ଆର୍‌ଏସ୍‌ପି ଗ୍ୟାସ୍‌ ଲିକ୍‌ ଘଟଣା : ଆଜିଠୁ ଅନୁସନ୍ଧାନ କରିବ ସେଲ୍‌ ତଦନ୍ତ ଟିମ୍‌

ଆଉ ଜଣେ ଅଧିକାରୀ ନିଲମ୍ବିତ, କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟର ତଦନ୍ତ

ରାଉର‌କେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କୋଲ୍‌ କେମିକାଲ ବିଭାଗ (ସିସିଡି) ବିଷାକ୍ତ ଗ୍ୟାସ୍‌ ଲିକ୍‌ରୁ ୪ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି ତଦନ୍ତ। କାର୍ଯ୍ୟରେ ଅବହେଳା ପାଇଁ ଗତକାଲି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀପକ ଚଟ୍ଟରାଜ ଶକ୍ତି ପରିଚାଳନା ବିଭାଗ (ଇଏମ୍‌ଡି)ର ଡିଜିଏମ୍‌ ଜି. ବାରିକ୍‌ ଓ କୋଲ୍‌ କେମିକାଲ ବିଭାଗର (ସିସିଡି)ର ଡିଜିଏମ୍‌ ଏନ୍‌. ଦାଶଙ୍କୁ ନିଲମ୍ବିତ କରିଥିଲେ। ଆଜି ସହକାରୀ ସୁରକ୍ଷା ମହାପ୍ରବନ୍ଧକ ସ୍ମୃତିରଞ୍ଜନ ସାହୁ ନିଲମ୍ବିତ କରାଯାଇଛି। ନିଲମ୍ବନ ସଂଖ୍ୟା ୩ରେ ପହଞ୍ଚିଛି।

ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ମରାମତି କାମ ପୂର୍ବରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା କି ନାହିଁ, ଘଟଣା ପାଇଁ କେଉଁମାନେ ଦାୟୀ ଆଦି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ସିଇଓଙ୍କ ନ‌ିର୍ଦ୍ଦେଶରେ ଗଠିତ ତଦନ୍ତକାରୀ କମିଟି। କମିଟିରେ ଅଛନ୍ତି ମାଟେରିଆଲ ମ୍ୟାନେଜମେଣ୍ଟ ବିଭାଗର ସିଜିଏମ୍‌ ଆର୍‌. ମହାପାତ୍ର, ପ୍ରକଳ୍ପ ବିଭାଗର ସିଜିଏମ୍‌ ଏସ୍‌.କେ. ବେହେରା, ମେକାନିକାଲ ବିଭାଗର ସିଜିଏମ୍‌ ଏ.ଭି. ରାଜ ଶେଖର। ତିନି ଜଣିଆ ଟିମ୍‌ କୋଲ୍‌ କେମିକାଲ ବିଭାଗରେ ପହଞ୍ଚି ଦାୟିତ୍ବରେ ଅଧିକାରୀଙ୍କୁ ପଚରାଉଚୁରା କରିଛନ୍ତି। ରାଉରକେଲା କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ବିଭୂ ପ୍ରସାଦ, ସହକାରୀ ନିର୍ଦ୍ଦେଶକ ମନୋଜ ମିଶ୍ରଙ୍କ ନେତୃତ୍ବରେ ଗଠିତ ତଦନ୍ତକାରୀ ଟିମ୍‌ ମଧ୍ୟ ଅନୁରୂପ ତଦନ୍ତ ଆରମ୍ଭ କରିଛନ୍ତି।

