ଡ୍ରେନେଜ୍‌ ଡିଭିଜନ୍‌ରେ ମହାଦୁର୍ନୀତି : ଠିକାଦାର ମାଲାମାଲ୍‌, ଚାଷୀ ବେହାଲ

କୋଟି କୋଟି ଟଙ୍କାର ପାଟନାଳୀ ଖନନ କାହା ସ୍ୱାର୍ଥରେ?

ଯାଜପୁର : ସରକାର ଚାଷୀ ଓ ଚାଷର ବିକାଶ ପାଇଁ କୋଟି କୋଟି ଟଙ୍କାର ଯୋଜନା କରି ଚାଲିଛନ୍ତି। ତେବେ ଏହି ଟଙ୍କା ଚାଷ କି ଚାଷୀର ବିକାଶରେ ବିନିଯୋଗ ନହୋଇ ସଂପୃକ୍ତ ବିଭାଗର କେତେକ ଅଧିକାରୀ ଓ ଠିକାଦାରଙ୍କ ପକେଟକୁ ଯାଉଛି। ଯାହାର ନମୁନା ପୁଣି ଯାଜପୁର ଡ୍ରେନେଜ୍‌ ଡିଭିଜନ୍‌ରେ ଦେଖିବାକୁ ମିଳିଛି। ଖାଲୁଆ ଜମିରୁ ଜଳ ନିଷ୍କାସନ ପାଇଁ ଜଳ ସଂପଦ ବିଭାଗ ଅଧୀନସ୍ଥ ଡ୍ରେନେଜ୍‌ ଡିିଭିଜନ୍‌ କାମ କରିବା ଆଳରେ ଶହଶହ କୋଟି ଟଙ୍କା ହଡ଼ପ କରାଯାଇଛି।

ଚଳିତ ସପ୍ତାହରେ ହୋଇଥିବା କାଳବୈଶାଖୀରେ ଦଶରଥପୁର ବ୍ଲକ୍‌ର ଜାଡୁଆ ଏବଂ ବାଉତରା ପାଟର ଜମି ଏହି କାଣୀ ନାଳ ଉପରେ ନିର୍ଭର କରେ । କାଣୀ ନଦୀ ଏବଂ ଏହାର ପାଟ ନାଳ ଖନନ ଏବଂ ସଫେଇ କାମ ପାଇଁ ବିଭାଗ ପକ୍ଷରୁ ୫ କୋଟି ୬୨ ଲକ୍ଷ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ କାମ ଶେଷ ହେଲାଣି। ହେଲେ ନାଳ ଖନନ ନାମରେ କେବଳ ଘାସ ଚଞ୍ଛା ହେଉଛି । ପୋତି ହୋଇଥିବା ନାଳୀକୁ ଚଉଡା କରାଯାଉନାହିଁ। ଫଳରେ ଅଦିନିଆ ବର୍ଷ ଏବଂ ବନ୍ୟା ଜଳ ନିଷ୍କାଷନ ହୋଇପାରୁନାହିଁ। ଫଳରେ ଏହି ଅଂଚଳର ଚାଷୀମାନଙ୍କର ପ୍ରତିବର୍ଷ କୋଟି କୋଟି ଟଙ୍କାର ଫସଲ ହାନୀ ହେଉଛି। ଅଥଚ ପ୍ରତି ବର୍ଷ ପାଟ ନାଳୀ ସଫେଇ ଓ ଖନନରେ କୋଟି କୋଟି ଟଙ୍କା ଡ୍ରେନେଜ୍‌ ବିଭାଗର ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ବିଲ୍‌ କରି ଚଳୁ କରୁଛନ୍ତି।

ସେହିପରି ବିଂଝାରପୁର ବ୍ଲକ୍‌ ଅଞ୍ଚଳରେ ନାଳ ସଫେଇ ନାଁରେ କୋଟି କୋଟି ଟଙ୍କା ଘୋଟାଲା ଧରାପଡ଼ିଯାଇଛି । ଏପରିକି ଅଭିଯୋଗ ହେବା ପରେ ଡ୍ରେନେଜ୍‌ ଡ଼ିଭିଜନ୍‌ ମୁଖ୍ୟଯନ୍ତ୍ରୀ ଅନୁସଂଧାନ କରି ଫେରିବା ପରେ ଗାଗରପାଟିଆ ନାଳର ପୁଣି ଖନନ ଚାଲିଛି । କେବଳ ଘାସ ସଫା କରି ଏହି ଅର୍ଥ ଆତ୍ମସାତ୍‌ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ବିଲ ମଝିରେ ଥିବାରୁ କାହାରି ଦୃଷ୍ଟି ପଡ଼ୁନାହିଁ। ଏହି ସୁଯୋଗରେ ଠିକାଦର ଓ ଯନ୍ତ୍ରୀଙ୍କ ମିଳିତ ହରିଲୁଟ୍‌ ଚାଲିଛି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ମହାଦୁର୍ନୀତି ହେଉଥିବାର ଅଭିଯୋଗ ହେବା ପରେ ମୁଖ୍ୟଯନ୍ତ୍ରୀ ତଦନ୍ତ କରିଛନ୍ତି ।

