ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣା: ରାଜଭବନରୁ କୁଳପତିଙ୍କୁ ରିପୋର୍ଟ ତଲବ

ଭୁବନେଶ୍ବର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତିକୁ ନେଇ ସବୁଠି ଗୋଟିଏ ପ୍ରଶ୍ନ ମୃତ୍ୟୁ ପାଇଁ ଦାୟୀ କିଏ? ଆତ୍ମହୁତି ପୂର୍ବରୁ ସୁଇସାଇଡ୍‌ ନୋଟ୍‌ରେ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ନାମ ଉଲ୍ଲେଖ କରିଥିଲେ। କିନ୍ତୁ ଦୀନବନ୍ଧୁଙ୍କ ମୃତ୍ୟୁ ଘଟଣା ପରିପ୍ରେକ୍ଷୀରେ ଡକାଯାଇଥିବା ସିଣ୍ଡିକେଟ୍‌ ବୈଠକରେ କୁଳପତି ପ୍ରଫେସର ମିତ୍ତଲଙ୍କ ଅଧ୍ୟକ୍ଷତାକୁ କେହି ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ବୈଠକକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ କୁଳାଧିପତି ତଥା ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିବା ସହ ରାଜଭବନ ପକ୍ଷରୁ କୁଳପତି ପ୍ରଫେସର ମିତ୍ତଲଙ୍କଠାରୁ ରିପୋର୍ଟ ତଲବ କରାଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କୁଳାଧିପତିଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ କୁଳପତିମାନଙ୍କ ବୈଠକରେ ଏସମ୍ପର୍କରେ ଆଲୋଚନା ହୋଇଛି। କେଉଁ ପରିସ୍ଥିତିରେ ଦୀନବନ୍ଧୁ ଆତ୍ମାହୁତି କଲେ? ଏହା ପଛର କାରଣ କ’ଣ ବୋଲି ଏଥିରେ ପ୍ରଶ୍ନ ଉଠିଥିଲା। ଏଭଳି ଘଟଣା ଦ୍ବାରା ଉଚ୍ଚ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା କ୍ଷୁଣ୍ଣ ହେଉଛି। ବିଶ୍ବବିଦ୍ୟାଳୟ ଉପରୁ ଛାତ୍ରଛାତ୍ରୀ, ଅଭିଭାବକ, କର୍ମଚାରୀମାନେ ଆସ୍ଥା ହରାଉଛନ୍ତି। ଶୈକ୍ଷିକ ବାତାବରଣ ପରିବର୍ତେ ଅଶାନ୍ତି ସୃଷ୍ଟି ହେଉଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ଦୀନବନ୍ଧୁ ଆତ୍ମାହୁତି ଦେଉଥିବା ବେଳେ ତାଙ୍କୁ ରୋକାଗଲା ନାହିଁ କାହିଁକି? ସୁଇସାଇଡ୍‌ ନୋଟ୍‌ରେ ସେ ଯେଉଁ ଅଭିଯୋଗ କରିଛନ୍ତି ତାହା କେତେଦୂର ଠିକ୍‌? ଦୀନବନ୍ଧୁ ୨୭ ବର୍ଷ ହେଲା ଅସ୍ଥାୟୀ ଚାକିରି କରିଥିଲେ ମଧ୍ୟ କାହିଁକି ସ୍ଥାୟୀ କରାଯାଉ ନ ଥିଲା? ଏଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବା ସହ ଯେତେଶୀଘ୍ର ସମ୍ଭବ ରାଜଭବନକୁ ରିପୋର୍ଟ ପଠାଇବାକୁ କୁଳପତିଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ ଦୀନବନ୍ଧୁଙ୍କ ମୃତ୍ୟୁକୁ ନେଇ ବିବାଦ ଥମିବାର ନାଁ ଧରୁନି। କୁଳପତି ପ୍ରଫେସର ମିତ୍ତଲଙ୍କ ବହିଷ୍କାର ଦାବିରେ ବିଶ୍ବବିଦ୍ୟାଳୟ କର୍ମଚାରୀମାନେ ଅଡ଼ି ବସିଥିବାରୁ କ୍ୟାମ୍ପସରେ ଏକପ୍ରକାର ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଚିନ୍ତାପ୍ରକଟ କରିଛି। କିଭଳି ଭାବେ ସ୍ଥିତିରେ ସୁଧାର ଆସିପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଘନଘନ ଆଲୋଚନା ଚାଲିଛି। କେଉଁଠି ତ୍ରୁଟି ରହିଛି, ତାହାର ମଧ୍ୟ ଅନୁଧ୍ୟାନ କରାଯାଇଛି। ଦୀନବନ୍ଧୁଙ୍କ ପରି ରାଜ୍ୟର ଅନ୍ୟ କୌଣସି ବିଶ୍ବବିଦ୍ୟାଳୟରେ ଯେପରି ଏଭଳି ଘଟଣା ସାମ୍ନାକୁ ନ ଆସେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଶ୍ବବିଦ୍ୟାଳୟ କୁଳପତି ଓ କୁଳସଚିବଙ୍କୁ ମୌଖିକ ଭାବେ କୁହାଯାଇଛି। ପରବର୍ତୀ ସମୟରେ ରାଜ୍ୟର କୌଣସି ବି ବିଶ୍ବବିଦ୍ୟାଳୟରେ ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଭାଗୀୟ ଅଧିକାରୀମାନେ ରୋକଠୋକ ଶୁଣାଇଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା‌ ଅନୁଯାୟୀ କୁଳପତିଙ୍କ ନାମରେ ଆସିଥିବା ଅଭିଯୋଗର ତଦନ୍ତ ଲାଗି ଖୁବ୍‌ଶୀଘ୍ର ଏକ କମିଟି ଗଠନ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। କୁଳପତି ପ୍ରଫେସର ମିତ୍ତଲ ରାଜଭବନକୁ ରିପୋର୍ଟ ଦେବା ପରେ ତାହାକୁ ଅନୁଧ୍ୟାନ କରାଯାଇ ଏଦିଗରେ ପଦକ୍ଷେପ ନିଆଯିବ। ନିୟମ ଅନୁଯାୟୀ ଜଣେ କୁଳପତିଙ୍କୁ ବହିଷ୍କାର କ୍ଷମତା କୁଳାଧିପତି ତଥା ରାଜ୍ୟପାଳଙ୍କର ରହିଛି। ଏଥିସହ ରାଜ୍ୟ ସରକାରଙ୍କ ହାତରେ ବି କ୍ଷମତା ରହିଛି। କୁଳପତିଙ୍କ କାର୍ଯ୍ୟାବଳୀକୁ ଅନୁଧ୍ୟାନ କରି ‌ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।

ସମ୍ବନ୍ଧିତ ଖବର