ବିଜେପି ବିଧାୟକମାନେ ରାତି ସାରା ଗାନ୍ଧୀମୂର୍ତ୍ତି ତଳେ ବସିବା ସଇତାନର ବେଦପାଠ ସଦୃଶ : ବିଜେଡି
ନିଃସର୍ତ୍ତ କ୍ଷମା ଦାବି କଲେ ସରକାରୀ ଦଳ ମୁଖ୍ୟ ସଚେତକ
ଭୁବନେଶ୍ବର : ଗଣତନ୍ତ୍ରର ପବିତ୍ର ମନ୍ଦିରରେ ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡିବା ଭଳି ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟାଇବା ପରେ ବିଜେପି ବିଧାୟକମାନେ ରାତି ସାରା ଗାନ୍ଧୀମୂର୍ତ୍ତି ତଳେ ବସିବା ସଇତାନର ବେଦପାଠ ସଦୃଶ। ଓଡିଶାବାସୀ ବିଜେପି ନେତାଙ୍କ ଏଭଳି ସଇତାନୀ କାରବାରକୁ ଦେଖୁଛନ୍ତି ଓ ଏଥିପାଇଁ ବିଧାୟକମାନଙ୍କୁ କେବେ ହେଲେ କ୍ଷମତା ଦେବେନାହିଁ ବୋଲି କହିଛନ୍ତି ବିଜେଡି ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ବିଜେପି ବିଧାୟକମାନେ ବିଧାନସଭାରେ ଯେଭଳି ଲଜ୍ଜାଜନକ କାଣ୍ଡ ଘଟାଇଲେ ଓ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ବସିଲେ ସେଥିରୁ ଆମେ ଆଶା କରିଥିଲୁ ଯେ ସେମାନଙ୍କୁ ସଦ୍ବୁଦ୍ଧି ମିଳିବା ସହିତ ତାଙ୍କ ଜ୍ଞାନଚକ୍ଷୁ ଖୋଲିଥିବ। ହେଲେ ସେଭଳି କିଛି ହୋଇନଥିବା ସେମାନଙ୍କର ସାମ୍ବାଦିକ ସମ୍ମିଳନୀ ପରେ ପ୍ରତୀୟମାନ ହେଉଛି। ରାତିସାରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସିଲାପରେ ମଧ୍ୟ ନିଜର ଅଶୋଭନୀୟ ଲଜ୍ଜାଜନକ କାର୍ଯ୍ୟପାଇଁ ପ୍ରାୟଶ୍ଚିତ କରିନାହାନ୍ତି। ଏଥିରୁ ଗୋଟିଏ କଥା ଜଳ ଜଳ ହୋଇ ଦିଶୁଛି ଯେ ସେମାନେ ଆନ୍ତରିକତାର ସହ ସେଠାରେ ବସିନଥିବାରୁ ନିଜର ହିଂସା ଆଚରଣ ଲାଗି ମହାତ୍ମାଙ୍କୁ କ୍ଷମା ମାଗି ନିଜ ଭୁଲ୍ର ପ୍ରାୟଶ୍ଚିତ କରିନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମତୀ ମଲ୍ଲିକ ଆହୁରି କହିଛନ୍ତି ଯେ ବିଧାନସଭା ଭିତରେ ବିଜେପି ବିଧାୟକଙ୍କର ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଓ ଚପଲ ଫିଙ୍ଗା କାର୍ଯ୍ୟକୁ ନେଇ ସାଢେ ଚାରିକୋଟି ରାଜ୍ୟବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହିତ ଦୃଢ ନିନ୍ଦା କରିଛନ୍ତି। ଏବେ ବି ସମୟ ଅଛି, ଆନ୍ତରିକତାର ସହ ନିଜର ଭୁଲ୍ ପାଇଁ ବିଜେପି ବିଧାୟକମାନେ ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ଏବଂ ପ୍ରାୟଶ୍ଚିତ କରନ୍ତୁ। ଏହା ନହେଲେ ସାଢେ ଚାରି କୋଟି ଓଡିଶାବାସୀଙ୍କ ସମେତ ସେମାନଙ୍କ ନିର୍ବାଚନମଣ୍ଡଳୀର ଭୋଟରମାନେ ମଧ୍ୟ ବିଜେପି ବିଧାୟକମାନଙ୍କୁ ଆଦୌ କ୍ଷମା କରିବେ ନାହିଁ। ସେ କହିଛନ୍ତି, ବିଜେପି ନେତାମାନେ ପୂର୍ବରୁ ବିଧାନସଭା ବାହାରେ ହିଂସା ଆଚରଣ କରିବାର ବହୁ ନଜିର ଥିବାବେଳେ ସେମାନେ ଏବେ ତାହାକୁ ବିଧାନସଭା ପରିସରକୁ ଆଣିଛନ୍ତି । ଏହା କେବଳ ବିଧାନସଭା ଇତିହାସରେ କଳାଦାଗ ଲଗାଇନାହିଁ, ବରଂ ପରପିଢି ପାଇଁ ଖରାପ ବାର୍ତ୍ତା ଦେଇଛି। ବିଧାୟକଙ୍କ ଏଭଳି ଆଚରଣ ଏବେ ସମଗ୍ର ଦେଶରେ ଓଡିଶାର ମୁଣ୍ଡ ତଳକୁ କରିଦେଇଛି। ତେଣୁ ଏଭଳି ଆଚରଣ ପାଇଁ ବିଜେପି ବିଧାୟକମାନେ ରାଜ୍ୟବାସୀଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।