ଗାଗରପାଟିଆ ନାଳ ଖୋଳିବା ପାଇଁ ୫କୋଟି ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର୍‌ ହୋଇଥିଲା। ଏଥିରେ ଗାଗରପାଟିଆ ଓ ତା’ର ସଂଯୋଗୀକରଣ ନାଳର ମୋଟ ୧୯ କିଲୋମିଟର ଖୋଳା ହେବାର ଥିଲା। ଗାଗରପାଟିଆ ନାଳର ପ୍ରକୃତ ଲମ୍ବ ଅସ୍ପଷ୍ଟ। ଏହାର ବେସ୍‌ ୬ ମିଟର ସଫେଇ ହେବାର ଥିଲା। ଗଭୀର ସାଢ଼େ ୩ମିଟର । ସେହିପରି ନାଳର ଉପର ଅଂଶ ଦୁଇ ପାର୍ଶ୍ୱର ବ୍ୟବଧାନ ୧୦ ମିଟର ରହିବା ବ୍ୟବସ୍ଥା ରହିଛି । ଏବେ ଗାଗର ପାଟିଆ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ବେସ ସଫେଇ ୬ ମିଟର ସ୍ଥାନରେ କେଉଁଠି ୩ ମିଟର ତ ଆଉ କେଉଁଠି ୪ ମିଟର ଖୋଳାଯାଉଛି। ସେହିପରି ଗଭୀର ୩ ମିଟର ରହିବା ସ୍ଥାନରେ କେଉଁଠି ୨ମିଟର ତ କେଉଁଠି ତା’ଠାରୁ କମ୍‌ ରହିିଛି। ଉପର ଅଂଶ ଦୁଇ ପାର୍ଶ୍ୱର ବ୍ୟବଧାନ ୧୦ ମିଟର ରହିବା ସ୍ଥାନରେ ୬ରୁ ୭ମିଟର ରହିଥିବା ଦେଖିବାକୁ ମିଳିଛି। ଏହି ପ୍ରକଳ୍ପଟି ବିଂଝାରପୁର-ବରୀ ମଧ୍ୟ ସ୍ଥଳରେ ଥିଲା ବେଳେ ଏହା ବନ୍ୟାଞ୍ଚଳ ଭାବେ ପରିଚିତ। ପ୍ରତି ବର୍ଷ ସର୍ବନିମ୍ନ ଦୁଇ ଥର ବନ୍ୟା ଆସିଥାଏ। ସାମାନ୍ୟ ବର୍ଷା ହେଲେ ଚାଷ ଜମିର ପଟୁମାଟି ଧସିଯାଇ ନାଳ ପୋତି ହୋଇଯାଏ। ଏହି ସୁଯୋଗରେ ନାଳ ସଫେଇ ନାଁରେ ପ୍ରତିବର୍ଷ କୋଟି କୋଟି ଟଙ୍କା ସେଥିରେ ଢାଳି ଦିଆଯାଉଛି। କେବଳ ସେତିକି ନୁହଁ, ଚାଷୀମାନେ ଯିବାଆସିବା ପାଇଁ ଗାଗରପାଟିଆ ନାଳରେ ଦୁଇଟି ସେତୁ ନିର୍ମାଣ କରାଯାଇଛି। ବିଗତ ଦଶବର୍ଷ ମଧ୍ୟରେ ବିଂଝାରପୁର ଅଞ୍ଚଳରେ ନାଳ ସଫେଇ ନାମରେ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଏହି ଅନିୟମିତା ନେଇ ନିର୍ବାହୀ ଅଧିକାରୀ ମଙ୍ଗଳ ବିଶ୍ୱାଳ କହିଛନ୍ତି ମୁଖ୍ୟଯନ୍ତ୍ରୀ ତଦନ୍ତ କରି ଫେରିବା ପରେ ପୁଣି କାମ ଆରମ୍ଭ ହୋଇଛି। ଯେଉଁଠାରେ ଚାଷୀମାନେ ଜବର ଦଖଲ କରି ଜମି ଛାଡ଼ୁ ନାହାଁନ୍ତି, ସେଠାର କାମ ହୋଇପାରୁ ନାହିଁ। କାମ ଅନୁଯାୟୀ ବିଲ ହେବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ସମ୍ବନ୍ଧିତ ଖବର