ସମ୍ବଲପୁର : କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କୁ ମନାଇଲେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଡ.ଅଶ୍ବିନୀ ପୂଜାହାରୀ ଏବଂ ଲୋକସଭା ପ୍ରାର୍ଥୀ ଶରତ ପଟ୍ଟନାୟକ। ଉଭୟ କଂଗ୍ରେସ କାର୍ଯ୍ୟାଳୟ ଯାଇ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁଙ୍କୁ ଭେଟି କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ନିର୍ବାଚନ ପ୍ରଚାରରେ ସମସ୍ତଙ୍କ ସହଯୋଗ ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଚାରରେ ପଛରେ ପଡ଼ିଛି କଂଗ୍ରେସ
ପ୍ରାର୍ଥୀ ବିବାଦରେ ଛନ୍ଦି ହୋଇଯାଇଥିବା କଂଗ୍ରେସ ପ୍ରଚାରରେ ମଧ୍ୟ ପଛରେ ପଡ଼ିଯାଇଛି। ବିଜେଡି, ବିଜେପି ସମେତ ସ୍ବାଧୀନ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିସାରିଛନ୍ତି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ପ୍ରଚାର ପତ୍ର ମଧ୍ୟ ଆସି ନାହିଁ। ବିଳମ୍ବରେ ପ୍ରାର୍ଥୀ ଘୋଷଣା ଏହାର କାରଣ ହୋଇଛି। ଯେଉଁ ଦିନ ପ୍ରାର୍ଥୀ ଘୋଷଣା ହେଲା ସେଦିନ ୧୪ କର୍ମକର୍ତ୍ତା ନିଜ ପଦରୁ ଇସ୍ତଫା ଦେଲେ। ଏହା ସତ୍ତ୍ବେ ପ୍ରାର୍ଥିପତ୍ର ଦାଖଲ ଦିନ ଅନେକ ପୁରୁଖା ନେତା, କର୍ମୀଙ୍କ ସମାଗମ ହୋଇଥିଲା। ଅଶ୍ବିନୀ ଗୁରୁଙ୍କ ସମେତ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ହାଲକା ଭାବରେ ନେଇ ନାହାନ୍ତି ଦୁଇ ପ୍ରାର୍ଥୀ। ନେତାମାନଙ୍କ ଅସନ୍ତୋଷ ସେମାନଙ୍କ ପରିବାରର କଥା ବୋଲି କହିଥିଲେ ଶରତ ପଟ୍ଟନାୟକ। ଅଶ୍ବିନୀ ଗୁରୁଙ୍କ ସହିତ ତାଙ୍କ ପୁରୁଣା ସମ୍ପର୍କ ରହିଥିବାରୁ ତାଙ୍କୁ ମନାଇବାକୁ କୌଣସି ଅସୁବିଧା ହୋଇନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଡ.ଅଶ୍ବିନୀ ପୂଜାହାରୀ ହୀରାକୁଦ ସମେତ ସମ୍ବଲପୁରର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଭେଟିବା ସହିତ ଘର-ଘର ବୁଲୁଛନ୍ତି। ଶରତ ପଟ୍ଟନାୟକ ଶନିବାର କୁଚିଣ୍ଡାରେ କଂଗ୍ରେସ କର୍ମକର୍ତ୍ତାଙ୍କୁ ଭେଟିଥିଲେ। ରାଜନୀତିରେ ପୋଖତ ଶରତ ଯୁବ କଂଗ୍ରେସ କର୍ମୀଙ୍କୁ ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି। ଡ.ଅଶ୍ବିନୀ ପୂଜାହାରୀଙ୍କୁ କିଛି ବୁଦ୍ଧିଜୀବୀ ସହାୟତା କରୁଛନ୍ତି। ଏକଦା କଂଗ୍ରେସ ଗଡ଼ ଥିବା ସମ୍ବଲପୁରରେ ୨୦୧୪ ନିର୍ବାଚନରେ ସମ୍ବଲପୁର ତୃତୀୟ ସ୍ଥାନ ହାସଲ କରିଥିଲା। ଚଳିତ ବର୍ଷ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ଏହାର ଫାଇଦା ଦଳକୁ ମିଳିବ ବୋଲି ଉଭୟ ଆଶା କରିଛନ୍ତି।
ଇସ୍ତଫା ପତ୍ର ଗ୍ରହଣ କରାଗଲା ନାହିଁ
ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ନେଇ ଅସନ୍ତୁଷ୍ଟ ଜିଲ୍ଲା କଂଗ୍ରେସର ୧୪ କର୍ମକର୍ତ୍ତାଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଇସ୍ତଫା ଦେଇଥିବା କର୍ମକର୍ତ୍ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ନାହିଁ, ସେମାନେ ପୂର୍ବ ଭଳି ନିଜ ପଦରେ କାର୍ଯ୍ୟ କରିବେ ବୋଲି ଅଶ୍ବିନୀ ଗୁରୁ କହିଛନ୍ତି। ସେହିପରି ଦଳ ଯାହାକୁ ପ୍ରାର୍ଥୀ କରିଛି ସେମାନଙ୍କୁ ସହଯୋଗ କରାଯିବ ବୋଲି କଂଗ୍ରେସ ନେତ୍ରୀ ସୁରେଖା ସାହୁ କହିଛନ୍ତି ।