୪କୋଟି ହଡ଼ପ ଘଟଣା: କିରାଣିଙ୍କ ଦୁର୍ନୀତି ପେଡ଼ି ଖୋଲୁଛି, ସମସ୍ତଙ୍କ ଜାଣତରେ ମହାଦୁର୍ନୀତି

ମାଛ ଖାଇଛି ଜଣେ, କଣ୍ଟା ଲାଗିଛି ମୋ ବେକରେ: ହରିପଦ
ଦୁର୍ନୀତି ଟଙ୍କାରେ କିଣାଯାଇଛି ଗାଡ଼ି, ପ୍ଲଟ୍‌ ଏବଂ ଘର
ଟଙ୍କା ଜମା କରିବାକୁ ଦିଆଯାଇଥିଲା ପର୍ଯ୍ୟାପ୍ତ ସୁଯୋଗ

କୋରାପୁଟ : ପଟାଙ୍ଗି ଉପନିବନନ୍ଧକ କାର୍ଯ୍ୟାଳୟରେ ୪ କୋଟି ଟଙ୍କାର ଦୁର୍ନୀତି ଘଟଣାରେ ନୂଆ ନୂଆ ଫର୍ଦ୍ଦ ଖୋଲିବାରେ ଲାଗିଛି। ଯୋଜନାବଦ୍ଧ ଓ ସମସ୍ତଙ୍କ ଜାଣତରେ ହୋଇଥିଲା ଏହି ମହାଦୁର୍ନୀତି। ଟଙ୍କା ହେରଫେର ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ବଦଳରେ ଘଣ୍ଟ ଘୋଡ଼ାଇବାକୁ ପ୍ରୟାସ କରାଯାଇଥିଲା। ଟଙ୍କା ଜମା କରି ଦେବାକୁ ପର୍ଯ୍ୟାପ୍ତ ସୁଯୋଗ ସୁଧୀରଙ୍କୁ ମିଳିଥିଲା ତଥାପି ସେ ଖାତିର କରି ନଥିଲା ବୋଲି ସୂଚନା ମିଳିଛି।

ସୁଧୀର ସାହୁ ହେଉଛନ୍ତି ଉପନିବନନ୍ଧକ କାର୍ଯ୍ୟାଳୟର ତତ୍‌କାଳୀନ କିରାଣି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସୁଧୀର ବିଶ୍ବାସରେ ବିଷ ଦେଇ ଏତେ ବଡ଼ କାରନାମା କରିଛନ୍ତି। ତତ୍କାଳୀନ ତହସିଲଦାର ଅରୁଣ କୁମାର ଖଣ୍ଡା, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ଏବଂ ବର୍ତ୍ତମାନର ତହସିଲଦାର ହରିପଦ ମଣ୍ଡଳଙ୍କ ଅତ୍ୟନ୍ତ ବିଶ୍ବସ୍ତ ଥିଲେ ସେ । ଏହାକୁ ସୁଯୋଗରେ ପରିଣତ କରି ଉପରୋକ୍ତ ଅଧିକାରୀଙ୍କ ମାର୍ଫତରେ ସେଲ୍ଫ୍ ଚେକ୍‌ ବ୍ୟାଙ୍କରେ ଦାଖଲ କରି ଟଙ୍କା ଉଠାଇଥିଲେ। ଅତିରିକ୍ତ ତହସିଲଦାର ମହାଦେବ ଭତ୍ରାଙ୍କ ଦସ୍ତଖତ ଥିବା ଚେକ୍‌ ମାଧ୍ୟମରେ ୧୫ଲକ୍ଷ ୪୦ ହଜାର ୪୭୨ ଟଙ୍କା ଉଠାଇଥିବା ବେଳେ ତାଙ୍କ ଜରିଆରେ ହିଁ ପୁଣି ୨ କୋଟି ୩୨ଲକ୍ଷ ୭ହଜାର ୮୬୦ ଟଙ୍କା ହେରଫେର କରିଛି। ସେହିପରି ତତ୍କାଳୀନ ତହସିଲଦାର ଅରୁଣ କୁମାର ଖଣ୍ଡାଙ୍କ ଜରିଆରେ ୩୧ ଲକ୍ଷ ୨୩ ହଜାର ୬୩୫ ଟଙ୍କା ଓ ବର୍ତ୍ତମାନର ତହସିଲଦାର ହରିପଦ ମଣ୍ଡଳଙ୍କ ଜରିଆରେ ୯୧ ଲକ୍ଷ୪୨ହଜାର୯୮୪ ଟଙ୍କା ହେରଫେର କରିଥିବା ଅଡିଟ ରିପୋର୍ଟରେ ଉଲ୍ଲେଖ ହୋଇଛି।

୧୯୮୫ ମସିହାରେ ସ୍ଥାପିତ ହୋଇଥିବା ଏହି ଉପନିବନ୍ଧକ କାର୍ଯ୍ୟଳୟରେ ପ୍ରତି ବୁଧବାର ଓ ଶୁକ୍ରବାର ଦିନ ପ୍ରବଳ ଭିଡ଼ ହେଉଥିଲା। ମଧ୍ୟାହ୍ନ ୧୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ସୁଧୀରର ନିର୍ଦ୍ଦେଶରେ କାର୍ଯ୍ୟାଳୟ ଖୋଲା ରହୁଥିଲା। ନିଜ କାର୍‌ରେ ରାତିରେ ସୁଧୀର ଉପନିବନ୍ଧକ କାର୍ଯ୍ୟାଳୟକୁ ଆସି ହିସାବ କରି ଫେରି ଯାଉଥିଲେ ବୋଲି ସୂଚନା ମିଳିଛି। ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଭୁବନେଶ୍ବର, କଟକ, କୋରାପୁଟ, ସେମିଳିଗୁଡା ଓ ନୟାଗଡରେ ଏକାଧିକ ପ୍ଲଟ, ତିନୋଟି ଚାରିଚକିଆ, କୋରାପୁଟରେ ଦୁଇ ମହଲା କୋଠା ସହ ଏକାଧିକ ସ୍ଥାନରେ ଜମି କିଣି ଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। କୋରାପୁଟ, ସେମିଳିଗୁଡା, ସୁନାବେଡ଼ା ଓ ପଟାଙ୍ଗିର କିଛି ଜମି ମାଫିଆଙ୍କ ସହ ବି ସିଧାସଳଖ ଯୋଗାଯୋଗରେ ରହିଥିଲା। ସେମାନଙ୍କ ଇସାରାରେ ହିଁ ସେ କାମ କରୁଥିଲା ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର