ଥଇଥାନ ହେବେ ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ କାର୍ଯ୍ୟ କରୁଥିବା ଏଜେଣ୍ଟ

କଟକ : ଆର୍‌ଟିଓର ଏଜେଣ୍ଟଙ୍କୁ ଥଇଥାନ କରାଯିବ। ଏ ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯିବ। ପ୍ରତ୍ୟେକ ଆରଟିଓ ନିୟମିତ ଭାବେ ଏଜେଣ୍ଟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ତାଲିକା ଦାଖଲ କରିବେ। ଏବଂ ସେହି ଆଧାରରେ ପରିବହନ ସଚିବ ତାଲିକା ପ୍ରସ୍ତୁତ କରିବେ। ସବୁ ଆରଟିଓ କାର୍ଯ୍ୟାଳୟରେ ସରକାର ଇ-କିଓସ୍କ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ପୂର୍ବରୁ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଏପରି ଇ-କିଓସ୍କରେ ନିୟୋଜିତ କରାଯାଇ ଥଇଥାନ କରିବା ପାଇଁ ପଦକ୍ଷେପ ନିଆଯିବ। ବିଭିନ୍ନ ଆରଟିଓରେ କାର୍ଯ୍ୟଭାର ଦେଖି ଇ-କିଓସ୍କ ପ୍ରତିଷ୍ଠା କରାଯିବ। ଇ-କିଓସ୍କ ପ୍ରତିଷ୍ଠା କାର୍ଯ୍ୟ ୬ ସପ୍ତାହ ଭିତରେ ଶେଷ କରାଯିବ। ଇ-କିଓସ୍କ ଗୁଡିକ କିଭଳି ସ୍ବାଭାବିକ୍ ଭାବେ କାର୍ଯ୍ୟ କରିବ ତାହା ସୁନିଶ୍ଚିତ କରାଯିବ। ଏପରି ଇ-କିଓସ୍କ ଗୁଡିକ ଚିହ୍ନଟ କରାଯିବାକୁ ଥିବା ଏଜେଣ୍ଟ ମାଧ୍ୟମରେ ପରିଚଳାନା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପ୍ରକ୍ରିୟା ୨ ମାସ ଭିତରେ ଶେଷ ହେବ। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆରଟିଓରେ ଏଜେଣ୍ଟଙ୍କ ପ୍ରବେଶ ଉପରେ କଟକଣା ନେଇ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ରୁଜୁ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଆରଟିଓ କାର୍ଯ୍ୟାଳୟ ପରିସରରେ ଏଜେଣ୍ଟଙ୍କୁ ବସିବାକୁ ଅନୁମତି ପ୍ରଦାନ ପ୍ରାର୍ଥନାକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ସଂଶୋଧିତ ମୋଟର ଯାନ ଆଇନ ଆସିବା ପରେ ଆରଟିଓରୁ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ନୂଆ ଆଇନ କାର୍ଯ୍ୟକାରୀ ପରେ ଆରଟିଓରେ ଭିଡ ବଢିଥିବାବେଳେ ଏଜେଣ୍ଟ ଓ ମଧ୍ୟସ୍ଥିଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଥିଲା। ଲୋକଙ୍କୁ ଶୋଷଣ ଅଭିଯୋଗ ହୋଇଥିଲ। ୨୦୧୯, ସେପ୍ଟେମ୍ବର ୨୭ରେ ଏ ନେଇ ପରିବହନ କମିସନର ନିର୍ଦ୍ଦେଶନାମା ଜାରି କରିଥିଲେ। ପରିବହନ କାର୍ଯ୍ୟାଳୟ ପରିସରକୁ ଏଜେଣ୍ଟଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ଏହାପରେ ଏଜେଣ୍ଟଙ୍କୁ ଆରଟିଓ ସାମ୍ନାରୁ ହଟାଇ ଦିଆଯାଇଥିଲା। କେତେକ ଏଜେଣ୍ଟଙ୍କୁ ପୁଲିସ ମଧ୍ୟ ଗିରଫ କରିଥିଲା। ସରକାରଙ୍କ ଏପରି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କେତେକ ଏଜେଣ୍ଟ ଓ ସଂଘ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦୀର୍ଘ ବର୍ଷ ହେବ ଆରଟିଓକୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ବ୍ୟକ୍ତିଙ୍କୁ ସେବା ଯୋଗାଇ ଦେଇ ନିଜ ଜୀବିକା ନିର୍ବାହ କରୁଥିବା ଏଜେଣ୍ଟଙ୍କର ଏବେ ବି ଆବଶ୍ୟକତା ରହିଛି। ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ବାରା ‌ଏଜେଣ୍ଟମାନେ ନିଜ ଜୀବିକା ହରାଇଛନ୍ତି। ଏଜେଣ୍ଟଙ୍କ ମୌଳିକ ଅଧିକାର ଉଲ୍ଲଂଘନ କରୁଥିବାରୁ ଏପରି ନିର୍ଦ୍ଦେଶନାମାକୁ ରଦ୍ଦ କରାଯାଉ ବୋଲି ମାମଲାରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର