ଚାକିରି ଦେବା ନାଁରେ ୨.୧୮ ଲକ୍ଷ ଠକେଇ

ବାରିପଦା: ଜଣେ ବିଧବା ମହିଳାଙ୍କୁ ଚାକିରି ଦେବା ନାଁ ୨ ଲକ୍ଷ ୧୮ ହଜାର ଟଙ୍କା ଠକିଥିବା ମୀରା ସ୍ବାଇଁ ନାମ୍ନୀ ଜଣେ ମହିଳା ଓ ମନୋରଂଜନ ବେହେରା ନାମକ ଜଣେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଗିରଫ କରିଛି ବାରିପଦା ଟାଉନ ଥାନା ପୁଲିସ। ମୋରଡ଼ା ଥାନା ଝଟିଆଦା ଗ୍ରାମର ବିଧବା ମହିଳା ସରସ୍ବତୀ ମୁର୍ମୁଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇଥିଲେ କୋଷ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆଟେଣ୍ଡାଣ୍ଟ୍ ମନୋରଂଜନ ବେହେରା। ଏଥିପାଇଁ ବାରିପଦା ୱାର୍ଡ ନମ୍ବର ୧୧ ଢିପାସାହିର ମୀରା ସ୍ବାଇଁଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ।

ସରସ୍ବତୀ ବାରିପଦା ଆସି ମୀରାଙ୍କୁ ଦେଖା କରିଥିଲେ। ଚାକିରି ପାଇଁ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ ମୀରା। ୨୦୨୧ ମସିହା ଡିସେମ୍ବର ୧୭ ତାରିଖରେ ସରସ୍ବତୀ ୧ ଲକ୍ଷ ୧୦ ହଜାର ଟଙ୍କା ମୀରାଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ମୋବାଇଲକୁ ଅନ୍‌ଲାଇନ୍‌ରେ ପଠାଇଥିଲେ। ପରବର୍ତ୍ତୀ ସମୟରେ ମୀରାଙ୍କୁ ନଗଦ ୧ ଲକ୍ଷ ୮ ହଜାର ଟଙ୍କା ଦେଇଥିଲେ। ତେବେ ଟଙ୍କା ପାଇବା ପରେ ମୀରା ଓ ମନୋରଂଜନ ଆଉ ଧରାଛୁଆଁ ଦେଇନଥିଲେ। ଠିକାମିର ଶିକାର ହୋଇଥିବା ଜାଣିବା ପରେ ସରସ୍ବତୀ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୯୧/୨୦୨୩ରେ ପୁଲିସ ଏକ ଠକେଇ ମାମଲା ରୁଜୁ କରି ଆଜି ମୀରା ଓ ମନୋରଂଜନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର