ସାହିତ୍ୟ ଏକାଡେମିର ସ୍ବନକ୍ଷତ୍ର ଦିବସ : ପ୍ରବୀଣ ସାହିତ୍ୟିକଙ୍କ ଭିତରେ ସାରସ୍ବତ ଅହଙ୍କାର ରହିଛି

ଏକାଡେମି ପୁରସ୍କାର ପାଇବାକୁ ସାହିତ୍ୟିକମାନେ ବ୍ୟାକୁଳ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟର ପ୍ରବୀଣ ଲେଖକଙ୍କ ମଧ୍ୟରେ ଏକ ସାରସ୍ବତ ଅହଙ୍କାର ରହିଛି। ପୁରସ୍କାର ପ୍ରତି ସାହିତ୍ୟିକମାନେ ବ୍ୟାକୁଳ ମାତ୍ର ଏକାଡେମିର ପ୍ରତିଷ୍ଠା ଦିବସକୁ ସେମାନେ ଆସୁନାହାନ୍ତି। ଆହୁରି ମଧ୍ୟ ପ୍ରତିଷ୍ଠିତ ସାହିତ୍ୟିକ ଅଛନ୍ତି, ଯେଉଁମାନଙ୍କୁ ପାରିତୋଷିକ ଦେଲେ ମଧ୍ୟ ଏକାଡେମିର ଅନୁରୋଧ ରକ୍ଷା କରୁନାହାନ୍ତି। ଓଡ଼ିଶା ସାହିତ୍ୟ ଏକାଡେମିର ସ୍ବନକ୍ଷତ୍ର ଦିବସରେ ଏହିଭଳି କ୍ଷୋଭ ପ୍ରକାଶ କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ଓ ଏକାଡେମିର ସଭାପତି ତଥା ବିଶିଷ୍ଟ କବି ହରିହର ମିଶ୍ର।

ଆଜି ଥିଲା ଏକାଡେମିର ୬୨ତମ ସ୍ବନକ୍ଷତ୍ର ଉତ୍ସବ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ ଯେ, ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଲେଖକ ଯେତେବେଳେ ସ୍ବନକ୍ଷତ୍ର ଦିବସକୁ ଆସୁନାହାନ୍ତି, ସେମାନେ ଏକାଡେମିକୁ କେତେ ଭଲ ପାଉଛନ୍ତି ତାହା ସହଜରେ ଅନୁମେୟ।

ଏଥିସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ଅନେକ ବିଶିଷ୍ଟ ସାହିତ୍ୟିକଙ୍କୁ ୧୦ -୧୫ ହଜାର ଟଙ୍କା ପାରିତୋଷିକ ଦେଇ କୌଣସି ନିର୍ଦିଷ୍ଟ ବିଷୟରେ ଲେଖିବାକୁ କହିଲେ ବି ସେମାନେ ରାଜି ହେଉନାହାନ୍ତି। ଏମିତି କି ଜଣେ ଜ୍ଞାନପୀଠ ବିଜେତା ସାହିତ୍ୟିକଙ୍କୁ କପିଳେନ୍ଦ୍ର ଦେବଙ୍କ ଉପରେ ଉପନ୍ୟାସ ଲେଖିବା ପାଇଁ ଅନୁରୋଧ କଲୁ ଯେ, ସେ ରାଜି ହେଲେ ନାହିଁ। ବାସ୍ତବରେ ଆମ ଭିତରେ ସାହିତ୍ୟକୁ ନେଇ ପେସାଦାର ମନୋଭାବ ଆଉ ନାହିଁ। ବରଂ ସର୍ଜନଶୀଳ ବ୍ୟକ୍ତିମାନେ ‌ବେଳେବେଳେ ଏତେ ସ୍ବେଚ୍ଛାଚାରୀ ହୋଇଯାଉଛନ୍ତି ଯେ ତାଙ୍କ ଲେଖା ଦୁର୍ବୋଧ୍ୟ ମନେ ହୁଏ ବୋଲି କହିଛନ୍ତି ଶ୍ରୀ ମିଶ୍ର।

ସମାନ ମନ୍ତବ୍ୟ ଦେଇଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ। ସେ କହିଥିଲେ, କିଛି ପ୍ରବୀଣ ସାହିତ୍ୟିକଙ୍କ ଭିତରେ ସାରସ୍ବତ ଅହଙ୍କାର ରହିଛି। ସେମାନେ ନୂତନ ପିଢ଼ିଙ୍କୁ ନିରୁତ୍ସାହିତ ନକରି ଉତ୍ସାହିତ କରନ୍ତୁ। ପରସ୍ପରକୁ ସମ୍ମାନ ଦିଅନ୍ତୁ। ସେ ଆହୁରି ମଧ୍ୟ କହିଥିଲେ, ଆମେ ଯେତେବେଳେ ଜଣେ ସାହିତ୍ୟିକଙ୍କୁ ଏକାଡେମିର ସଭାପତି ପଦରେ ବସାଉଛୁ ସେତେବେଳେ କିଛି ସାହିତ୍ୟିକ ତାଙ୍କୁ କାହିଁକି ସେ ପଦରେ ବସେଇଲ ବୋଲି ପ୍ରଶ୍ନ କରୁଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ, ଓଡ଼ିଶା ସାହିତ୍ୟ ଏକାଡେମିରୁ ଅତିବଡ଼ୀ ପୁରସ୍କାର’ରେ ସମ୍ମାନିତ ହୋଇଥିବା ବିଶିଷ୍ଟ ସାରସ୍ବତ ସାଧକଙ୍କ ସାକ୍ଷାତକାର ନିଆଯିବ। ଏଗୁଡ଼ିକର ରେକର୍ଡ ଏକାଡେମିରେ ମହଜୁଦ ରହିବ। ଏଥିସହ ସାହିତ୍ୟ ଏକାଡେମିର ବିଭିନ୍ନ କାର୍ଯ୍ୟକ୍ରମ ସହ ଚେନ୍ନାଇରେ ଏକାଡେମି ପକ୍ଷରୁ ହେବାକୁ ଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ଦେଇଥିଲେ। ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସାହିତ୍ୟ ଚେତନାର ବାହକ। ଏହା ଏକ ହିତକର ଅସ୍ତ୍ର ସଦୃଶ।

