ଦୁର୍ଘଟଣାରେ ଚୋରମୁହାଁ ପଞ୍ଚାୟତ ସରପଞ୍ଚଙ୍କ ମୃତ୍ୟୁ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଚୋରମୁହାଁ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ମହାନ୍ତି (୩୯) ଙ୍କର ଆଜି ଏକ ଦୁର୍ଘଟଣାରେ ମୃତ୍ୟୁ​ ହୋଇଛି।

ସୂଚନା ଅନୁସାରେ ପ୍ରଦ୍ୟୁମ୍ନ ମହାନ୍ତି ଆଜି ମିର୍ଜାପୁରରେ ଏକ ଉତ୍ସବରେ ଯୋଗ ଦେବାପାଇଁ ଅପରାହ୍ଣ ପ୍ରାୟ ୨ଟାରେ ସେ ବାଇକ୍ (ଓଡି୦୪ଏମ୍-୬୦୦୫)ରେ ଘରୁ ବାହାରି ଯାଇଥିଲେ। ଧର୍ମଶାଳା ବଜାର ନିକଟ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାରେ ଭୁବନ ଗାଁ ନିକଟ ବୁଲାଣିରେ ବାଇକ୍‌ଟି ବନ୍ଧ ତଳକୁ ଖସି ପଡ଼ିଥିଲା। ସେ ବନ୍ଧରାସ୍ତା ଉପରେ ମୁହଁମାଡ଼ି ପଡ଼ିଥିଲେ। ତାଙ୍କ ଛାତି ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ସେହି ବାଟରେ ଯାଉଥିବା ସାମ୍ବାଦିକ ସୁରେଶ ବିଶ୍ୱାଳ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱର୍ଗତ ମହାନ୍ତିଙ୍କ ପତ୍ନୀ, ଝିଅ ଓ ପୁଅ ଅଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ  ବିଜେପି ସମର୍ଥନରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଗତବର୍ଷ ନଭେମ୍ବର ୧୭ତାରିଖରେ ସେ ବିଜେଡିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର