହଞ୍ଚି ପାରୁ ନାହିଁ। ପିଇବା ପାଣି ସମସ୍ୟା ସମ୍ପର୍କରେ ସରପଞ୍ଚ କଲ୍ୟାଣୀ ଦାସଙ୍କୁ ପଚାରିବାରେ ସେ କହିଲେ, ଆମେ ଷୋଳପୁରଠାରୁ ପାଇପ୍ ଯୋଗେ ପାଣି ନେବାକୁ ଚେଷ୍ଟା କରୁଛୁ। ଆସନ୍ତା ଦୁଇ ମାସ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ଚେଷ୍ଟା କରିବୁ। ଅନ୍ୟପକ୍ଷରେ ଗୋପ ବିଡିଓ ଦୀପ୍ତିରାଣୀ ଦାସ କହିଛନ୍ତି, ସେ ପାରିଚଢ଼େଇ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର