ସାହିତ୍ୟ ଅକାଦେମି ପକ୍ଷରୁ ସର୍ବଭାରତୀୟ ଲେଖିକା ମହୋତ୍ସବ: ନାରୀ ଶକ୍ତି ସମାଜ ବିକାଶ ପାଇଁ ବାଟ ଦେଖାଏ

ମାନବିକ ଅଧିକାର ସହ ମହିଳାଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦିଆଯାଉ: ପ୍ରତିଭା ରାୟ, ସୃଜନ କର୍ମର ମୂଳଉତ୍ସ ନାରୀ: ରମାକାନ୍ତ ରଥ

ଭୁବନେଶ୍ବର: ନାରୀ ଶକ୍ତିରୂପା। ସେହି ଶକ୍ତି ସମାଜ ବିକାଶ ପାଇଁ ବାଟ ଦେଖାଏ। ପୃଥିବୀର ଅଧିକାଂଶ କାର୍ଯ୍ୟ ମହିଳାଙ୍କ ଦ୍ବାରା ସମ୍ପାଦନ ‌ହୋଇଥାଏ। ମହିଳାମାନେ ପୁରୁଷଙ୍କ ସହ ସମକକ୍ଷ। କିନ୍ତୁ ସମାଜରେ ମହିଳାଙ୍କୁ ସୁଯୋଗ ଦିଆଯାଉନାହିଁ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲଗାଯାଉଛି। ସମାଜରେ ବର୍ଗୀକରଣ କରାଯାଉଛି। ନାରୀ-ପୁରୁଷ, ଧନୀ-ଗରିବ, ଉଚ୍ଚ-ନୀଚ, ଜାତି-ଅଜାତି ପ୍ରଥା ଚାଲି ଆସିଛି। ଏମିତିକି ସାହିତ୍ୟ କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କୁ ଅନେକ ଯନ୍ତ୍ରଣା ସହିବାକୁ ପଡ଼ୁଛି। ୧୮୦୦ ଶତାବ୍ଦୀରେ ଇଂଲଣ୍ଡର ପ୍ରସିଦ୍ଧ ଲେଖିକା ମେରି ଇଭାନସ୍‌ ନିଜ ନାମ ନଲେଖି ଛଦ୍ମନାମ ଜର୍ଜ ଏଲିଅଟ(ପୁରୁଷ ନାମ)ରେ ନିଜର ଲେଖାଗୁଡ଼ିକୁ ପ୍ରକାଶ କରୁଥିଲେ। ଆଜି ହୁଏତ ସେ ଦିନ ନାହିଁ। କିନ୍ତୁ ସମାଜିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁଧୁରି ନାହିଁ। ମହିଳାଙ୍କୁ ମାନବିକ ଅଧିକାର ଦିଆଯାଉ। ଆଗକୁ ବଢ଼ିବା ପାଇଁ ସୁଯୋଗ ଦିଆଯାଉ। ଆଉ କେତେ ଦିନ ମହିଳା ଦିବସ ପାଳନ କରିବାକୁ ପଡ଼ିବ ବୋଲି ଆଜି ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଲେଖିକା ମହୋତ୍ସବରେ ଉଦ୍‌ଘାଟନୀ ଅଭିଭାଷଣ ‌ଦେଇ ଏହା କହିଛନ୍ତି ଜ୍ଞାନପୀଠ ବିଜେତା ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ।

