ଚେକ୍‌ ନକଲ କରି ୨କୋଟି ୮୭ ଲକ୍ଷ ହଡ଼ପ ଘଟଣା : ମାଷ୍ଟରମାଇଣ୍ଡ ହର୍ଷକୁ ବାନ୍ଧିଲା ଇଓଡବ୍ଲୁ

ରାଞ୍ଚିରୁ ଗିରଫ କରି ରାଉରକେଲା କୋର୍ଟରେ ହାଜର କଲେ
ଜେଲ୍‌ ଗଲା, ରିମାଣ୍ଡରେ ଆଣିବାକୁ ଯୋଜନା

ଭୁବନେଶ୍ବର : ବ୍ୟାଙ୍କ ଚେକ୍ ନକଲ କରି ଆକାଉଣ୍ଟରୁ ୨ କୋଟି ୭୮ ଲକ୍ଷ ଟଙ୍କା ହଡ଼ପ କରିବା ମାମଲାର ମାଷ୍ଟରମାଇଣ୍ଡ ହର୍ଷ ସିଂହକୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ରାଞ୍ଚିରୁ ଗିରଫ କରିଛି। ହର୍ଷର ଘର ରାଞ୍ଚି‌‌‌ରେ। ତାକୁ ରାଞ୍ଚି କୋର୍ଟରେ ଉପସ୍ଥାପନ କରାଯିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଇ ରାଉରକେଲା ପାନପୋଷ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆଜି ତାକୁ ହାଜର କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆବଶ୍ୟକ ପଡ଼ିଲେ, ତାକୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ ବୋଲି ଇଓଡବ୍ଲୁ କହିଛି। ଏହି ମାମଲା‌ରେ ହର୍ଷ ମାଷ୍ଟରମାଇଣ୍ଡ ଥିବା ବେଳେ ଅମିତ କୁମାର ଗୁପ୍ତା, ସୁନୀଲ ମହାନ୍ତ, ଅରୁଣ ବାରିକ ପ୍ରମୁଖ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ଖୋଜୁଛି। ଖୋଳତାଡ଼ ବେଳେ ଏଭଳି ଏକାଧିକ କ୍ଲୋନ୍‌ଡ୍‌ ଚେକ୍‌ ଇଓଡବ୍ଲୁ ଜବତ କରିଛି। ଏଗୁଡ଼ିକୁ ବିଭିନ୍ନ ବ୍ୟାଙ୍କ୍‌ରେ ଦାଖଲ କରି ଅଭିଯୁକ୍ତମାନେ ବଡ଼ ଠକେଇ ଯୋଜନା କରିଥିବା ଇଓଡବ୍ଲୁ କହିଛି। ନିଜ ଆକାଉଣ୍ଟରୁ ଏହି ଠକେଇ ଅର୍ଥ କାରବାର କରିଥିବା ଅନ୍ୟତମ ଅଭିଯୁକ୍ତ ରାଉରକେଲାସ୍ଥିତ ବିଏମପି ଆଣ୍ଡ ସନ୍ସ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ବାବୁ ମୂର୍ତ୍ତି ପଲାଇକୁ ପୂର୍ବରୁ ଇଓଡବ୍ଲୁ ଗିରଫ କରିସାରିଛି।

