ଉତ୍କଳରେ ପଡ଼ିରହିଛି ୫୦୦ କୋଟି, ଓଏମ୍‌ସିକୁ ସହାୟତା ମାଗୁଛନ୍ତି

ଅସନ୍ତୋଷ ଝାଡ଼ିଲେ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରଚୁର ଅର୍ଥ ପଡ଼ିଛି। ତାହାକୁ ଖର୍ଚ୍ଚ କରାଯାଇପାରୁ ନାହିଁ। ତା’ ପରେ ବି ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହଯୋଗ ମଗାଯାଉଛି। ଏହାକୁ ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶ୍ବବିଦ୍ୟାଳୟର ବିକାଶ ଲାଗି ରାଜ୍ୟ ସରକାର ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଥିବା ବେଳେ ଅନ୍ୟମାନଙ୍କୁ କାହିଁକି ସହାୟତା ମାଗୁଛ ବୋଲି ସେ ପ୍ରଶ୍ନ କରିଛନ୍ତି।

ସଚିବ ଶ୍ରୀ ମିଶ୍ର ଆଜି ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ଜାଣିବାକୁ ମିଳିଛି ଯେ ଭୂତତ୍ତ୍ବ ବିଭାଗର ବିକାଶ ଲାଗି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଓଡ଼ିଶା ମାଇନିଂ କର୍ପୋରେସନ(ଓଏମ୍‌ସି)କୁ ଆର୍ଥିକ ସହାୟତା ମଗାଯାଇଛି। ଆର୍ଥିକ ବର୍ଷରେ ୧୦ କୋଟି ଏବଂ ଆସନ୍ତା ୧୦ ବର୍ଷ ଲାଗି ବାର୍ଷିକ ୨ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଏହି ପ୍ରସ୍ତାବ ପରେ ଜାଲିଆତି ପରି ଘଟଣା ଆଶଙ୍କାରେ ଓଏମ୍‌ସି କର୍ତୃପକ୍ଷ ଏବାବଦରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ଅର୍ଥ ଦିଆଯାଇଛି କି ନାହିଁ ଜାଣିବାକୁ ଚାହିଁଛନ୍ତି। ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଛି ଯେ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ସହାୟତାର ହାତ ବଢ଼ାଉଛନ୍ତି। ବର୍ତ୍ତମାନ ବିଶ୍ବବିଦ୍ୟାଳୟ ପାଖରେ ୫୦୦ କୋଟିରୁ ଅଧିକ ଟଙ୍କା ପଡ଼ି ରହିଛି, ଯେଉଁଥିରେ ଭିତ୍ତିଭୂମି ଉନ୍ନତି କରାଯାଇପାରିବ। ମହଜୁଦ ଥିବା ଏହି ଅର୍ଥକୁ ବ୍ୟବହାର କରି ଭୂତତ୍ତ୍ବ ବିଭାଗର ବିକାଶ ସହଜରେ ହୋଇପାରିବ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓଏମ୍‌ସି କିମ୍ବା ଅନ୍ୟ କୌଣସି ସଂସ୍ଥା ନିକଟରେ ଅର୍ଥିକ ସହାୟତା ଲାଗି ହାତ ପତାଇବା ଠିକ୍‌ ନୁହେଁ। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ‌ଚିଠିରେ ଉଲ୍ଲେଖ ହୋଇଛି।

ସମ୍ବନ୍ଧିତ ଖବର