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଲେଖିକା ପ୍ରତିଭା ଶତପଥୀ କବିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ନିଜ ଲିଖିତ ସ୍ବରଚିତ କବିତା ‘ମୋ ଝିଅ’ ଆବୃତ୍ତି କରି ବର୍ତ୍ତମାନ ପରିସ୍ଥିତିରେ ନାରୀ କେଉଁ ଦିଗ ଦେଇ ଗତି କରୁଛି, ତା’ର ସ୍ପଷ୍ଟ ଚିତ୍ର ପ୍ରଦାନ କରିଥିଲେ। ବିଖ୍ୟାତ କବି ରମାକାନ୍ତ ରଥ ଏଥିରେ ଯୋଗ‌ଦେଇ କହିଲେ, କବିତା ସତ୍ୟ ଉନ୍ମୋଚନ କରେ। ପୁରୁଷମାନେ ଲେଖକ ହୁଅନ୍ତି ମହିଳାଙ୍କ ପାଇଁ। ସୃଜନ କର୍ମର ମୂଳ ଉତ୍ସ ନାରୀ ବୋଲି ସେ କହିଥିଲେ। ସାହିତ୍ୟ ଅକାଦେମି ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଅକାଦେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ବିଜୟାନନ୍ଦ ସିଂହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅକାଦେମିର କୋଲକାତା ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହୋତ୍ସବର ଚାରୋଟି ଅଧିବେଶନରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିଷ୍ଠିତ ଲେଖିକାମାନେ ଯୋଗଦେଇ କବିତା ପାଠ ସହ ସାହିତ୍ୟ ଆଲୋଚନା କରିଥିଲେ। ପ୍ରଥମ ଅଧିବେଶନରେ କବି ସମ୍ମେଳନ ଅନୁଷ୍ଠିତ ହୋଇଥିଲା। ଲେଖିକା ଦମୟନ୍ତୀ ବେଶ୍ରାଙ୍କ ଅଧ୍ୟକ୍ଷତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲେଖିକାମାନେ କବିତା ପାଠ କରିଥିଲେ। ସେମାନଙ୍କ ମଧ୍ୟରେ ରଶ୍ମି ଚୌଧୁରୀ, ସରିତା ଖଜୁରିଆ, ଜୟଶ୍ରୀ କମ୍ବର, ଚନ୍ଦ୍ରିକା ପାଦଗାଁଓକର, ସୀମା ଭାତି, ଯୋବା ମୁର୍ମୁ ଏବଂ ଓଡ଼ିଆ ଲେଖିକା ମମତା ଦାଶ ପ୍ରମୁଖ ଅଂଶଗ୍ରହଣ କରିଥି‌ଲେ।

ଦ୍ବିତୀୟ ଅଧିବେଶନରେ ‘ନାରୀମାନଙ୍କ ସାହିତ୍ୟରେ ବୈପ୍ଳବିକ ପରିବର୍ତ୍ତନ’ ଶୀର୍ଷକରେ ଆଲୋଚନା କରାଯାଇଥିଲା। ସଂଯୁକ୍ତା ଦାଶଗୁପ୍ତଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଲେଖିକା ବିଷ୍ଣୁପ୍ରିୟା ଓତା, ମୋନାଲିସା ଜେନା, ପ୍ରମିଳା ଦେବୀ ଜେ, ନନ୍ଦିତା ଦେବୀ, ଦର୍ଶିନୀ ଦାଦାୱାଲା ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। କ୍ଷୁଦ୍ରଗଳ୍ପ ପାଠକୁ ନେଇ ତୃତୀୟ ଅଧିବେଶନ ଆୟୋଜନ କରାଯାଇଥିଲା। ଏଥିରେ ଲେଖିକା ଯଶୋଧାରା ମିଶ୍ର ଅଧ୍ୟକ୍ଷତା କରିଥିଲେ। ଓଡ଼ିଆ ଲେଖିକା ଜୟନ୍ତୀ ରଥ, ଏମ୍‌.ଏମ୍‌ ବିନୋଦିନୀ, ନିର୍ମୋହୀ ଗିରୀଶ ପାଦକେ, ମନୀଷା କୁଲଶ୍ରେଷ୍ଠ ଅଂଶଗ୍ରହଣ କରିଥିଲେ। ଶେଷ ଅଧିବେଶନରେ କବି ସମ୍ମେଳନ କରାଯାଇଥିଲା। ଏଥିରେ ସଭାମୁଖ୍ୟ ରହଥିଲେ ସଂଯୁକ୍ତା ବନ୍ଦୋପାଧ୍ୟାୟ। ଓଡ଼ିଆ ଲେଖିକା ତଥା ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ତିନୋଟି ଓଡ଼ିଆ କବିତା ‘ନାରୀ’, ‘କିଛି ବଡ଼ କଥା ନୁହେଁ’ ଓ ‘ଶୋଷ’ ଏବଂ ଏହାର ହିନ୍ଦୀ ଓ ଇଂରାଜୀ ଅନୁବାଦ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାୟଲ ସେନ୍‌ଗୁପ୍ତ, ରୁକ୍‌ସାନା ଜାବୀନ, ବେବି ସୁରାଇସାମ୍‌, ବାସନ୍ତୀ ଦେବୀ ପୌଦ୍ୟାଲ, ସରବଜିତ୍‌ କୌର ଜସ୍‌, ପରମ୍ବଶ୍ରୀ ଯୋଗମାୟା, ନଦିଆ ମାସନ୍ଦ, ‌କାନିମୋଝୀ ଜି ବିଭିନ୍ନ ଭାଷାରେ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପଦେଷ୍ଟାମଣ୍ଡଳୀର ସଦସ୍ୟ ଡ. ପ୍ରଦୀପ୍ତ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର