ସାତକୋଶିଆରେ ମହାବଳ : ଗାଧୋଇଲା, ବାର୍‌ହା ଖାଇଲା

ଅନୁଗୁଳ/ବନ୍ତଳା : ସାତକୋଶିଆ ଅଭୟାରଣ୍ୟରେ ଧୀରେଧୀରେ ସ୍ୱାଭାବିକ ହେଉଛି ମଧ୍ୟପ୍ରଦେଶର ମହାବଳ ବାଘ। ନୂଆ ପରିବେଶ, ନୂଆ ଜଳବାୟୁରେ ନିଜକୁ ଖାପ ଖୁଆଇବାକୁ ଉଦ୍ୟମ କରୁଛି ମଧ୍ୟପ୍ରଦେଶ ‘କାହ୍ନା’ ବ୍ୟାଘ୍ର ପ୍ରକଳ୍ପର ଏହି ୩ ବର୍ଷ ବୟସର ମହାବଳ। ଏଠାକାର ଗତ ୨୪ ଘଣ୍ଟାର ରହଣି କାଳରେ ସାଟେଲାଇଟ ଓ ସିସିଟିଭିରୁ ମିଳିଥିବା ବାଘର ଗତିବିଧି ସୂଚନାରୁ ବିଶେଷଜ୍ଞ ଦଳ ଏଭଳି ଅନୁମାନ କରିଛନ୍ତି। ଟ୍ରାଙ୍କୁଲାଇଜର୍‌ ପ୍ରଭାବରୁ ହିଂସ୍ର ବାଘଟି ମୁକ୍ତ ହୋଇ ସ୍ୱାଭାବିକ ଖିଆପିଆ ସହ ଗାଧୋଇଥିବା ଜଣାପଡ଼ିଛି। ଗତ ରାତିରେ ବନ ବିଭାଗ ପକ୍ଷରୁ ଖାଦ୍ୟ ଆକାରରେ ଦିଆଯାଇଥିବା ଏକ ଜୀବନ୍ତ ଜଙ୍ଗଲୀ ବାର୍‌ହାକୁ ସେ ମାରି ଅଧା ଖାଇଥିଲା ବେଳେ ଆଜି ପୂର୍ବାହ୍ଣରେ ବଳକା ମାଂସରୁ ଆଉ କିଛି ଖାଇଛି। ସେହିଭଳି ମଧ୍ୟାହ୍ନରେ ଏନକ୍ଲୋଜରରେ ନିର୍ମିତ କୃତ୍ରିମ ଜଳାଶୟରେ ଗାଧୋଇଥିବା ପରିଲକ୍ଷିତ ହୋଇଛି। ଜଙ୍ଗଲର ନୂଆ ପରିବେଶକୁ ବୁଲିବୁଲି ନିରୀକ୍ଷଣ କରୁଛି।

ବାଘଟିର ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି ବନ୍ୟାପ୍ରାଣୀ କର୍ତ୍ତୃପକ୍ଷ। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ୨୪ ଘଂଟିଆ ନିରୀକ୍ଷଣରେ ରହିଛି ଏହି ହିଂସ୍ର ପଶୁ। ରେଡିଓ କଲାର ଟ୍ରାକିଂ ସହ ସାଟେଲାଇଟ ଓ ସିସିଟିଭି ନଜରରେ ତାକୁ ରଖାଯାଇଛି। ତେବେ ଦୀର୍ଘ ୨୨ ଘଣ୍ଟାର ଯାତ୍ରା ପରେ ନୂଆ ଜାଗା, ନୂଆ ପରିବେଶ ଓ ନୂଆ ଜଳବାୟୁ ସହ ଖାପ ଖୁଆଇବା ଲାଗି ଆଉ କିଛି ଦିନ ଲାଗିଯିବ। ଏଥିଲାଗି ଏକ ସପ୍ତାହରୁ ଦୁଇ ସପ୍ତାହ ବି ଲାଗି ଯାଇପାରେ ବୋଲି ବିଶେଷଜ୍ଞ ମହଲ ମତବ୍ୟକ୍ତ କରୁଛନ୍ତି। ଆଚରଣ ସ୍ୱାଭାବିକ ହେବା ପରେ ତାକୁ ଏନକ୍ଲୋଜରରୁ ମୁକ୍ତ କରାଯିବ ବୋଲି ସାତକୋଶିଆ ଅଭୟାରଣ୍ୟର କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି। ତେବେ ଜୁଲାଇ ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଏକ ବାଘୁଣୀ ଅଣାଯିବା ପୂର୍ବରୁ ଏହି ଅଣ୍ଡିରା ମହାବଳ ବାଘକୁ ଏନକ୍ଲୋଜରରୁ ମୁକ୍ତ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର