୨୦ ଲକ୍ଷ ଟଙ୍କାର ଗହଣା ଲୁଟ୍

ସୋର/ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ଲୁଟେରାମାନେ ଦୁଇଟି ପୃଥକ୍‌ ଘଟଣାରେ ୨୦ ଲକ୍ଷ ଟଙ୍କାର ଗହଣା ଏବଂ ଅନ୍ୟ ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ପ୍ରଥମ ଘଟଣା ଘଟିଛି ସୋର ବ୍ଲକ୍‌ ସରଶଂଖ ପଞ୍ଚାୟତ ବ୍ରାହ୍ମଣସାହି ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ସ୍କାଏଲାଇଟ୍ ଦେଇ ଡକାୟତମାନେ ପ୍ରଥମେ ନିଶ୍ଚେତକ ପ୍ରୟୋଗ କରି ଗ୍ରାମର ଲାବଣ୍ୟନିଧି ପଣ୍ତାଙ୍କ ଘରେ ପଶିଥିଲେ। ପରେ ଆଲମିରା ଭାଙ୍ଗି ସମସ୍ତ ସୁନାଗହଣା ଲୁଟି ନେଇଥିଲେ। ସକାଳେ ବାହାର ଲୋକ ଡାକିବା ପରେ ସମସ୍ତେ ଉଠିବା ସହ ଘରୁ ଲୁଟ୍‌ ହୋଇଥିବା ଜାଣି ପାରିଥିଲେ। ଲୁଟ୍‌ ହୋଇଥିବା ଗହଣାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଅନ୍ୟପକ୍ଷରେ, ବାଲେଶ୍ବର ମୋତିଗଞ୍ଜ ବଜାରରେ ଥିବା ଅଳଙ୍କାର ଜୁଏଲାରିର ମାଲିକ ଦିନେଶ ସାଂଗଭିଙ୍କୁ ତାଙ୍କର ବନ୍ଧୁ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପୁଅ ମିଲୁ ସନ୍ତରାଗଡ଼ିଆ ଅ‌ଞ୍ଚଳର ଜଣେ ବ୍ୟକ୍ତି ନିଜର ସୁନା ବିକ୍ରି କରିବେ ବୋଲି କହିଥିଲେ। ଦିନେଶ ୨ଟି ବାଇକରେ ତାଙ୍କ ଦୋକାନ କର୍ମଚାରୀ ବାପୁନ ଓ ମିଲୁଙ୍କୁ ନେଇ ନୀଳଗିରିକୁ ଯାଇଥିଲେ। ସେମାନଙ୍କ ସହ ଯତୀନ ନାମକ ଜଣେ ଯୁବକ ସେଠାରେ ସାମିଲ ହୋଇଥିଲେ। ସେଠାରୁ ସମସ୍ତେ ସନ୍ତରାଗଡ଼ିଆ ଯାଉଥିବା ବେଳେ ଦ୍ବାରିକା ଛକ ନିକଟରେ ୩ଟି ବାଇକରେ ୯ଜଣ ଯୁବକ ପହଞ୍ଚି ସେମାନଙ୍କୁ ଅଟକାଇଥିଲେ। ତା’ପରେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଗାଡ଼ି ଡିକିରୁ ନଗଦ ୧୦ ଲକ୍ଷ ଟଙ୍କା, ଲାଇସେନ୍ସପ୍ରାପ୍ତ ବନ୍ଧୁକ, ମୋବାଇଲ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର