ହାଜତ ମୃତ୍ୟୁ ମାମଲା : ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି

ସମ୍ବଲପୁର : ଅଇଁଠାପାଲି ଥାନା ହାଜତରେ ଅବିନାଶ ମୁଣ୍ଡାଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରାଇବାକୁ ଦାବି କରିଛି ଓଡ଼ିଶା ଆଦିବାସୀ ଦଳିତ ସେନା। ଓଡ଼ିଶା ଆଦିବାସୀ ଦଳିତ ସେନାର ସଭ୍ୟ ଓ ସମର୍ଥକମାନେ ଏକ ବିଶାଳ ରାଲିରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। ଅଇଁଠାପାଲି ଥାନାର କାର୍ଯ୍ୟରତ ଅଧିକାରୀ/କର୍ମଚାରୀମାନଙ୍କ ୩ ବର୍ଷ ପୂରଣ ହୋଇଥିବାରୁ ସମସ୍ତଙ୍କୁ ଉତ୍ତରାଂଚଳ ରେଂଜର ଅନ୍ୟ ଜାଗାକୁ ବଦଳି କରିବାକୁ ଦାବି କରାଯାଇଛି। ମୃତ ଅବିନାଶ ମୁଣ୍ଡାଙ୍କ ବିଧବା ମା’ ଇସ୍ରାନି ମୁଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଦିଆଯାଇଥିବା ୫ ଲକ୍ଷ ଟଙ୍କା ଯଥେଷ୍ଟ ନୁହେଁ। ଅବିନାଶ ପରିବାରର ଏକମାତ୍ର ରୋଜାଗାର କ୍ଷମ ବ୍ୟକ୍ତି ଥିବାରୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି ଉପସ୍ଥାପନ କରାଯାଇଛି। ଆଦିବାସୀ ଦଳିତ ସେନାର ସଭାପତି ପ୍ରଶାନ୍ତ ହାଓ, ଜିଲ୍ଲା ସଭାପତି ସୁବେଶ ମୁଣ୍ଡା ଓ ସାଧାରଣ ସଂପାଦକ ଶ୍ୟାମ ସୁନ୍ଦର ମୁଣ୍ଡା ଏହାର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର