କୁଚିଣ୍ଡା ଅଞ୍ଚଳରୁ ୪ ଲକ୍ଷ ଟଙ୍କା ଜବତ

କୁଚିଣ୍ଡା : ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଟଙ୍କା କାରବାର ଉପରେ କଡ଼ା ନଜର ରଖାଯାଉଛି। ଏହି ପରିପ୍ରେକ୍ଷୀରେ ନଗଦ ପଚାଶ ହଜାରରୁ ଅଧିକ ଟଙ୍କା ନେଇ ଯାଉଥିବା ୨ ଜଣ ବ୍ୟକ୍ତିଙ୍କଠାରୁ କୁଚିଣ୍ଡା ପୁଲିସ୍‌ ୩ ଲକ୍ଷ ୮୩ ହଜାର ଟଙ୍କ ଜବତ କରିଛି। ଜବତ ଟଙ୍କା ନିର୍ବାଚନ ଅଧିକାରୀ ତଥା କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଠାରେ ଜମା ଦିଆଯାଇଛି। ପ୍ରକାଶ ଯେ, ସୋମବାର ରାହୁଲ ପଟେଲ ନାମକ ଜଣେ ବ୍ୟକ୍ତି ଦେବଗଡ଼ ପଟୁ କାର୍‌ ଯୋଗେ ନିଜ ଗାଁ ନାଗରାବାହାଲକୁ ଫେରୁଥିଲେ। ଭୋଜପୁରଠାରେ ପୁଲିସ ଯାଞ୍ଚ ଚାଲିଥିଲାବେଳେ ତାଙ୍କ ଗାଡ଼ିରୁ ୩ ଲକ୍ଷ ୧୩ ହଜାର ଟଙ୍କା ବାହାରି ଥିଲା। ତେବେ, ତାଙ୍କୁ ପଚରାଉଚରା କରାଯାଇଥିବାବେଳେ ସେ ଏହି ଟଙ୍କାର ସନ୍ତୋଷଜନକ ହିସାବ ଦେଇ ନପାରିବାରୁ ପୁଲିସ୍‌ ତାକୁ ଜବତ କରିଥିଲା। ଘଟଣାର ଅନୁସଂଧାନ କରା ଯାଉଥିବା କୁଚିଣ୍ଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ରବିବାର ସଂଧ୍ୟାରେ କୁଚିଣ୍ଡାର ଅନ୍ନପୂର୍ଣ୍ଣା ଫାଇନାନ୍‌ସ ନାମକ ସଂସ୍ଥାର ଫିଲ୍‌ଡ ଅଫିସର ବିଭିନ୍ନ ସ୍ଥାନରୁ ଅର୍ଥ ସଂଗ୍ରହ କରି ଫେରୁଥିଲାବେଳେ କୁଚିଣ୍ଡାଠାରେ ପୁଲିସ୍‌ ତାଙ୍କୁ ଯାଞ୍ଚ କରି ୭୦ ହଜାର ଟଙ୍କା ଜବତ କରିଥିଲା। ଅଧିକ ତଦନ୍ତ ପାଇଁ କୁଚିଣ୍ଡା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ନିକଟରେ ଏହି ଟଙ୍କା ମଧ୍ୟ ଜମା କରାଯାଇଛି।

ସମ୍ବନ୍ଧିତ ଖବର