ଇଓଡବ୍ଲୁର ସୂଚନା ମୁତାବକ, ବ୍ୟାଙ୍କ ଅଫ୍ ଇଣ୍ଡିଆର ରାଉରକେଲା ବ୍ରାଞ୍ଚରେ ଅଭିଯୁକ୍ତ ବାବୁ ପିଲାଇର ଆକାଉଣ୍ଟ ରହିଛି। ସେହି ଶାଖାରେ କର୍ଣ୍ଣାଟକ ରାଜ୍ୟ ସମବାୟ ବିପଣନ ଫେଡେରେସନ୍‌ ଲିମିଟେଡ୍(କେଏସସିଏମଏଫଏଲ)ର ମଧ୍ୟ ଆକାଉଣ୍ଟ ରହିଛି। ଗତ ନଭେମ୍ବର ୩ ତାରିଖରେ ବି.ପିଲାଇ କର୍ଣ୍ଣାଟକ ରାଜ୍ୟ ସମବାୟର ୨ କୋଟି ୮୭ ଲକ୍ଷ ଟଙ୍କାର ଏକ ଚେକ୍ ଦାଖଲ କରି ନିଜ ଆକାଉଣ୍ଟ ଓ ଅନ୍ୟାନ୍ୟ ଆକାଉଣ୍ଟକୁ ସମସ୍ତ ଅର୍ଥ ସ୍ଥାନାନ୍ତର କରିଥିଲା। ଏଥିରୁ ମୋଟା ପରିମାଣର ଅର୍ଥ ଆଜି ଗିରଫ ହୋଇଥିବା ଅଭିଯୁକ୍ତ ହର୍ଷର ଆକାଉଣ୍ଟକୁ ମଧ୍ୟ ସ୍ଥାନାନ୍ତର ହୋଇଥିଲା। ଅଡିଟ୍‌ ବେଳେ ଚେକ୍ ସନ୍ଦେହ ପରିସରକୁ ଆସିବାରୁ ଖୋଳତାଡ଼ ହୋଇଥିଲା। ନଭେମ୍ବର ୨୦ ତାରିଖରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କର୍ତ୍ତୃପକ୍ଷ କେଏସସିଏମଏଫଏଲ ସହ ଯୋଗାଯୋଗ କରିଥିଲେ। କେଏସସିଏମ୍‌ଏଫ୍‌ଏଲ୍‌ ଏହି ଚେକ୍ ଜମା କରି ଟଙ୍କା ଉଠାଇ ନଥିବା ଜଣାଇବା ପରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଚିଫ୍‌ ମ୍ୟାନେଜର୍‌ ଇଓଡବ୍ଲୁରେ ଅଭିଯୋଗ କରିଥିଲେ।

ତଦନ୍ତ ବେଳେ ଜଣାପଡ଼ିଥିଲା, ମୂଳ ଚେକ୍‌ର ସମାନ ନମ୍ବର ଥାଇ ଆଉ ଗୋଟିଏ ଅବିକଳ ଚେକ୍‌ ତିଆରି କରାଯାଇଥିଲା। ତାକୁ ଜମା କରି ଏହି ମୋଟା ଅଙ୍କର ଅର୍ଥ ଉଠାଇ ନିଆଯାଇଥିଲା। ଠକେଇ ଦିନ ବାବୁ ମୂର୍ତ୍ତି ପିଲାଇ ଆକାଉଣ୍ଟକୁ ୨ କୋଟି ୬୦ ଲକ୍ଷ ଟଙ୍କା ଆସିଥିଲା। ୨୩ଲକ୍ଷ ଟଙ୍କା ହର୍ଷ ସିଂହ ଆକାଉଣ୍ଟକୁ ଯାଇଥିଲା ଓ ୫ ଲକ୍ଷ ଟଙ୍କାର ଋଣ ପରିଶୋଧ କରାଯାଇଥିଲା। ଗତ ଜାନୁଆରି ୮ତାରିଖରେ ବାବୁ ମୂର୍ତ୍ତିକୁ ଗିରଫ କରାଯାଇଥିଲା। ତେବେ ନକଲି ଚେକ୍‌କୁ କିଭଳି ବ୍ୟାଙ୍କ୍‌ କର୍ମଚାରୀ ଜାଣି ନପାରି ଏତେ ଟଙ୍କା ଦେଇ ଦେଲେ, ସେନେଇ ଇଓଡବ୍ଲୁ ଖୋଳତାଡ଼ କରୁଛି।

ସମ୍ବନ୍ଧିତ ଖବର