ଏହି ଅବସରରେ ଡ.ହରିପଦ ଶତପଥୀଙ୍କ ଅନୁବାଦ ପୁସ୍ତକ ‘ଆହତ ଆତ୍ମା’, ହରିହର ମିଶ୍ରଙ୍କ ୩ ନାଟକର ଇଂରାଜୀ ରୂପାନ୍ତର ତଥା ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ପରେଶ ରାଉତ, ରମେଶ ପାଣିଗ୍ରାହୀଙ୍କ ଲିଖିତ ‘ଦି ଥ୍ରି ପ୍ଲେଜ୍‌’, ନରସିଂହ ଚନ୍ଦ୍ର ଦାସଙ୍କ ଅନୁବାଦ ପୁସ୍ତକ ‘ରିବେଲିୟନ’, ସ୍ନେହଲତା ଦାସଙ୍କ ‘ଆତ୍ମଜୀବନୀ ପଣ୍ଡିତ ନୀଳକଣ୍ଠ ଦାସ’, ଡ.ବିବେକାନନ୍ଦ ପାଣିଗ୍ରାହୀଙ୍କ ଅନୁବାଦ ପୁସ୍ତକ ‘ଶ୍ରେଷ୍ଠ କବିତା’, ଭାଗୀରଥି ମହାସୁଆରଙ୍କ ଅନୁବାଦ ପୁସ୍ତକ ‘ପାଚେରି ସେପଟେ’, ଶକୁନ୍ତଳା ବଳିୟାରସିଂହଙ୍କ ଅନୁବାଦ ପୁସ୍ତକ ‘ଆତ୍ମ ପରିଚୟ’ କନକ ମଂଜରୀ ସାହୁଙ୍କ ଓଡ଼ିଆ ଭାଷାନ୍ତର ପୁସ୍ତକ ‘ଦେଶ ବିଦେଶର ଲୋକକଥା’, ଶଙ୍କର୍ଷଣ ପଣ୍ଡାଙ୍କ ଓଡ଼ିଆ ଭାଷାନ୍ତର ‘ଅଷ୍ଟାଦଶୀ’, ଡ.ଅରବିନ୍ଦ ବେହେରାଙ୍କ ଓଡ଼ିଆ ଭାଷାନ୍ତର ପୁସ୍ତକ ‘ସାନ୍‌ଫ୍ରାନ୍‌ସିସ୍‌କୋର ଭଦ୍ରଲୋକ ଓ ଅନ୍ୟାନ୍ୟ ଗଳ୍ପ’, ଶିଶିର ବେହେରାଙ୍କ ‌‘ବୈକୁଣ୍ଠନାଥ ବ୍ରହ୍ମଚାରୀ’, ଶ୍ୟାମସୁନ୍ଦର ରାଜଗୁରୁଙ୍କ ‘ପ୍ରବନ୍ଧାବଳୀ’, ଶୈଳେନ୍ଦ୍ର ଲେଙ୍କାଙ୍କ ‘କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି’, ସ୍ବର୍ଗତ ଚକ୍ରଧର ମହାପାତ୍ରଙ୍କ ‘ଉତ୍କଳ ଗ୍ରାମ୍ୟଗୀତି ଓ କଥା’ ପୁସ୍ତକ ଏବଂ ଏକାଡେମିର ‌ପତ୍ରିକା ‘କୋଣାର୍କ’ର ୧୯୦ତମ ସଂଖ୍ୟା ଲୋକାର୍ପିତ ହୋଇଥିଲା। ଏହି ଅବସରରେ ପ୍ରବନ୍ଧ, କବିତା ଆବୃତ୍ତି, ତର୍କ, ସାଧାରଣ ଜ୍ଞାନ ଭଳି ରାଜ୍ୟସ୍ତରୀୟ ପ୍ରତିଯେଯାଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ ବକ୍ତବ୍ୟ ରଖିଥିଲେ। ଏକାଡେମିର ସଚିବ ଡ.ଜୟନ୍ତୀ ରଥ ସ୍ବାଗତ ଭାଷଣ ଦେଇଥିଲେ। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର