କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ: ‘ସମ୍ବାଦ’ ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କ ଦେହାନ୍ତ

ବ୍ରହ୍ମପୁର : ‘ସମ୍ବାଦ’ ଗଞ୍ଜାମ ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ କିଶୋର ସାହୁ(୪୩)ଙ୍କ କରୋନାରେ ଶୁକ୍ରବାର ସକାଳେ ଦେହାନ୍ତ ଘଟିଛି। ସେ କନିଷିସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ତାଙ୍କର ଅକାଳ ବିୟୋଗ ଖବର ପାଇ ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ମଧ୍ୟାହ୍ନରେ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲ୍‌ ସଂଲଗ୍ନ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ଗଞ୍ଜାମ ଜିଲ୍ଲା ପୁରୁ‌ଷୋତ୍ତମପୁର ବ୍ଲକ୍‌ ବଳରାମପୁର ଗ୍ରାମର ମୂଳନିବାସୀ ଶ୍ରୀ ସାହୁ ବ୍ରହ୍ମପୁର ଲୋଚାପଡ଼ା ଶକ୍ତିନଗରରେ ନିଜ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହୁଥିଲେ। ସ୍ବର୍ଗତ ସାହୁ ଧରିତ୍ରୀ ଖବରକାଗଜରୁ ତାଙ୍କର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ସେ ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ ଭଳି ଜିଲ୍ଲାରେ ଦକ୍ଷତାର ସହ ଦାୟିତ୍ବ ନିର୍ବାହ କରିଥିଲେ। ଗତ ୨୦୧୮ ଡିସେମ୍ବର ମାସରେ ସେ ‘ସମ୍ବାଦ’ ଗଞ୍ଜାମ ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଜଣେ ବରିଷ୍ଠ ସାମ୍ବାଦିକ ଭାବେ ତାଙ୍କର ବେଶ୍ ସୁନାମ ରହିଥିଲା। ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ ସମସ୍ୟା ଭିତ୍ତିକ ତଥା ଗଠନମୂଳକ ଓ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଖବର ପରିବେଷଣରେ ତାଙ୍କର ଲେଖନୀ ସର୍ବଦା ଚଳଚଞ୍ଚଳ ରହିଥିଲା। ଜିଲ୍ଲାର ଅର୍ଥନୈତିକ ଓ ସାମଜିକ ଦିଗ ଉପରେ ଖବର ସଂଗ୍ରହ କରି ସୁନ୍ଦର ଶୈଳୀରେ ଉପସ୍ଥାପନ କରିବା ସହ ପ୍ରଶାସନ ନଜରକୁ ଆଣୁଥିଲେ। ଯାହା ପାଠକ ମହଲରେ ଆଦୃତି ଲାଭ କରୁଥିଲା।

‘ସମ୍ବାଦ’ ପରିବାରର ଶ୍ରେଷ୍ଠ ଜିଲ୍ଲା ପ୍ରତିନିଧିଙ୍କ ମଧ୍ୟରୁ ସେ ଥିଲେ ଜଣେ। ଗତବର୍ଷ କରୋନାର ପ୍ରଥମ ଲହର ସମୟରେ ସ୍ବର୍ଗତ ସାହୁ ହିଁ ପ୍ରଥମେ ସୁରତରେ ରହୁଥିବା ଓଡ଼ିଆ ପ୍ରବାସୀଙ୍କ ଦୁର୍ଦ୍ଦଶା ଓ କାରୁଣ୍ୟକୁ ଲୋକଲୋଚନକୁ ଆଣିଥିଲେ। ସେ ନିରନ୍ତର ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଉପରେ ଖବର ସଂଗ୍ରହ କରିବା ସହ ଗଞ୍ଜାମ ଜିଲ୍ଲାରେ କରୋନାର ଭୟାବହତା ଉପରେ ଲଗାତାର ରିପୋର୍ଟ ଦେଇ ଚାଲିଥିଲେ। ଏପରିକି ସେ ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପର୍ଯ୍ୟନ୍ତ ଘରେ ସ‌ଙ୍ଗରୋଧରେ ରହି ମଧ୍ୟ ନିଜ ଦାୟିତ୍ବ ଓ କର୍ତ୍ତବ୍ୟକୁ ଭୁଲି ନଥିଲେ ଏବଂ ଦୈନନ୍ଦିନ ପ୍ରସଙ୍ଗ ଭିତ୍ତିକ ରିପୋର୍ଟ କରିବା ଜାରି ରଖିଥିଲେ। ଶେଷରେ ସେହି କରୋନା ହିଁ ତାଙ୍କୁ ଛଡ଼ାଇ ନେଲା ଓ ପତ୍ନୀ ଓ ଦୁଇ କୁନି ପୁଅଙ୍କୁ ଏକାକୀ କରିଦେଲା। ସ୍ବର୍ଗତ ସାହୁ ଜଣେ ଅତ୍ୟନ୍ତ ନମ୍ର, କର୍ମଠ ଓ ଦାୟିତ୍ବବାନ୍‌ ବ୍ୟକ୍ତି ଓ ନିଷ୍ଠାବାନ୍‌ ସାମ୍ବାଦିକ ଭାବେ ରାଜ୍ୟରେ ପରିଚିତ ଥିଲେ। ପ୍ରାୟ ଦୁଇ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ସେ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ସ୍ବାସ୍ଥାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା। ଶେଷରେ ଆଜି ସକାଳେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ତାଙ୍କ ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ପାଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ବିଟ୍‌ କରି ଗଭୀର ଶୋକ ବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସେହିପରି ବରିଷ୍ଠ ଶିକ୍ଷାବିତ୍‌ ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର, ଭିଜିଲାନ୍ସ ଏସ୍‌.ପି. ଶାନ୍ତନୁ ପାଢ଼ୀଙ୍କ ସମେତ ବ୍ରହ୍ମପୁର ସହରର ବହୁ ସାମ୍ବାଦିକ ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର