ଗାନ୍ଧୀ ଜୟନ୍ତୀରୁ ଓଡ଼ିଶାର ପ୍ରତି ଜିଲ୍ଲାରେ ଗାନ୍ଧୀଙ୍କ ନାମରେ ହେବ ରାସ୍ତା

ଗାନ୍ଧୀ ଜୟନ୍ତୀରୁ ‘ଲୋକକଳା ଗ୍ରାମ’ର ଶୁଭାରମ୍ଭ, ଚିହ୍ନଟ ହେଲା ୨୪ ଲୋକକଳା ଗ୍ରାମ, ବ୍ଲକ୍‌ ସ୍ତରରେ ହେବ ନାଟ୍ୟ ମଣ୍ଡପ

ଭୁବନେଶ୍ବର : ଲୋକକଳାକୁ ତୃଣମୂଳ ସ୍ତରରେ ଗୁରୁତ୍ବାରୋପ ପୂର୍ବକ ଗାନ୍ଧୀ ଜୟନ୍ତୀରୁ ‘ଲୋକକଳା ଗ୍ରାମ’ର ଶୁଭାରମ୍ଭ ହେବ। ଏନେଇ ୨୪ଟି ଲୋକକଳା ଗ୍ରାମ ଚିହ୍ନଟ ହୋଇସାରିଛି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତ୍ୟେକ ଜିଲ୍ଲାର ଏକ ନିର୍ଦିଷ୍ଟ ମାର୍ଗକୁ ଗାନ୍ଧୀଙ୍କ ନାମରେ ନାମିତ କରାଯିବା ସହ ପ୍ରତିମୂର୍ତି ସ୍ଥାପନ ହେବ। ଜିଲ୍ଲା ସଂସ୍କୃତି ଅଧିକାରୀମାନେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ମାର୍ଗ ଚୟନ କରିବେ। ନାଟ୍ୟ କ୍ଷେତ୍ରକୁ ବିସ୍ତୃତ କରିବା ପାଇଁ ବ୍ଲକ୍‌ ସ୍ତରରେ ନାଟ୍ୟ ମଣ୍ଡପ ପ୍ରତିଷ୍ଠା ହେବ। ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନେଇ ଆୟୋଜିତ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଆଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଓ ନିରବଚ୍ଛିନ୍ନ ଉଦ୍ୟମ କରିବା ପାଇଁ ସଂସ୍କୃତି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଭାଗୀୟ ପ୍ରମୁଖ ଶାସନସଚିବ ମନୋରଂଜନ ପାଣିଗ୍ରାହୀ ଭାଗବତ ଟୁଙ୍ଗୀ ସ୍ଥାପନ ସମ୍ପର୍କରେ ସୂଚନା ଦେଇ କହିଥିଲେ, ୨୦୧୪-୧୫ ମସିହାରୁ ଭାଗବତ ଟୁଙ୍ଗୀ ପୁନରୁଦ୍ଧାର ଓ ପ୍ରତିଷ୍ଠା ପାଇଁ ଯୋଜନା ହାତକୁ ନିଆଯାଇଥିବା ବେଳେ ପ୍ରାରମ୍ଭରେ ୩୬୦୦ ଟୁଙ୍ଗୀ ପ୍ରଚଳନ ଓ ନବାକ୍ଷରୀ ଭାଗବତ ପଠନ ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୧୭ ମସିହାରେ ଏହା ୭୨୦୦କୁ ବୃଦ୍ଧି କରାଗଲା। ପୂର୍ବରୁ ଭାଗବତ ଟୁଙ୍ଗୀକୁ ୨୫ ହଜାର ଟଙ୍କା ଅନୁଦାନ ମିଳୁଥିବା ବେଳେ ଏହା ୫୦ ହଜାର ଟଙ୍କାକୁ ବୃଦ୍ଧି ପାଇଥିବା ସେ କହିଥିଲେ। ଏହି ସମ୍ମିଳନୀରେ ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ କୁମାର ନାୟକ, ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ, ଯୁଗ୍ମ ନିର୍ଦେଶିକା ସଂଘମିତ୍ରା ଶତପଥୀ ଓ ମନସ୍ବିନୀ ସାହୁଙ୍କ ସମେତ ସମସ୍ତ ଜିଲ୍ଲାର ସଂସ୍କୃତି ଅଧିକାରୀ ଓ କଳାକାର ସଂଘର କର୍ମକର୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର