ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ଆତ୍ମାହୁତି ଘଟଣା: ବଢ଼ିଲା କୁଳପତିଙ୍କ ଅଡ଼ୁଆ

ନିରପେକ୍ଷ ତଦନ୍ତ କରିବାକୁ ରାଜଭବନରୁ ଉଚ୍ଚଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ
କୁଳପତିଙ୍କ ଦ୍ବିତୀୟ ରିପୋର୍ଟରେ ବି ସନ୍ତୁଷ୍ଟ ହେଲେନି କୁଳାଧିପତି

ଭୁବନେଶ୍ବର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତିକୁ ନେଇ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ରାଜଭବନ ପକ୍ଷରୁ ଦୁଇଥର ରିପୋର୍ଟ ମଗାଯାଇଥିଲେ ମଧ୍ୟ କୁଳପତି ପ୍ରଫେସର୍‌ ମିତ୍ତଲ ଯେଉଁ ଉତ୍ତର ରଖିଛନ୍ତି, ତାହା ବିଶ୍ବବିଦ୍ୟାଳୟ କୁଳା‌ଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଯେଉଁଥିପାଇଁ ନିରପେକ୍ଷ ତଦନ୍ତ କରିବାକୁ ରାଜଭବନ ପକ୍ଷରୁ ଉଚ୍ଚଶିକ୍ଷା ସଚିବଙ୍କୁ ପତ୍ର ଲେଖାଯାଇଛି। ଯେତେଶୀଘ୍ର ସମ୍ଭବ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ରାଜଭବନକୁ ରିପୋର୍ଟ ଦେବାକୁ ଆଜି ନିର୍ଦ୍ଦେଶ ଦିଆଯାଇଛି।

ସ୍ବର୍ଗତ ମିଶ୍ରଙ୍କ ଆତ୍ମାହୁତିକୁ ନେଇ ବିଶ୍ବବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି ଲାଗି ରହିଛି। କୁଳପତି ପ୍ରଫେସର୍‌ ମିତ୍ତଲଙ୍କୁ ଛୁଟିରେ ପଠାଇ ଘଟଣାର ନିରପେକ୍ଷ ତଦନ୍ତ କରିବା ଲାଗି କର୍ମଚାରୀମାନେ ଦାବି ଜଣାଇଛନ୍ତି। ଲୋକ ପ୍ରତିନିଧିମାନେ ବି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କୁଳପତିଙ୍କୁ ହଟାଇବା ଲାଗି କୁଳାଧିପତିଙ୍କୁ ପତ୍ର ଲେଖିଛନ୍ତି। ସମ୍ବଲପୁର ସାଂସଦ ସୁରେଶ ପୂଜାରୀଙ୍କ ସମେତ ଆଇନଜୀବୀ ଦୁର୍ଗା ପାଢ଼ୀ, ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ସତ୍ୟନାରାୟଣ କର, ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟର ଦୁଇଜଣ ପୂର୍ବତନ କୁଳପତି, ନିଖିଳ ଓଡ଼ିଶା ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘ ସଭାପତି ଶାରଦା ଚରଣ ମହାନ୍ତି କୁଳାଧିପତିଙ୍କୁ ପତ୍ର ଲେଖି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ଅସ୍ଥାୟୀ କର୍ମଚାରୀଙ୍କୁ ଆତ୍ମାହୁତି ଘଟଣାକୁ ନେଇ ସମ୍ବଲପୁରରୁ ଭୁବନେଶ୍ବର ପର୍ଯ୍ୟନ୍ତ ତମ୍ବିତୋଫାନ ହେବା ପରେ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ କୁଳାଧିପତି ନିଷ୍ପତ୍ତି ନେଇଛନ୍ତି। ତଦନ୍ତ ଲାଗି ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖିବା ସହ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଦିଆଯାଇଥିବା ଦାବିପତ୍ର ଓ କୁଳପତି ଦାଖଲ କରିଥିବା ଦୁଇଟି ରିପୋର୍ଟକୁ ଏଥିରେ ସଂଯୋଗ କରାଯାଇଛି। ସମସ୍ତ ଦିଗକୁ ଆଧାର କରି ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ଆରମ୍ଭ କରିବାକୁ କୁହାଯାଇଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁଳପତି ଯେଉଁ ଦୁଇଟି ରିପୋର୍ଟ ‌ରାଜଭବନକୁ ପଠାଇଛନ୍ତି, ସେଥିରେ କୌଣସି ପ୍ରକାର ସ୍ପଷ୍ଟତା ନାହିଁ। ଯେଉଁଥିପାଇଁ ନିରପେକ୍ଷ ତଦନ୍ତ ଲାଗି କମିଟି ଗଠନ କରିବାକୁ ରାଜଭବନ ପକ୍ଷରୁ କୁହାଯାଇଛି।

ଏହି କମିଟିରେ କେଉଁମାନେ ରହିବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ତେବେ ବରିଷ୍ଠ ପ୍ରଶାସକ, ପୂର୍ବତନ କୁଳପତି, ପ୍ରଫେସର୍‌, କର୍ମଚାରୀଙ୍କୁ ନେଇ କମିଟିର ରୂପରେଖ ପ୍ରସ୍ତୁତ ହେବ ବୋଲି କୁହାଯାଉଛି। ଉକ୍ତ କମିଟି ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ଦେବ। ରିପୋର୍ଟ ରାଜଭବନରେ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ତେବେ ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଉଛି ଯେ ଆଜି ସନ୍ଧ୍ୟାରେ ରାଜଭବନରୁ ପତ୍ର ପହଞ୍ଚିଛି। ତାହାକୁ ଅନୁଧ୍ୟାନ କରାଯାଇପାରି ନାହିଁ। ଯେତେଶୀଘ୍ର ସମ୍ଭବ ଏ ଦିଗରେ ପଦକ୍ଷେପ ନିଆଯିବ।

ଅନ୍ୟପକ୍ଷରେ ଗତକାଲି ବିଶ୍ବବିଦ୍ୟାଳୟ ବୈଠକରେ ଯେଉଁ ସବୁ ନିଷ୍ପତ୍ତି ନିଆଯାଇଛି, ତାହାକୁ ନେଇ ନିଖିଳ ଓଡ଼ିଶା ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘ ପ୍ରଶ୍ନ ଉଠାଇଛି। ମହାସଂଘର ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ତଥା କୁଳପତିଙ୍କ ଦୋଷର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ସ୍ବର୍ଗତ ମିଶ୍ରଙ୍କ ଜଣେ ସମ୍ପର୍କୀୟଙ୍କୁ ଚାକିରି ଦିଆଯାଉ। ବିଶ୍ବବିଦ୍ୟାଳୟ କୁଳପତିଙ୍କ ମନମାନିକୁ କୌଣସି ବି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ।

ସମ୍ବନ୍ଧିତ ଖବର