ଏସ୍‌ପି ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗରପାଲି ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଦୁର୍ଘଟଣାର ଖୋଳତାଡ ଚଳାଇଛି। ଟାଙ୍ଗରପାଲି ଥାନା ଅଧିକାରୀ କାରଖାନା ଓ ବାଷ୍ପିତ ଉପ ନିର୍ଦ୍ଦେଶାଳୟଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତକାରୀ ଟିମ୍‌ ସହ ଆଲୋଚନା କରିଥିଲେ। ସେପଟେ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ (ସେଲ୍‌) ପକ୍ଷରୁ ଘଟଣାର ଅନୁସନ୍ଧାନ ପାଇଁ ୪ ଜଣିଆ ଟିମ୍‌ ଗଠନ କରାଯାଇଛି। ତଦନ୍ତକାରୀ ଟିମ୍‌ରେ ବୋକାରୋ ଷ୍ଟିଲ ପ୍ଲାଣ୍ଟର ନିର୍ବାହୀ ନିର୍ଦ୍ଦେଶକ ଅତନୁ ଭୌମିକ୍, କୋଲକାତା‌ ସେଲ୍‌ ଅଫିସ ପରିବେଶ ପରିଚାଳନା ବିଭାଗର ସିଜିଏମ୍‌ ଏସ୍‌.କେ. ଦାସ, ଭିଲାଇ ଷ୍ଟିଲ ପ୍ଲାଣ୍ଟର ଇଞ୍ଜିନିୟରିଂ ମ୍ୟାନେଜମେଣ୍ଟ ବିଭାଗର ସିଜିଏମ୍‌ ଭି.କେ. ଶ୍ରୀବାସ୍ତବ ଓ ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟ କୋକ୍‌ଭେନ୍‌ ଆଣ୍ଡ କୋଲ୍‌ କେମିକାଲ୍‌ ବିଭାଗର ସିଜିଏମ୍‌ ଆର୍‌.କେ. ସିହ୍ନା ଅଛନ୍ତି। ଆଜି ସେମାନଙ୍କ ଭିତରୁ ଦୁଇଜଣ ରାଉରକେଲାରେ ପହଞ୍ଚିଛନ୍ତି। ଆସନ୍ତାକାଲି (ଶୁକ୍ରବାର) ଅନ୍ୟ ଦୁଇ ଅଧିକାରୀ ପହଞ୍ଚିବା ପରେ ଘଟଣାର ଅନୁସନ୍ଧାନ ଆରମ୍ଭ କରିବେ। ସେଲ୍‌ର ୪ ଜଣିଆ ତଦନ୍ତକାରୀ ଟିମ୍‌ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଇସ୍ପାତ ମନ୍ତ୍ରଣାଳୟକୁ ‌ଦେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ‌ ବୋଲି ଜଣାପଡିଛି। ଗତକାଲି ମୃତ ଠିକା ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ମିଳିବା ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଆଜି ଶାନ୍ତ ପଡିଥିଲା। ସେକ୍ଟର-୧୯ ଓ ଟାଙ୍ଗରପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତକାଲି କୋଲ୍‌ କେମିକାଲ ବିଭାଗ (ସିସିଡି) ବିଭାଗରେ ରକ୍ଷଣାବେକ୍ଷଣ କାମ ଚାଲିଥିବାବେଳେ ବିଷାକ୍ତ କାର୍ବୋନ୍‌ ମନୋସ୍କାଇଡ୍‌ ଗ୍ୟାସ୍‌ ଲିକ୍‌ ହେବାରୁ ୪ ଜଣ ଠିକା ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଠିକା ସଂସ୍ଥାର ସୁପରଭାଇଜର ସେକ୍ଟର-୧, ଏଚ୍‌-୭୯ର ବ୍ରହ୍ମାନନ୍ଦ ପଣ୍ଡା (୫୧), ଲାଠିକଟା ଥାନା କୁଲାମୁଣ୍ଡାର ଅଭିମନ୍ୟୁ ସା (୩୩), ଟାଙ୍ଗରପାଲି କନଷ୍ଟ୍ରକ୍ସନ କଲୋନିର ରବିନ୍ଦ୍ର ସାହୁ (୫୯) ଓ ଗଣେଶ ଚାନ୍ଦ ପହିଲ୍‌ (୫୫)। ମୃତ ଶ୍ରମିକମାନେ ରାଉରକେଲାର ଏକ ଘରୋଇ ଠିକା ସଂସ୍ଥା ‘ଷ୍ଟ୍ରାର କନ୍‌ଷ୍ଟ୍ରକ୍ସନ’ଅଧୀନରେ କାମ କରୁଥିଲେ। ଆର୍‌ଏସ୍‌ପି ସୁରକ୍ଷା ବ୍ୟବସ୍ଥା ଥିବା ତ୍ରୁଟି ଓ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିଲା। ୪ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସହରରେ ଶୋକର ଛାୟା ଖେଳି ଯାଇଥିବାବେଳେ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସ୍ଥିତି ସରଗରମ ରହିଥିଲା। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଦୁଃଖ ପ୍ରକାଶ କରିଥିଲେ। କାର୍ଯ୍ୟରେ ଅବହେଳା ପାଇଁ ଶକ୍ତି ପରିଚାଳନା ବିଭାଗ (ଇଏମ୍‌ଡି)ର ଡିଜିଏମ୍‌ ଜି. ବାରିକ୍‌ ଓ କୋଲ୍‌ କେମିକାଲ ବିଭାଗର (ସିସିଡି)ର ଡିଜିଏମ୍‌ ଏନ୍‌. ଦାଶଙ୍କୁ ଆର୍‌ଏସ୍‌ପି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀପକ କୁମାର ଚଟ୍ଟରାଜ ନିଲମ୍ବିତ କରିଥିଲେ।

ସମ୍ବନ୍ଧିତ ଖବର