ଲାଞ୍ଚ ମାମଲାରେ ଛନ୍ଦି ହୋଇ ଗିରଫ ‌ହୋଇଥିବା ଟାଉନ୍‌ ଥାନା ପୂର୍ବତନ ଆଇଆଇସି ସରୋଜିନୀଙ୍କ ଜାମିନ ନାମଞ୍ଜୁର

ବାଲେଶ୍ବର : ଲାଞ୍ଚ ମାମଲାରେ ଛନ୍ଦି ହୋଇ ଗିରଫ ‌ହୋଇଥିବା ଟାଉନ୍‌ ଥାନା ପୂର୍ବତନ ଆଇଆଇସି ସରୋଜିନୀ ନାୟକଙ୍କ ଜାମିନ ଆବେଦନକୁ ଗୁରୁବାର ଭିଜିଲାନ୍ସ ସ୍ପେଶାଲ୍‌ ଜଜ୍ ଖାରଜ କରିଛନ୍ତି। ଗତ ୨ ତାରିଖରେ ଗିରଫ ହୋଇଥିବା ସରୋଜିନୀଙ୍କୁ ୨ ସପ୍ତାହ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ବେଳେ ଆଜି ତାଙ୍କ ଓକିଲ ୧୯/୨୦ ଓ ୮/୧୯ ଦୁଇଟି ମାମଲାର ଜାମିନ ପାଇଁ ବାଲେଶ୍ବର ଭିଜିଲାନ୍ସ କୋର୍ଟରେ ଆବେଦନ କରିଥିଲେ।

ପ୍ରକାଶଥାଉକି, ସରୋଜିନୀ ବାଲେଶ୍ୱର ଟାଉନ ଥାନା ଦାୟିତ୍ୱରେ ଥିବା ବେଳେ ଗତ ୨୦୨୦ ଜୁଲାଇ ୧ ତାରିଖରେ ଏକ ଜମିଜମା ମାମଲାର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣାରେ ଏସଆଇ ବିମଳ କର ଓ ମଧ୍ୟସ୍ଥି ସନ୍ତୋଷ ଦାସଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଭିଜିଲାନ୍ସ ଚଢ଼ଉ ଯୋଗୁ ସରୋଜିନୀ ହଠାତ୍‌ ଥାନାରୁ ଅନ୍ତର୍ଦ୍ଧାନ‌ ହୋଇଯାଇଥିଲେ। ଏହା ପରେ ଅସୁସ୍ଥତା କାରଣ ଦର୍ଶାଇ ଏକ ସପ୍ତାହ ଛୁଟି ନେଇଥିଲେ। ବାଲେଶ୍ବର ଭିଜିଲାନ୍ସ ଡିଭିଜନ ପକ୍ଷରୁ ତାଙ୍କୁ ହାଜର ପାଇଁ ବାରମ୍ବାର ରିମାଣ୍ଡ ଦିଆଯାଇଥିଲେ ବି ସେ ହାଜର ହୋଇନଥିଲେ। ଦୀର୍ଘଦିନ ଧରି ଆତ୍ମମଗୋପନ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶେଷରେ ଗତ ୨ତାରିଖ ଦିନ ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଥିଲା। ପରେ ତାଙ୍କୁ ଗତ ୫ ତାରିଖ ଦିନ ବାଲେଶ୍ବର ଭିଜିଲାନ୍ସ ଡିଭିଜନ୍‌ ଦିନିକିଆ ରିମାଣ୍ଡରେ ଆଣି ୫ଘଣ୍ଟା କାଳ ଜେରା କରିଥିଲା।

ସମ୍ବନ୍ଧିତ ଖବର